ଦୀନବନ୍ଧୁ ମିଶ୍ର ଆତ୍ମଦାହ ମାମଲା: ପୁଲିସର ତଦନ୍ତ ନେଇ ପ୍ରଶ୍ନ ଉଠାଇଲେ ପତ୍ନୀ

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ଘଟଣାରେ ପୁଲିସ୍‌ର ତଦନ୍ତ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ପତ୍ନୀ ସ୍ମିତା ମିଶ୍ର। ପୁଲିସ ମୁଖ୍ୟ ଅଭିଯୁକ୍ତ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ସହିତ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ସୁରକ୍ଷା ଦିଆଯାଉଥିବା ନେଇ ଆଗରୁ ବିଭିନ୍ନ ମହଲରେ ଅଭିଯୋଗ ହୋଇ ଆସୁଥିବା ବେଳେ ଏବେ ଖୋଦ୍ ଦୀନବନ୍ଧୁଙ୍କ ପତ୍ନୀ ମଧ୍ୟ ମୁହଁ ଖୋଲିଛନ୍ତି। ଅପରପକ୍ଷରେ କେତେକ ଆଇନଜୀବୀ ମଧ୍ୟ ଅନୁରୂପ ଅଭିଯୋଗ କରିବା ସହିତ କୁଳପତିଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି।

ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ମାମଲାରେ ପୁଲିସର ତଦନ୍ତରେ ମନ୍ଥରତା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସମ୍ବଲପୁର ଏସ୍‌ପି ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କୁ ଏ ସଂକ୍ରାନ୍ତରେ ଅବଗତ କରିବା ସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଗତ ୫ ତାରିଖ ଦିନ ନୋଟାରିଙ୍କ ସମ୍ମୁଖରେ ସତ୍ୟପାଠ କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ, କୁଳପତିଙ୍କ ଦୁର୍ବ୍ୟବହାର, ନିର୍ଯାତନା ଆଦି କାରଣରୁ ଗତ ୨୦ ଏପ୍ରିଲରେ ତାଙ୍କ ସ୍ବାମୀ ଦୀନବନ୍ଧୁ ଆତ୍ମଦାହ କରିଥିଲେ। କୁଳପତିଙ୍କ ପ୍ରକୋଷ୍ଠ ସମ୍ମୁଖରେ ଆତ୍ମଦାହ କରିବା ପୂର୍ବରୁ ସେ କୁଳସଚିବଙ୍କୁ ଏକ ଚିଠି ମଧ୍ୟ ଲେଖିଥିଲେ। ଗତ ୨୧ ଏପ୍ରିଲରେ ଦିନ ଦୀନବନ୍ଧୁଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ, ମୃ୍‌ତ୍ୟୁ ପୂର୍ବରୁ କୁଳସଚିବଙ୍କୁ ଲେଖିଥିବା ଚିଠି ଏବଂ ତାଙ୍କ ସହିତ ହୋଇଥିବା କଥାବାର୍ତ୍ତା(କୁଳପତି ଅପମାନିତ କରିଥିବା ସଂକ୍ରାନ୍ତରେ) ଆଧାରରେ ତାଙ୍କ ପୁଅ ବୁର୍ଲା ଥାନାରେ କୁଳପତି ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେଇଥିଲେ। ମୃତକଙ୍କ ପତ୍ନୀ ହୋଇଥିବାରୁ ପୁଲିସ ତାଙ୍କଠାରୁ ଘଟଣା ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରିବ ବୋଲି ସେ ଆଶା ରଖିଥିଲେ। ମାତ୍ର ପୁଲିସ ଘଟଣାର ପ୍ରାୟ ୪୦ ଦିନ ପରେ ଗତ ୧ ଜୁନ୍ ଦିନ ହିଁ ଘରକୁ ଆସି ତାଙ୍କ ବୟାନ ରେକର୍ଡ କରିଥିଲା ବୋଲି ସ୍ମିତା ଏହି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

ଅପରପକ୍ଷରେ ଦୁର୍ଗା ପାଢ଼ୀ, ପ୍ରକାଶ ଶତପଥୀ, ସୁମନ୍ତ ସ୍ବାଇଁ, ଅରୁଣ କୁମାର ପ୍ରମୁଖ ୯ ଜଣ ଆଇନଜୀବୀ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର‌ ଲେଖି ସାଂଘାତିକ ଅଭିଯୋଗ ଆଣିଛନ୍ତି। ପୁଲିସ କେବଳ ଦୀନବନ୍ଧୁଙ୍କ ପତ୍ନୀଙ୍କ ବୟାନ ସଂଗ୍ରହ କରିବାରେ ବହୁ ବିଳମ୍ବ କରିନାହିଁ, ଅନ୍ୟ ଦୁଇ ଜଣ ବ୍ୟକ୍ତିଙ୍କ ବୟାନ‌ ଦେଇଥିବା ବ‌େଳେ ତାହା ଲିପିବଦ୍ଧ କରାଯାଇନଥିବା ଅଭିଯୋଗ କରିଛନ୍ତି। ଅପରପକ୍ଷରେ କୁଳପତିଙ୍କୁ ସୁହାଇବା ଭଳି ଦୁଇ ଜଣ ବ୍ୟକ୍ତିଙ୍କ ବୟାନ ରେକର୍ଡ କରାଯାଇଛି। ସମ୍ବଲପୁର ଦୌରା ଜଜ୍ ଅଭିଯୁକ୍ତମାନଙ୍କୁ ଆଗୁଆ ଜାମିନ ଆବେଦନ ଖାରଜ କରିବା ପରେ ବି ପୁଲିସ ସେମାନଙ୍କୁ ଗିରଫ କରିନାହିଁ। ଦୀନବନ୍ଧୁ ମିଶ୍ର କୁଳପତିଙ୍କ ବିରୋଧରେ ଅଭିଯୋଗ ଆଣିବାର ୧୨ ଦିନ ପୂର୍ବରୁ ବିଶ୍ବବିଦ୍ୟାଳୟର ଦୁଇ ଜଣ ବରିଷ୍ଠ ଅଧିକାରୀ ମଧ୍ୟ ସଂଗିନ ଅଭିଯୋଗ ଆଣିଥିଲେ। ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ କୁଳପତିଙ୍କ ବିରୋଧରେ ଲିଖିତ ଭାବେ ଜଣେଇଥିଲେ। ଏଣୁ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କୁ ତୁରନ୍ତ ଗିରଫ କରିବା ସହିତ ନିରପେକ୍ଷ ତଦନ୍ତ କରିବାକୁ ଏହି ଆଇନଜୀବୀମାନେ ମୁଖ୍ୟମନ୍ତ୍ରୀଙ୍କଠାରେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧରଙ୍କୁ ପଚାରିବାରୁ ଦୀନବନ୍ଧୁଙ୍କ ପତ୍ନୀଙ୍କ କୌଣସି ସତ୍ୟପାଠ କିମ୍ବା ଅନ୍ୟ କିଛି ଆବେଦନ ଏପର୍ଯ୍ୟନ୍ତ ତାଙ୍କ ପାଖରେ ପହଂଚି ନାହିଁ। ପୁଲିସ ନିରପେକ୍ଷ ତଦନ୍ତ କରୁଛି। ଠୋସ୍‌ ପ୍ରମାଣ ନମିଳିବା ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇପାରିବ ନାହିଁ। ଘଟଣାର ପ୍ରତ୍ୟକ୍ଷଦର୍ଶୀମାନେ ପୁଲିସ ପାଖକୁ ଆସି ନିଜ ବୟାନ ଦେବା କଥା ‌ବୋଲି ଏସ୍‌ପି କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ସମ୍ବଲପୁର ଦୌରା ଜଜ୍‌ ଆଗୁଆ ଜାମିନ୍ ଆବେଦନ ଖାରଜ କରିବା ପରେ ସେମାନେ ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆସନ୍ତାକାଲି ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଆଗୁଆ ଜାମିନ ଆବଦେନ ଉପରେ ଶୁଣାଣି ହେବାର ଅଛି।

ସମ୍ବନ୍ଧିତ ଖବର