କୋରେଇ: କୋରେଇ ଥାନା ଅନ୍ତର୍ଗତ ବରୁଣ୍ତାଇ ପଞ୍ଚାୟତ କଡ଼ମିଆଁ ଛକରେ ଶହଶହ ଓଭର ଲୋଡ୍ ବାଲିଗାଡ଼ିକୁ ନେଇ ଆଜି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ବରୁଣ୍ତାଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୌଭାଗ୍ୟ ମହାନ୍ତିଙ୍କ ନେତୃତ୍ବରେ ସକାଳୁ ଶତାଧିକ ଲୋକ ରାସ୍ତାରୋକ କରିବା ସହିତ ଧାରଣାରେ ବସିଥିଲେ। ଗତକାଲି ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ଏହି ଧାରଣା ଦୀର୍ଘ ୧୨ ଘଣ୍ଟା ଚାଲିବା ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ବାଲି ଗାଡ଼ି ଅଟକି ରହିଥିଲା। ଫଳରେ ଉକ୍ତ ରାସ୍ତା ଦେଇ ସ୍ବାଭାବିକ ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିଲା। ଆମ୍ବୁଲାନ୍ସ ମଧ୍ୟ ଅଟକି ରହିଥିଲା। ପରେ କୋରେଇ ପୁଲିସ୍ ଓ ବ୍ୟାସନଗର ତହସିଲଦାରଙ୍କ ହସ୍ତକ୍ଷେପ ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ଓଭରଲୋଡ୍ ଗାଡ଼ିଗୁଡ଼ିକରୁ ଜରିମାନା ଆଦାୟ ହୋଇଛି।
ପ୍ରକାଶ ଯେ, ବ୍ୟାସନଗର ତହସିଲ ପକ୍ଷରୁ ଚଳିତ ବର୍ଷ ପାଇଁ ୮ଟି ବାଲିଘାଟକୁ ନିଲାମ ଦିଆଯାଇଛି। ସେଥିମଧ୍ୟରୁ ମୁକୁନ୍ଦୁପୁର-୨, ସାଆଁଳା ଓ ନିଶଙ୍ଖପୁର ଆଦି ଘାଟରୁ ପ୍ରତିଦିନ ବାଲି ବୋଝେଇ ଗାଡ଼ି କଡ଼ମିଆଁ ଛକ ବାଟେ ଯାତାୟାତ କରୁଛି। ଘାଟରୁ କେବଳ ହାଲୁକା ଯାନରେ ବାଲି ପରିବହନ କରିବାର ନିୟମ ଥିବା ବେଳେ ପ୍ରତିଦିନ ଶତାଧିକ ଭାରୀଯାନ ଏହି ରାସ୍ତାରେ ଯାତାୟାତ କରିବା ଫଳରେ ଲୋକମାନେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି। ବୈତରଣୀ ବଜାର ନିକଟରେ ଥିବା ପ୍ରାଣକୃଷ୍ଣ କଲେଜକୁ ଏହି ରାସ୍ତାଦେଇ ଦୈନିକ ବହୁ ଛାତ୍ରଛାତ୍ରୀ ଯାଉଥିବା ବେଳେ ବୈତରଣୀ ଦମକଳ କେନ୍ଦ୍ର ଏବଂ କୋରେଇ ମେଡିକାଲକୁ ମଧ୍ୟ ଏହି ରାସ୍ତାଦେଇ ବହୁ ଲୋକ ଯିବା ଆସିବା କରିଥାନ୍ତି।
ଶତାଧିକ ହାଇୱା ଯିବା ଫଳରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଘାଟରୁ ପ୍ରତିଦିନ ଶହଶହ ସଂଖ୍ୟାରେ ଭାରୀଯାନ ଏହି ରାସ୍ତାଦେଇ ଭଦ୍ରକ, କେନ୍ଦୁଝର ଜିଲ୍ଲା ସହିତ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଉଛି। ଫଳରେ ରାସ୍ତାଟି ଭାଙ୍ଗିରୁଜି ସମ୍ପୂର୍ଣ୍ଣ ବିପର୍ଯ୍ୟନ୍ତ ହୋଇଛି। ତେଣୁ ଘାଟରୁ ଭାରୀଯାନ ଚଳାଚଳ ଉପରେ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ରୋକ୍ ଲଗାଇବା ସହିତ ଏକ ନିର୍ଦ୍ଦିଷ୍ଟ ସମୟ ଏବଂ ରାସ୍ତା ଦେଇ ବାଲିଗାଡ଼ି ଯିବା ଆସିବା କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି। ଖବର ପାଇ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝି ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହିତ ଭାରୀଯାନ ଚଳାଚଳ ଉପରେ ରୋକ ଲଗାଇବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
/sambad/media/post_attachments/wp-content/uploads/2022/04/11-13.jpg)
ଅଟକି ରହିଥିବା ବାଲି ବୋଝେଇ ଗାଡ଼ି ଗୁଡ଼ିକୁ ଯାଞ୍ଚ କରିବା ସହିତ ଓଭରଲୋଡ ଗାଡ଼ି ଗୁଡ଼ିକ ସମେତ ବାଲି ବୋଝେଇ ହୋଇଥିବା ଘାଟ ନିଲାମଧାରୀଙ୍କ ଠାରୁ ମଧ୍ୟ ତହସିଲ ପ୍ରଶାସନ ଜରିମାନା କରିଥିବା କୁହାଯାଉଛି। ତହସିଲଦାର ଶ୍ରୀ ମାଝିଙ୍କ ସମେତ ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ, ରଶ୍ମିତା ସେଠୀ, ତାରାକୋଟ ଆରଆଇ ସେବତୀ ବାନାରା, ମୁକୁନ୍ଦୁପୁର ଆରଆଇ ସୁଧିର ରଂଜନ ମଲିକ, କୋରେଇ ଥାନାଧିକାରୀ ଶ୍ରବଣ କୁମାର ମହାରଣା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ଗ୍ରାମବାସୀ ଧାରଣାରୁ ଉଠିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/13-9.jpg)