ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର ଆତ୍ମଦାହ ଘଟଣାକୁ ଇତିମଧ୍ୟରେ ୭ ମାସରୁ ଅଧିକ ସମୟ ବିତିଲାଣି। ଦୀନବନ୍ଧୁ ପରିବାରକୁ ମିଳିଲାନି ନ୍ୟାୟ। ବିଶ୍ବବିଦ୍ୟାଳୟର କ‌ୌଣସି ଅଧିକାରୀ ଦୀନବନ୍ଧୁଙ୍କ ପରିବାରକୁ ଭେଟି ସମବେଦନା ଜଣେଇବାକୁ ବି ଉଚିତ ମନେ କଲେନାହିଁ। ଏବେ ବିଶ୍ବବିଦ୍ୟାଳୟର କୁଳସଚିବ ଏବେ ଦୀନବନ୍ଧୁଙ୍କ ପରିବାରକୁ କ୍ବାର୍ଟର୍ସ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

Advertisment

ଗତ ୨୦ ଏପ୍ରିଲ ୨୦୨୧ରେ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ଅପମାନ ସହ୍ୟ କରିନପାରି ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର କୁଳପତିଙ୍କ ପ୍ରକୋଷ୍ଠ ସମ୍ମୁଖରେ ହିଁ ଆତ୍ମଦାହ କରିଥିଲେ। ଆତ୍ମଦାହ ପୂର୍ବରୁ ସେ ଲେଖିଥିବା ଚିଠି‌ରେ ସ୍ପଷ୍ଟ ଭାବେ ଏଥିପାଇଁ କୁଳପତି ପ୍ରଫେସର ସଂଜୀବ ମିତ୍ତଲ, ପିଇଓ ଅବିନାଶ କର ପ୍ରମୁଖଙ୍କୁ ଦାୟୀ କରିଥିଲେ। ଥାନାରେ ମାମଲାରେ ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ଅଧିକାରୀମାନେ ଏବେ ହାଇକୋର୍ଟରୁ ଆଗୁଆ ଜାମିନ ଆଣିଛନ୍ତି। ଏପଟେ ଦୀନବନ୍ଧୁଙ୍କୁ ପୁତ୍ର ଚାକିରି, କ୍ଷତିପୂରଣ ରାଶି ଆଦି ଦେବାକୁ ବି ଭୁଲିଗଲେ। ଦୀନବନ୍ଧୁଙ୍କ ପତ୍ନୀ ସ୍ମିତା ମିଶ୍ର ଗତ ୧ ନଭେମ୍ବର ଦିନ ଏସବୁ ଦାବି ନେଇ କୁଳସଚିବଙ୍କୁ ଚିଠି ଲେଖିଥିଲେ। ଦାବିପୂରଣ ନହେଲେ ଅନଶନ କରିବାକୁ ଚେତାବନୀ ଦେଇଥିଲେ। ତାଙ୍କ ଦାବିକୁ ସହୃଦୟତାର ସହିତ ପୂରଣ କରିବା ପରିବର୍ତ୍ତେ ବିଶ୍ବବିଦ୍ୟାଳୟ କୁଳସଚିବ ପାଲଟା ତୁରନ୍ତ କ୍ବାର୍ଟର୍ସ ଖାଲି କରିବା କିମ୍ବା ବଜାର ଦରରେ ଘରଭଡ଼ା ଦେବାକୁ ନିର୍ଦେଶ ଦେଇଛନ୍ତି।

ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇବା ପରେ ଦୀନବନ୍ଧୁଙ୍କ ପତ୍ନୀ ଓ ପୁଅ ଅଭାବ ଅନଟନ ମଧ୍ୟରେ କାଳାତିପାତ କରୁଥିବା ବେଳେ କ୍ଷତିପୂରଣ ରାଶି ଦେବା ପାଇଁ ବି ସର୍ତ୍ତ ରଖିଛନ୍ତି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ କୌଣସି ପଦକ୍ଷେପ ନନେବା ପାଇଁ ଅଣ୍ଡରଟେକିଂ ଲେଖିବା ପରେ କ୍ଷତିପୂରଣ ରାଶି ଦିଆଯିବ ବୋଲି କୁଳସଚିବ ଏହି ଚିଠିରେ ଉଲ୍ଲେଖ କରିଛନ୍ତି। ଏହାକୁ ଦୀନବନ୍ଧୁଙ୍କ ପତ୍ନୀ ସ୍ମିତା ଓ ପୁତ୍ର ଅଭିଷେକ ତୀବ୍ର ବିରୋଧ କରିଛନ୍ତି। ସମବେଦନା ଜଣେଇବା ବଦଳରେ କୁଳସଚିବ ଏଭଳି ଭୟ ଦେଖାଇବା ଘଟଣା ନେଇ ସେମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସାମାନ୍ୟତମ ମାନବିକତା ବି ଦେଖାଉନଥିବାରୁ ଆଗାମୀ ଦିନରେ କୁଳସଚିବଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବାକୁ ସ୍ମିତା ଆଜି ଲିଖିତ ଭାବେ କୁଳସଚିବଙ୍କୁ ଜଣେଇଛନ୍ତି।