ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ମାମଲା: କୁଳପତିଙ୍କ ସମେତ ୩ ଅଭିଯୁକ୍ତଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ମାମଲାରେ କୁଳପତି ପ୍ରଫେସର ସଂଜୀବ ମିତ୍ତଲ, ୱାର୍ଡେନ ପ୍ରଫେସର ବିଶ୍ବଜିତ ଶତପଥୀ ଓ ପିଇଓ ଅଭିଷେକ କରଙ୍କ ପାଇଁ ଅଡ଼ୁଆ ବଢ଼ିଛି। ସମ୍ବଲପୁର ଦୌରା ଜଜ୍‌ଙ୍କ ଅଦାଲତରେ ଆଗୁଆ ଜାମିନ ଆବେଦନ ନାମୁଂଜର ହୋଇଯାଇଛି। ଓଡ଼ିଶା ହାଇକୋର୍ଟ ୩ ସପ୍ତାହ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ଦେଇଥିବାବେଳେ ଅନ୍ତିମ ଦିନରେ ଏହି ରାୟ ଆସିଥିବାରୁ ସେମାନଙ୍କ ଗିରଫ ହେବାର ସମ୍ଭାବନାକୁ ଏଡ଼େଇ ଦିଆଯାନପାରେ।

ପ୍ରାପ୍ତ ସୂଚନା ଅନୁସାରେ, ଗତ ୨୦ ମାର୍ଚ୍ଚରେ ଦୀନବନ୍ଧୁ ମିଶ୍ର ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ସଂଜୀବ ମିତ୍ତଲଙ୍କ ପ୍ରକୋଷ୍ଠ ସମ୍ମୁଖରେ ଆତ୍ମଦାହ କରିଥିଲେ। ଆତ୍ମଦାହ ପୂର୍ବରୁ ସେ ବିଶ୍ବବିଦ୍ୟାଳୟର କୁଳସଚିବଙ୍କୁ ଏକ ପତ୍ର ଲେଖି କୁଳପତି ତାଙ୍କୁ ଅପମାନିତ କରିଥିବା ଉଲ୍ଲେଖ କରିଥିଲେ। କୁଳପତି ତାଙ୍କୁ କ୍ଷମା ନମାଗିଲେ ସେ ଆତ୍ମହତ୍ୟା କରିବେ ଏବଂ ତାଙ୍କ ଆତ୍ମହତ୍ୟା ପାଇଁ କୁଳପତି ପ୍ରଫେସର ସଂଜୀବ ମିତ୍ତଲ, ୱାର୍ଡେନ ପ୍ରଫେସର ବିଶ୍ବଜିତ ଶତପଥୀ ଓ ପିଇଓ ଅଭିଷେକ କର ଦାୟୀ ରହିବେ ବୋଲି ସେ ସ୍ପଷ୍ଟ ଭାବେ ଚିଠିରେ ଲେଖିଥିଲେ।

ଶରୀରରେ ନିଆଁ ଲଗାଇବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭିମ୍‌ସାରକୁ ନିଆଯାଇଥିଲା। ସେଠାରେ ଡାକ୍ତର, ନର୍ସ, ବିଶ୍ୱବିଦ୍ୟାଳୟ କର୍ମଚାରୀ ଏବଂ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଜମାନବନ୍ଦୀ ନିଆଯାଇଥିଲା। ଦୀନବନ୍ଧୁଙ୍କ ପୁଅଙ୍କ ଏତଲା ଆଧାରରେ ବୁର୍ଲା ଥାନା ପୁଲିସ ଉପରୋକ୍ତ ୩ ଜଣଙ୍କ ବିରୋଧରେ ଆଇପିସି ଧାରା ୩୦୬, ୩୪ରେ ଏକ ମାମଲା ରୁଜୁ କରିଥିଲେ। ଦୀନବନ୍ଧୁଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ମଚାରୀ ସଂଘ ଆନ୍ଦୋଳନ ଓହ୍ଲାଇବା ଏବଂ ସମ୍ବଲପୁର ବିଭିନ୍ନ ବର୍ଗର ଲୋକେ ଆନ୍ଦୋଳନକୁ ସମର୍ଥନ କରିବା ପରେ କୁଳପତିଙ୍କ ଉପରେ ଚାପ ପଡ଼ିଥିଲା। ଗିରଫ ହେବାରୁ ବର୍ତ୍ତିବା ପାଇଁ ତିନିଜଣ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଓଡ଼ିଶା ହାଇକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ୩ ସପ୍ତାହ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବା ସହିତ ସମ୍ବଲପୁର ଦୌରା ଅଦାଲତ ଏହି ଅବଧି ମଧ୍ୟରେ ଜାମିନ ଆବଦେନ କରିବାକୁ ଆଦେଶ ଦେଇଥିଲେ। ଆବଶ୍ୟକସ୍ଥଳେ ଦୌରା ଅଦାଲତଙ୍କ ଆଦେଶ ବିରୋଧରେ ହାଇକୋର୍ଟରେ ଅପିଲ୍ କରିପାରିବେ ବୋଲି ରାୟ ଦେଇଥିଲେ।

