ଡିମୁଣ୍ଡି ଗ୍ରାମବାସୀଙ୍କ ଉତ୍କଳ ଆଲୁମିନା ପ୍ଲାଣ୍ଟ ଘେରାଉ

ଟିକିରି : କାଶୀପୁର ବ୍ଲକ ସ୍ଥିତ ଉତ୍କଳ ଆଲୁମିନା ପ୍ଲାଣ୍ଟରୁ ନିର୍ଗତ ଧୂଆଁ, ଧୂଳି ସମେତ କୋଇଲା ଓ ବକ୍ସାଇଟ୍‌ ଗୁଣ୍ଡ ଗାଁ ଭିତରେ ପଶୁଥିବାରୁ ଜଳ ସହ ଖାଦ୍ୟ ପଦାର୍ଥ ଦୂଷିତ ହେଉଛି। ଏହି ଜଳ ଓ ଖାଦ୍ୟ ପଦାର୍ଥକୁ ବ୍ୟବହାର କରି ନିକଟସ୍ଥ ଡିମୁଣ୍ଡି ଗ୍ରାମବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ଅନ୍ୟତ୍ର ଥଇଥାନ କରିବାକୁ ଗ୍ରାମବାସୀ ବହୁବାର ଜିଲ୍ଲା ପ୍ରଶାସନ ଓ କଂପାନି କର୍ତୃପକ୍ଷଙ୍କୁ ଅବଗତ କରାଇଛନ୍ତି। ଏହାପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ସକାଳୁ ଡିମୁଣ୍ଡି ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଉତ୍କଳ ଆଲୁମିନା ପ୍ଲାଣ୍ଟକୁ ଘେରାଉ କରି ରଖିଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ କେହି ଏଥିପ୍ରତି ଗୁରୁତ୍ୱ ନଦେବା ପରିତାପର ବିଷୟ ବୋଲି ଗ୍ରାମର ଶଙ୍କର୍ଷଣ ନାଏକ, ପିତବାସ ନାଏକ, ପୁରନ୍ଦର ନାଏକଙ୍କ ସମେତ ଅନ୍ୟମାନେ କହିଛନ୍ତି। ଖବର ପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ, ପୁଲିସ ଏସଡିପିଓ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛନ୍ତି। ଏନେଇ ଉତ୍କଳ ଆଲୁମିନାର ମାନବ ସମ୍ବଳ ଅଧିକାରୀ ଟି.ଏମ ପ୍ରକାଶ ଓ ଜିଏମ(ପ୍ରଶାସନ, ସିଏସଆର) ରାକେଶ ମିଶ୍ରଙ୍କୁ ପଚାରିବାରୁ ପ୍ରଭାବିତ ଗ୍ରାମବାସୀଙ୍କୁ ଥଇଥାନ କରିବା ଆମ କ୍ଷମତା ନାହିଁ। କିନ୍ତୁ ଡିମୁଣ୍ଡି ଗ୍ରାମବାସୀଙ୍କ ଦାବି ସଂପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର