ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ଘଟଣାରେ ସିଣ୍ଡିକେଟ ବୈଠକର ନିଷ୍ପତ୍ତିକୁ ନେଇ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସିଣ୍ଡିକେଟ ବୈଠକର ନିଷ୍ପତ୍ତି ଦୀନବନ୍ଧୁଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ନୁହେଁ, ବରଂ ମୁଖ୍ୟ ଅଭିଯୁକ୍ତ କହାଯାଉଥିବା କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ମତପ୍ରକାଶ ପାଇଛି। ଅପରପକ୍ଷରେ କୁଳପତିଙ୍କୁ ଗିରଫ କରାନଯିବା ପ୍ରସଂଗରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି।
ସମ୍ବଲପୁର ବିଶ୍ବବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ଘଟଣା ହୃଦୟ ବିଦାରକ। ସଭ୍ୟ ସମାଜର ଆଖି ଖୋଲିବା ପାଇଁ ଏହା ଏକ ବଡ଼ ଉଦାହରଣ ବୋଲି କହିବା ସହିତ ବିଶ୍ବବିଦ୍ୟାଳୟ କୁଳପତି ସଂଜୀବ ମିତ୍ତଲଙ୍କ ଅଧ୍ୟକ୍ଷତାରେ ବସିଥିବା ସିଣ୍ଡିକେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ ରେଢ଼ାଖୋଲ ବିଧାୟକ ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ଇଂ.ରୋହିତ ପୂଜାରୀ ପ୍ରଶ୍ନ ଉଠାଇଛନ୍ତି। ଜଣେ ସନ୍ଦିଗ୍ଧ ଅଭିଯୁକ୍ତ(ପ୍ରଫେସର ମିତ୍ତଲ) କିଭଳି ଭାବେ ଦୀନବନ୍ଧୁଙ୍କ ପରିବାରକୁ ନ୍ୟାୟ ଦେଇପାରିବେ ? ଗୁରୁତର ଅବସ୍ଥାରେ ଦୀନବନ୍ଧୁଙ୍କୁ ଡାକ୍ତରଖାନା ନିଆଯିବା ବେଳେ ଦିଆଯାଇଥିବା ଖର୍ଚ୍ଚକୁ କିଭଳି ଭାବରେ ତାଙ୍କ ପରିବାର ପାଇଁ ପ୍ରସ୍ତାବ ଦିଆଯାଇଥିବା ଅନୁକମ୍ପା ରାଶିରୁ ବାଦ ଦିଆଯିବ। ଏହା ଦୀନବନ୍ଧୁଙ୍କ ପରିବାରକୁ ନ୍ୟାୟ ପ୍ରଦାନ ନୁହେଁ, ବରଂ ‘ଦିନରେ ଲଣ୍ଠନ ଦେଖାଇବା ସଦୃଶ’ ବୋଲି ଇଂ. ପୂଜାରୀ କହିଛନ୍ତି। ତେଣୁ ରାଜ୍ୟପାଳ ତଥା କୁଳାଧିପତି ଏହି ଘଟଣାରେ ହସ୍ତକ୍ଷେପ କରି ପ୍ରଫେସର ମିତ୍ତଲଙ୍କୁ ବାଦ୍ ଦେଇ ଅନ୍ୟ କୌଣସି କୁଳପତି କିମ୍ବା ତତ୍ସମକକ୍ଷ ବ୍ୟକ୍ତିତ୍ବକୁ ନିଯୁକ୍ତି ଦେଇ ପୁନଃ ସିଣ୍ଡିକେଟ ବୈଠକ ବସାନ୍ତୁ। ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏଥି ସହିତ ଦୀନବନ୍ଧୁଙ୍କ ପରିବାର ପାଇଁ ପୂର୍ବ ବୈଠକରେ କରାଯାଇଥିବା ଅନୁକମ୍ପାରାଶିକୁ ବୃଦ୍ଧି, ତାଙ୍କ ପୁଅଙ୍କୁ ବିଶ୍ବବିଦ୍ୟାଳୟରେ ସ୍ଥାୟୀ ନିଯୁକ୍ତି ଦିଆଯାଉ ବୋଲି ସେ ଅନୁରୋଧ କହିଛନ୍ତି।
ଅପରପକ୍ଷରେ ପୂର୍ବତନ ସିଣ୍ଡିକେଟ ସଦସ୍ୟ ଦୁର୍ଗା ପାଢ଼ୀ ମଧ୍ୟ କୁଳାଧିପତିଙ୍କୁ ପତ୍ର ଲେଖିଛନ୍ତି। ସିଣ୍ଡିକେଟ ବୈଠକରେ ଦୀନବନ୍ଧୁଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ନୁହେଁ, ବରଂ ମୁଖ୍ୟ ଅଭିଯୁକ୍ତ କହାଯାଉଥିବା ପ୍ରଫେସର ମିତ୍ତଲଙ୍କୁ ବଞ୍ଚାଇବା ପାଇଁ ପୂର୍ଣ୍ଣ ଚେଷ୍ଟା କରାଯାଇଛି। ଦୀନବନ୍ଧୁଙ୍କ ମୃତ୍ୟୁ ପାଇଁ ପ୍ରଫେସର ମିତ୍ତଲ ସଂପୂର୍ଣ୍ଣ ଭାବେ ଦାୟୀ। ତେଣୁ, ତାଙ୍କୁ ଶୀଘ୍ର ବହିଷ୍କାର କରିବାକୁ କୁଳାଧିପତିଙ୍କୁ ଅନୁରୋଧ କରିଛନ୍ତି। ଏହି ଘଟଣାରେ ଶ୍ରୀ ପାଢ଼ୀ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି। ପ୍ରଫେସର ମିତ୍ତଲଙ୍କୁ ଗିରଫ କରିବାକୁ ଶ୍ରୀ ପାଢ଼ୀ ପୁଲିସ ପ୍ରଶାସନ ନିକଟରେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/dinabandhu-mishra.jpg)