ଅନ୍ତରୀଣ ସୁରକ୍ଷା ଅବଧିର ଅନ୍ତିମ ଦିନରେ ସୋମବାର ଦୌରା ଅଦାଲତରେ ସେମାନେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ଦୌରା ଜଜ୍ ଦାୟିତ୍ବରେ ଥିବା ସମ୍ବଲପୁର ଭିଜିଲାନସ୍‌ ଜଜ୍ ଆର୍‌.କେ.ପାତ୍ର ଏହି ମାମଲାର କେସ୍‌ ଡାଏରି ମଗାଇଥିଲେ। କେସ୍‌ ଡାଏରି ଯାଂଚ ପରେ ୩ ଜଣଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିବା ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଆର୍ତ୍ତତ୍ରାଣ ମିଶ୍ର ଓ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସବିର ଅହମଦ ସୂଚନା ଦେଇଛନ୍ତି। ଅଗ୍ରିମ ଜାମିନ ଆବଦେନ ଖାରଜ ହୋଇଯାଇଥିବା ବେଳେ ସୋମବାର ଅନ୍ତରୀଣ ସୁରକ୍ଷା ଅବଧି ମଧ୍ୟ ଶେଷ ହୋଇଯାଇଛି। ଏଭଳି ସ୍ଥିତିରେ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ପୁଲିସ ପାଇଁ କୌଣସି ସମସ୍ୟା ହେବ ନାହିଁ। ତେବେ, ଏହି ମାମଲାରେ ପୁଲିସ ଆରମ୍ଭରୁ ଯେତିକି ତତ୍ପରତା ଦେଖାଇବା କଥା ଦେଖାଇ ନାହିଁ। ଆତ୍ମଦାହ ପୂର୍ବରୁ ଚିଠି, ମୃତ୍ୟୁକାଳୀନ ଜମାନବନ୍ଦୀ ଭଳି ଠୋସ୍‌ ପ୍ରମାଣ ଥିବା ସତ୍ତ୍ବେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ କୁଣ୍ଠା ପ୍ରକାଶ କରୁଛି।

ଏ ସଂକ୍ରାନ୍ତରେ ନିଖିଳ ଭାରତ ବିଶ୍ବବିଦ୍ୟାଳୟ କର୍ମଚାରୀ ମହାସଂଘର ସଭାପତି ତଥା ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆଇନକୁ ତା’ ବାଟରେ ଯିବାକୁ ଦିଆଯାଉ। ଗତ ଏକ ମାସ ହେଲା ପୁଲିସର ତଦନ୍ତ ମନ୍ଥର ଗତିରେ ଚାଲିଥିଲା। ଦୁଇଦିନ ହେଲା ପୁଲିସ ସକ୍ରିୟ ହୋଇଛି। ଦୌରା ଅଦାଲତଙ୍କ ଆଜିର ରାୟ ସ୍ବାଗତଯୋଗ୍ୟ। ଅଭିଯୁକ୍ତମାନଙ୍କୁ ପୁଲିସ ତୁରନ୍ତ ଗିରଫ କରି ନିଜର ନିରପେକ୍ଷତା ଓ ସ୍ବଚ୍ଛତାର ପ୍ରମାଣ ଦେଉ ବୋଲି ସେ କହିଛନ୍ତି। ବିଶ୍ବବିଦ୍ୟାଳୟ କର୍ମଚାରୀ ସଂଘର ସଭାପତି ତଥା ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ କହିଛନ୍ତି, ପୁଲିସ ଏହି ମାମଲାରେ ଏପର୍ଯ୍ୟନ୍ତ ନିଜର ସ୍ବାଭାବିକ କାର୍ଯ୍ୟ କରିନାହିଁ। ପୁଲିସ ଏବେ ନିଜ କାମ କରିବା କଥା। ପୁଲିସ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରୁ ବୋଲି ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର