ସମ୍ବଲପୁର: ଅପମାନ ସହ୍ୟ କରିନପାରି ଆତ୍ମଦାହ କରିଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ପରିବାରକୁ ଏ ପର୍ଯ୍ୟନ୍ତ ନ୍ୟାୟ ମିଳି ପାରିନାହିଁ। ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିଥିବା ଦୀନବନ୍ଧୁ ମିଶ୍ରଙ୍କ ପୁଅ ଅଭିଷେକ ମିଶ୍ର ଆଜି ସମ୍ବଲପୁର ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କଠାରୁ ନ୍ୟାୟ ମାଗିଛନ୍ତି। ଅଭିଷେକ କହିଛନ୍ତି, ମୋ’ ବାପାଙ୍କ ଆତ୍ମ‌ାହୁତି ଘଟଣାକୁ ୪ ବର୍ଷ ବିତିଗଲାଣି। ହେଲେ ଆଜି ପର୍ଯ୍ୟନ୍ତ ଆମକୁ ନ୍ୟାୟ ମିଳିପାରିଲା ନାହିଁ। ଏହି ଘଟଣା ପାଇଁ ଦାୟୀ ସମ୍ବଲପୁର ବିଶ୍ବବିଦ୍ୟାଳୟର ତତ୍କାଳୀନ କୁଳପତି ସଞ୍ଜୀବ ମିତ୍ତଲ, ପିଇଓ ଅବିନାଶ କର ଏବଂ ପ୍ରଫେସର ବିଶ୍ୱଜିତ ଶତପଥୀଙ୍କ ବିରୋଧରେ ଏତଲା ଦିଆଯିବା ପରେ ବି କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଆଜି ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ଦଣ୍ଡ ମିଳିପାରି ନାହିଁ। ବର୍ତ୍ତମାନର ରାଜ୍ୟ ସରକାର ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଯେଉଁମାନେ ଘଟଣା ପାଇଁ ଦାୟୀ, ସେମାନଙ୍କ ବିରୋଧରେ କଠୋର ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି। 

Advertisment

ଚାକିରି କିମ୍ବା ୧୫ ଲକ୍ଷ କ୍ଷତିପୂରଣ ବି ମିଳିନି
ନ୍ୟାୟ ପାଇଁ ଦାବି ଦୋହରାଇଲେ ଦୀନବନ୍ଧୁଙ୍କ ପୁଅ

ଅଭିଷେକ ମିଶ୍ର ଆହୁରି କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ଅଧିକାରୀଙ୍କ ଦ୍ୱାରା ଲମ୍ବା ସମୟ ଧରି ନିର୍ଯାତନା, ଅପମାନ ଓ ମାନସିକ ନିର୍ଯାତନା ହେତୁ ଗତ ୨୦ ଏପ୍ରିଲ ୨୦୨୧ରେ ତାଙ୍କ ବାପା କୁଳପତିଙ୍କ ପ୍ରକୋଷ୍ଠ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ଆତ୍ମଦାହ କରିଥିଲେ। ଏଭଳି ଚରମ ପଦକ୍ଷେପ ନେବା ପୂର୍ବରୁ ସେ ଏକ ଚିଠି ମଧ୍ୟ ଲେଖିଥିଲେ। କିନ୍ତୁ ଘଟଣା ଘଟିବାକୁ ୪ ବର୍ଷ ବିତିଥିଲେ ବି କୌଣସି ତଦନ୍ତ କିମ୍ବା ଦୋଷୀମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଦୀନବନ୍ଧୁଙ୍କ ଆତ୍ମଦାହକୁ ନେଇ ସେହି ସମୟରେ ବଡ଼ ଆନ୍ଦୋଳନ ହୋଇଥିଲା। ସେ ନିଜେ ମଧ୍ୟ ନ୍ୟାୟ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଓ କ୍ଷମତାରେ ଥିବା ବିଜେଡିର ନେତୃବର୍ଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟପକ୍ଷରେ ତତ୍କାଳୀନ ବରଗଡ଼ ସାଂସଦ (ବର୍ତ୍ତମାନର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ) ସୁରେଶ ପୂଜାରୀ ମଧ୍ୟ ତତ୍କାଳୀନ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ପତ୍ରଲେଖି ଦୀନବନ୍ଧୁ ମିଶ୍ରଙ୍କ ଆତ୍ମାହୁତି ଘଟଣାର ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ କରାଇବା ସହିତ ତାଙ୍କ ପରିବାରବର୍ଗଙ୍କୁ ନ୍ୟାୟ ଦେବାକୁ ଅନୁରୋଧ କରିଥିଲେ। ଏହା ସତ୍ତ୍ବେ ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆଗଲା ନାହିଁ କି ତାଙ୍କ ପରିବାରକୁ ନ୍ୟାୟ ମିଳିପାରିଲା ନାହିଁ। ବର୍ତ୍ତମାନ ବାଲେଶ୍ବର ଛାତ୍ରୀ ଆତ୍ମଦାହ ଘଟଣାର ତଦନ୍ତ ପାଇଁ ବିଜେପି ସରକାର ଯେମିତି ଗୁରୁତ୍ବ ଦେଉଛନ୍ତି, ସେଭଳି ମୋ ପିତାଙ୍କ ଆତ୍ମଦାହ ଘଟଣା ପ୍ରତି ଗୁରୁତ୍ବ ଦେଇ ଉଚ୍ଚସ୍ତରୀୟ ତଦନ୍ତ କରାନ୍ତୁ ବୋଲି ଅଭିଷେକ ଦାବି କରିଛନ୍ତି। ସେହି ସମୟରେ ଆନ୍ଦୋଳନ ଚାଲିଥିବାରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଦୀନବନ୍ଧୁଙ୍କ ପୁଅଙ୍କୁ ସ୍ଥାୟୀ ଚାକିରି ସହିତ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ, ୧୫ ଲକ୍ଷ ଟଙ୍କାରୁ ଏ ପର୍ଯ୍ୟନ୍ତ ମାତ୍ର ୬ ଲକ୍ଷ ଟଙ୍କା ମିଳିଛି, ତାଙ୍କୁ ସ୍ଥାୟୀ ଚାକିରି ମିଳିପାରି ନାହିଁ ବୋଲି ଅଭିଷେକ କହିଛନ୍ତି।