ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ମାମଲା: ହାଇକୋର୍ଟରୁ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି, ୱାର୍ଡେନ୍ ଓ ପିଇଓଙ୍କୁ ଅନ୍ତରୀଣ ସୁରକ୍ଷା

କେସ୍ ଡାଏରି ଦାଖଲ ନିର୍ଦ୍ଦେଶ

କଟକ: ସମ୍ବଲପୁର ବିଶ୍ବବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ଘଟଣା ନେଇ ବୁର୍ଲା ଥାନାରେ ରୁଜୁ ମାମଲାରେ କୁଳପତି ପ୍ର‌‌‌ଫେସର ଡକ୍ଟର ସଂଜୀବ ମିତ୍ତଲ,  ୱାର୍ଡେନ ପ୍ରଫେସର ବିଶ୍ବଜିତ ଶତପଥୀ ଓ ପିଇଓ ଅଭିଷେକ କରଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଛି। ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତିନି ଆବେଦନକାରୀଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଆବେଦନକାରୀମାନେ ତଦନ୍ତରେ ସହଯୋଗ କରିବେ ବୋଲି ହାଇକୋର୍ଟ କହିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ସରକାରଙ୍କୁ କେସ୍ ଡାଏରି ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ କୁଳପତି ଡକ୍ଟର ମିତ୍ତଲ, ୱାର୍ଡେନ୍ ଶ୍ରୀ ଶତପଥୀ ଓ ପିଇଓ ଶ୍ରୀ କରଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୧୧କୁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ମାର୍ଚ୍ଚ ୨୦ ତାରିଖ ଦିନ ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ମଚାରୀ ଦୀନବନ୍ଧୁ ମିଶ୍ର କୁଳପତିଙ୍କ ପ୍ରକୋଷ୍ଠ ସମ୍ମୁଖରେ ଆତ୍ମଦାହ କରିଥିଲେ। ଆତ୍ମଦାହ କରିବା ପୂର୍ବରୁ କୁଚସଚିବଙ୍କୁ ଏକ ଚିଠି ଲେଖି କୁଳପତି ତାଙ୍କୁ ଅପମାନିତ କରିଥିବା ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ଦେଇଥିଲେ। କୁଳପତି କ୍ଷମା ନମାଗିଲେ ସେ ଆତ୍ମହତ୍ୟା କରିବେ, ଆଉ ଯଦି ସେ ଆତ୍ମହତ୍ୟା କରନ୍ତି, ତାହେଲେ କୁଳପତି ପ୍ର‌‌‌ଫେସର ମିତ୍ତଲଙ୍କ ସହିତ ୱାର୍ଡେନ ପ୍ରଫେସର ବିଶ୍ବଜିତ ଶତପଥୀ, ପିଇଓ ଅଭିଷେକ କର ସଂପୂର୍ଣ୍ଣ ଭାବେ ଦାୟୀ ହେବେ ବୋଲି ଏହି ଚିଠିରେ  ଦୀନବନ୍ଧୁ ସ୍ପଷ୍ଟ ଭାବ‌େର ଉଲ୍ଲେଖ କରିଥିଲେ।
ଏପଟେ ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରାଇଥି‌ଲା। ୨୧ ତାରିଖ ଦିନ ଦୀନବନ୍ଧୁଙ୍କ ପୁଅ ଅଭିଷେକଙ୍କ ଏତଲାକ୍ରମେ ଆଇପିସି ଦଫା ୩୦୬, ୩୪ରେ ବୁର୍ଲା ଥାନା ଏ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହାପରେ କୁଳପତି ଡକ୍ଟର ମିତ୍ତଲ, ୱାର୍ଡେନ୍ ଶ୍ରୀ ଶତପଥୀ ଓ ପିଇଓ ଶ୍ରୀ କର ଆଗୁଆ ଜାମିନ ଲୋଡ଼ି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମେ ୩ରେ ହାଇକୋର୍ଟ ଏ ସଂପର୍କିତ  ଆଗୁଆ ଜାମିନ ଆବେଦନର ଶୁଣାଣି କରି ତିନି ସପ୍ତାହ ପାଇଁ ତିନି ଆବେଦନକାରୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ। ଆଗୁଆ ଜାମିନ ପାଇଁ ଦୌରା ଅଦାଲତରେ ଆବେଦନ ଦାୟର କରିବା ପାଇଁ ଆବେଦନକାରୀଙ୍କୁ ଏପରି ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଯାଇଥିଲା।
ତିନି ସପ୍ତାହର ଅନ୍ତରୀଣ ସୁରକ୍ଷା ଅବଧି‌ ଶେଷ ହେବା ପୂର୍ବରୁ ଦୌରା ଅଦାଲତ ଏହି ଏ ସଂପର୍କିତ ଆଗୁଆ ଜାମିନ ଶୁଣାଣି କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କୁଳପତି ଡକ୍ଟର ମିତ୍ତଲ, ୱାର୍ଡେନ୍ ଶ୍ରୀ ଶତପଥୀ ଓ ପିଇଓ ଶ୍ରୀ କର ଆଗୁଆ ଜାମିନ ଲୋଡ଼ି ସମ୍ବଲପୁର ଦୌରା ଅଦାଲତରେ ଆବେଦନ କରିଥିଲେ। ମେ ୨୪ରେ ଏ ସଂପର୍କିତ ଆଗୁଆ ଜାମିନ ଖାରଜ ହେବା ପରେ କୁଳପତି ଡକ୍ଟର ମିତ୍ତଲ, ୱାର୍ଡେନ୍ ଶ୍ରୀ ଶତପଥୀ ଓ ପିଇଓ ଶ୍ରୀ କର ଦ୍ବିତୀୟ ଥର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରଛନ୍ତି।।
ସମ୍ବନ୍ଧିତ ଖବର