ବୈପାରିଗୁଡ଼ାରେ ଫିଲ୍ମ ନିର୍ମାତାଙ୍କ ହୀରା ମୁଦି ଚୋରି ଅଭିଯୋଗ, ୨ ଜଣ ଅଟକ

ବୈପାରିଗୁଡା: ଫିଲ୍ମ ସୁଟିଂ ନିମନ୍ତେ କ୍ଷେତ୍ର ପରିଦର୍ଶନ ପାଇଁ ଆସିଥିବା ଜନୈକ ଫିଲ୍ମ ନିର୍ମାତାଙ୍କର ହୀରା ମୁଦି ଚୋରି ହୋଇଥିବା ନେଇ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ୨ ଜଣକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, ବରଗଡ଼ ଜିଲ୍ଲା ବିଶିପଡ଼ା ଅଞ୍ଚଳର କେ. ତମନ୍ନା ଜଣେ ଫିଲ୍ମ ନିର୍ମାତା ଅଟନ୍ତି। ଆଦିବାସୀ ସଂସ୍କୃତିକୁ ନେଇ ଫିଲ୍ମ ନିର୍ମାଣ କରିବା ପାଇଁ ସେ କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲିବା ସହ ଫିଲ୍ମ ସୁଟିଂ ନିମନ୍ତେ ଉପଯୁକ୍ତ ସ୍ଥାନ ସନ୍ଧାନରେ ରହିଥିଲେ। ଏଦିଗରେ ତାଙ୍କୁ ସହଯୋଗ କରିବା ପାଇଁ ତାଙ୍କ ନିକଟରେ ୮ ମାସ ପୂର୍ବରୁ କାମ କରୁଥିବା ଯୁଗଳ କିଶୋର ଭତ୍ରା ମଧ୍ୟ ରହିଥିଲେ। କେ. ତମନ୍ନା କହିବା ଅନୁଯାୟୀ ସେ ନିଜ ହାତରେ ୩ଟି ମୁଦି ପିନ୍ଧିଥିଲେ। ସେଥିମଧ୍ୟରୁ ଗୋଟିଏ ହୀରା ମୁଦି ରହିଥିଲା। ୩ କେରଟରୁ ଅଧିକ ଓଜନର ଏହି ହୀରା ମୁଦିଟିର ଦାମ ୪୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପ୍ରକାଶ କରିବା ସହ ସେହି ମୁଦିଟିକୁ ନିଜ ବ୍ୟାଗରେ ରଖିଥିଲେ। ଅତ୍ୟଧିକ ଗରମ୍ ହେତୁ ହୀରା ମୁଦି ସମେତ ୨ଟି ମୁଦି ବ୍ୟାଗରେ ରଖିଥିବା ପ୍ରକାଶ କରିଛନ୍ତି।
ତେବେ ସେ ଯେତେବେଳେ ନିଜ ବ୍ୟାଗ ଖୋଲି ଦେଖିଲେ, ସେତେବେଳେ ହୀରା ମୁଦିଟି ନଥିଲା। ବ୍ୟାଗ୍ ଦାୟିତ୍ଵରେ ରହିଥିବା ଯୁଗଳ କିଶୋର ଭତ୍ରାକୁ ମୁଦି ସଂପର୍କରେ ପଚାରିବାରୁ ସେ ଏବାବଦରେ କିଛି ଜାଣିନଥିବା କହିଥିଲେ। ତେବେ ଗତ ୮ ମାସ ଧରି ଯୁଗଳ ସ୍ପଟ୍ ବୟ ହିସାବରେ କେ. ତମନ୍ନାଙ୍କ ନିକଟରେ କାମ କରିଆସୁଥିବାରୁ ଏବଂ ବର୍ତ୍ତମାନ ମୁଦି ସଂପର୍କରେ କିଛି ଜାଣିନଥିବା କହିବା ପରେ କେ. ତମନ୍ନାଙ୍କର ଯୁଗଳ ପ୍ରତି ସନ୍ଦେହ ସୃଷ୍ଟି ହୋଇଥିଲା। ଶେଷରେ ସେ ବାଧ୍ୟ ହୋଇ ପୁଲିସର ଆଶ୍ରୟ ନେଇଥିବା ପ୍ରକାଶ କରିଛନ୍ତି। ପୁଲିସ ଏତଲା ଗ୍ରହଣ କରିବା ସହ ଯୁଗଳ ସହ ଅନ୍ୟ ଜଣେ ଗାଡ଼ି ଡ୍ରାଇଭର ପ୍ରଫୁଲ୍ଲ କୁମାରକୁ ପୁଲିସ ଅଟକ ରଖି ତଦନ୍ତ ଜାରି ରଖିଛି।
ସମ୍ବନ୍ଧିତ ଖବର