ଦୀନବନ୍ଧୁ ମିଶ୍ର ଆତ୍ମଦାହ ପ୍ରସଂଗ: କୁଳପତିଙ୍କ ବିରୋଧରେ ରାଜନେତା-ବୁଦ୍ଧିଜୀବୀ ଏକଜୁଟ୍

ଜୋର ଧରିଲା ବିଚାର ବିଭାଗୀୟ ତଦନ୍ତ ଦାବି, କୁଳପତିଙ୍କୁ ଛୁଟିରେ ପଠାଯାଉ

ସମ୍ବଲପୁର : ଆତ୍ମଦାହ କରିଥିବା ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଚାଲିଥିବା ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି ଅଂଚଳର ବୁଦ୍ଧିଜୀବୀ ଆଉ ରାଜନେତା। ସମସ୍ତେ ଗୋଟିଏ ସ୍ବରରେ କୁଳପତିଙ୍କୁ ଛୁଟିରେ ପଠାଯିବା ସହିତ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି।

ଗତ ୨୦ ତାରିଖ ଦିନ ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ମଚାରୀ ଦୀନବନ୍ଧୁ ମିଶ୍ର କୁଳପତିଙ୍କ ପ୍ରକୋଷ୍ଠ ସମ୍ମୁଖରେ ଆତ୍ମଦାହ କରିଥିଲେ। ଏଭଳି ଘଟଣା ଭାରତର ବିଶ୍ବବିଦ୍ୟାଳୟ ଇତିହାସରେ ଆଗରୁ କେବେ ଘଟିନଥିଲା। ଦୀର୍ଘ ୨୭ ବର୍ଷ ହେଲା ସ୍ଥାୟୀ ନିଯୁକ୍ତି ପାଇଁ ସଂଗ୍ରାମ କରିଆସୁଥିବା ଦୀନବନ୍ଧୁ କୁଳପତି ସଂଜୀବ ମିତ୍ତଲଙ୍କ ଦ୍ବାରା ଅପମାନିତ ହୋଇ ଆତ୍ମଦାହ କରିଥିବା ବେଳେ ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଲଢ଼େଇ କରୁଥିବା ଅନ୍ୟ କର୍ମଚାରୀମାନଙ୍କୁ ଦରମା ବନ୍ଦ କରାଯିବାର ଧମକ ଦିଆଯାଉଛି। ଏହା କଦାପି ବରଦାସ୍ତଯୋଗ୍ୟ ନୁହେଁ ବୋଲି ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରଶାସନିକ ଭବନ ସମ୍ମୁଖରେ ବୁଧବାର ଅନୁଷ୍ଠିତ ପ୍ରତିବାଦ ସଭାରେ ଅଧ୍ୟକ୍ଷତା କରି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି। କେବଳ ସେତିକି ନୁହେଁ, ବୁଧବାର ସନ୍ଧ୍ୟାରେ ପ୍ରତିବାଦ ସଭାର ନିଷ୍ପତ୍ତି ସଂପର୍କରେ ରାଜ୍ୟପାଳ ତଥା କୁଳାଧିପତି, ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀଙ୍କୁ ଟ୍ବିଟ୍‌ କରିଛନ୍ତି।

ସଭାରେ ଉପସ୍ଥିତ ସମସ୍ତ ବିଜେଡି, ବିଜେପି ଓ କଂଗ୍ରେସ ନେତା ସାଂଗଙ୍କ ସିଭିଲ୍ ସୋସାଇଟିର ନେତାମାନେ କୁଳପତି ପ୍ରଫେସର ମିତ୍ତଲଙ୍କୁ ଛୁଟିରେ ପଠାଯିବା ଏବଂ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଏକ ସ୍ବରରେ ଦାବି କରିଥିବା ସଂକ୍ରାନ୍ତରେ ଅବଗତ କରିଛନ୍ତି। ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସାଧୁଚରଣ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ, ପୂର୍ବତନ ସାଂସଦ ତଥା ଅଖିଳ ଭାରତୀୟ ବିଶ୍ବବିଦ୍ୟାଳୟ କର୍ମଚାରୀ ମହାସଂଘର ସଭାପତି ଭବାନୀଶଙ୍କର ହୋତା, ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ମଚାରୀ ସଂଘର ସଭାପତି ତଥା ସମ୍ବଲପୁର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ, ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତି ଡ.ପ୍ରମୋଦ ରଥ, ସାଧାରଣ ସଂପାଦକ ରବି ପୂଜାରୀ, ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ, ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ ଗୁରୁ, ବରଗଡ଼ ଜିଲ୍ଲା ବିଜେପି ସଭାପତି ଅଶ୍ବିନୀ ଷଡ଼ଂଗୀ, ବରଗଡ଼ର ବରିଷ୍ଠ ଆଇୀବୀ ସୁରେଶ ଶତପଥୀ, ଶିକ୍ଷାବିତ ଭକ୍ତ ପ୍ରସାଦ ନନ୍ଦ, ବରିଷ୍ଠ ସାମ୍ବାଦିକ ଶିବ ନନ୍ଦଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ରାଜ‌ନୈତିକ କର୍ମୀ ସାମିଲ ହୋଇଥିଲେ।

କେବଳ ଦୀନବନ୍ଧୁ ନୁହନ୍ତି, ବିଶ୍ବବିଦ୍ୟାଳୟ ଅନ୍ୟ କର୍ମଚାରୀମାନେ ମଧ୍ୟ ଦୁର୍ବ୍ୟବହାର ସମ୍ମୁଖୀନ ହେଉଛନ୍ତି। ବିଶ୍ବବିଦ୍ୟାଳୟର ବିଭିନ୍ନ କାର୍ଯ୍ୟର ବ୍ୟାପକ ଅନିୟମିତତା ଚାଲିଛି ବୋଲି ଅଭି‌ଯୋଗ ଆଣିଥିଲେ। କେବଳ ସେତିକି ନୁହେଁ, ଆତ୍ମହତ୍ୟା ପୂର୍ବରୁ ଚିଠି, ମୃତ୍ୟୁ ପୂର୍ବର ଜମାନବନ୍ଦୀ ଭଳି ପ୍ରମାଣ ସତ୍ତ୍ବେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରାନଯାଇ ହାଇକୋର୍ଟରୁ ଜାମିନ ଆଣିବା ପାଇଁ ସୁଯୋଗ ଦିଆଯାଉଥିବା କହି ବକ୍ତାମାନେ ପୁଲିସ ପ୍ରଶାସନର ତୀବ୍ର ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର