ସିଣ୍ଡିକେଟ୍ ବୈଠକରେ କୁଳପତିଙ୍କ ଅଧ୍ୟକ୍ଷତାକୁ ନେଇ ଅସନ୍ତୋଷ
ଶିକ୍ଷା ସଚିବଙ୍କ ପ୍ରତିଶ୍ରୁତି ରଖାଯାଇନି
ସମ୍ବଲପୁର : କଥାରେ କୁହାଯାଏ, ମାରିେବ ଯିଏ..ତାରିେବ ସିଏ! ଏହା କେଉଁ ପରିପ୍ରେକ୍ଷୀରେ କୁହାଯାଇଥାଏ, ତାହା ଭିନ୍ନ କଥା। ମାତ୍ର, ସମ୍ବଲପୁର ବିଶ୍ବବଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମହତ୍ୟା ଘଟଣାରେ ଏହା ଊଣାଅଧିକେ ସତ ବୋଲି ଆଲୋଚନା ହେଉଛି। ଅର୍ଥାତ୍, ଯାହାଙ୍କ ନାମରେ ଅଭିଯୋଗ କରି କର୍ମଚାରୀ ଜଣକ ଆତ୍ମହତ୍ୟା କଲେ, ଏବେ ସେ ତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ବିଚାର କରୁଛନ୍ତି। ଆଜି ଦୀନବନ୍ଧୁଙ୍କ ମୃତ୍ୟୁ ପରିପ୍ରେକ୍ଷୀରେ ଅନୁଷ୍ଠିତ ସିଣ୍ଡିକେଟ୍ ବୈଠକରେ କୁଳପତି ସଞ୍ଜୟ ମିତ୍ତଲ ଅଧ୍ୟକ୍ଷତା କରିବା ଘଟଣାରୁ ଏହା କୁହାଯାଉଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ସିଣ୍ଡିକେଟ୍ ବୈଠକରେ କୁଳପତି ଉପସ୍ଥିତ ରହିବେନାହିଁ ଉଚ୍ଚଶିକ୍ଷା ବିଭାଗ ସଚିବ କହିଥିଲେ ମଧ୍ୟ ତାହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ସମ୍ବଲପୁରରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ବ୍ଲେଣ୍ଡେଡ୍ ମୋଡ୍ (ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍)ରେ ହୋଇଥିବା ଏହି ବୈଠକରେ କେବଳ କୁଳପତି ଓ ଜଣେ ସଦସ୍ୟଙ୍କୁ ଛାଡ଼ି ଅନ୍ୟ କେହି ସଭାଗୃହରେ ଉପସ୍ଥିତ ନଥିଲେ। ଉଚ୍ଚ ଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ସିଣ୍ଡିକେଟ୍ର ଏକ୍ସ-ଅଫିସିଓ ସଦସ୍ୟ ହୋଇଥିଲେ ବି ବୈଠକରେ ସାମିଲ ହୋଇ ନଥିଲେ। ଦୀନବନ୍ଧୁ ନିଜ ମୃତ୍ୟୁକାଳୀନ ଜମାନବନ୍ଦୀରେ ଯେଉଁମାନଙ୍କ ନାମରେ ଅଭିଯୋଗ କରିଥିଲେ ସେମାନଙ୍କ ମଧ୍ୟରୁ କେହି ବୈଠକରେ ଉପସ୍ଥିତ ରହିବେ ନାହିଁ ବୋଲି ଗତ ୨୧ରେ ହୋଇଥିବା ଆନ୍ଦୋଳନରେ ପ୍ରଶାସନ ଓ ଉଚ୍ଚଶିକ୍ଷା ସଚିବ ପ୍ରତିଶ୍ରୁତି ଦେଇଥିଲେ ବି ତାହା ରଖାଯାଇ ନଥିଲା। କୁଳପତି ପ୍ର. ମିତ୍ତଲଙ୍କ ନଁାରେ ଅଭିଯୋଗ ଥିଲେ ବି ସେ ନିଜେ ବୈଠକରେ ଅଧ୍ୟକ୍ଷତା କରିଥିଲେ। କର୍ମଚାରୀ ସଂଘର ସଭାପତିଙ୍କୁ ତାଙ୍କ ପକ୍ଷ ରଖିବା ପାଇଁ ଏହି ସ୍ବତନ୍ତ୍ର ବୈଠକରେ ସାମିଲ କରାଯିବ ବୋଲି କୁହାଯାଇଥିଲେ ବି ତାଙ୍କୁ ନିମନ୍ତ୍ରିତ କରାଯାଇ ନଥିଲା।
ଛାଉଣିରେ ହୋଇଥିବା ଏହି ବୈଠକରେ କୌଣସି ବି ନିଷ୍ପତ୍ତି ଦୀନବନ୍ଧୁ ବା ତାଙ୍କ ପରିବାରକୁ ନ୍ୟାୟ ଦେଲା ଭଳି ହୋଇନଥିବା କୁହାଯାଉଛି।
ଅନ୍ୟପକ୍ଷରେ, ସିଣ୍ଡିକେଟ୍ର ବୈଠକ ଓ ନିଷ୍ପତ୍ତିକୁ ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ମଚାରୀ ସଂଘ ଦୃଢ଼ ନିନ୍ଦା ଓ ପ୍ରତ୍ୟାଖ୍ୟାନ କରିଛି। ସଂଘର କାର୍ଯ୍ୟକାରୀ କମିଟି ବୈଠକ ପରେ ଏ ସଂପର୍କରେ ସୂଚନା ଦେଇ ସଭାପତି ତଥା ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀ କହିଛନ୍ତି ଯେ ସିଣ୍ଡିକେଟ୍ର ନିଷ୍ପତ୍ତି ଆମ ପ୍ରତି ଓ ସ୍ବର୍ଗତ ଦୀନବନ୍ଧୁଙ୍କ ପରିବାର ପ୍ରତି ପ୍ରତାରଣା। ଗତ ବୁଧବାର ଦିନ ଦୀନବନ୍ଧୁଙ୍କ ମରଶରୀର ସାମ୍ନାରେ ଯେଉଁ ଆଲୋଚନା ଓ କଥାବାର୍ତ୍ତା ହୋଇଥିଲା ସେଥିରୁ କୌଣସି ଗୋଟିଏ କଥା ରଖାଯାଇ ନାହିଁ କି ଦାବିକୁ ପୂରଣ କରାଯାଇ ନାହିଁ।
ଏ ସଂପର୍କରେ ପ୍ରତିକ୍ରିୟା ରଖି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ କହାଯାଇଛି ଯେ ଯେଉଁ ବ୍ୟକ୍ତି ନାମରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଧାରା ୩୦୬ରେ ମାମଲା ରହିଛି ତାଙ୍କୁ ଗିରଫ କି ପଚରାଉଚରା କରିବା ତ ଦୂରର କଥା, ପୀଡ଼ିତଙ୍କୁ ନ୍ୟାୟ ଦେବାକୁ ହୋଇଥିବା ସିଣ୍ଡିକେଟ୍ ବୈଠକରେ ତାଙ୍କୁ ସଭାପତି କରାଯାଉଛି।
ଏନ୍ଏଫ୍ଆଇଟିୟୁର ଓଡ଼ିଶା ସଭାପତି ପ୍ରଶାନ୍ତ ପାଢ଼ୀ କହିଛନ୍ତି ଯେ କୁଳପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଣ୍ଡିକେଟ୍ ବୈଠକ ଦୀନବନ୍ଧୁଙ୍କ ପରିବାରକୁ ନ୍ୟାୟ ଦେଇ ପାରିନାହିଁ। କାଳବିଳମ୍ବ ନକରି ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯାଉ। ତୁରନ୍ତ କୁଳପତିଙ୍କୁ ବରଖାସ୍ତ କରିବା ସହ ତାଙ୍କ ବୋଲକରା ସିଣ୍ଡିକେଟ୍କୁ ଭାଙ୍ଗି ଦିଆଯାଉ ବୋଲି ଶ୍ରୀ ପାଢ଼ୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/dinabandhu.jpg)