ବର୍ଦ୍ଧିତ ଗୋଷ୍ଠୀ ବୀମା ଦେୟ ସମ୍ପର୍କରେ ସଚେତନ କରିବ ଡିଇଓ

ଭୁବନେଶ୍ବର : କର୍ମଚାରୀମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଗୋଷ୍ଠୀ ବୀମା ରାଶି ବୃଦ୍ଧି କରିଛନ୍ତି। ଏହି ମର୍ମରେ ବିଭିନ୍ନ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର କର୍ମଚାରୀମାନଙ୍କୁ ଗୋଷ୍ଠୀ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ‌ସେମାନଙ୍କ ଦେୟ ରାଶି ଉପରେ ବିସ୍ତୃତ ଆଲୋଚନା ହୋଇଛି। ସୋମବାର ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ଏକ ବୈଠକରେ କର୍ମଚାରୀମାନଙ୍କର ଗୋଷ୍ଠୀବୀମା ଦେୟ ବାବଦରେ ଅର୍ଥ ବିଭାଗ ବିଜ୍ଞପ୍ତି ଉପରେ ଆଲୋଚନା ହୋଇଛି। ଏହାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ‌ଦିଆଯାଇଛି।

ଚଳିତମାସ ୮ତାରିଖରେ ପ୍ରକାଶିତ ଅର୍ଥ ବିଭାଗ ବିଜ୍ଞପ୍ତି ଅନୁଯାୟୀ, କର୍ମଚାରୀମାନଙ୍କର ଦୁଇଟି ସ୍ତର ଗଠନ କରାଯାଇ ୪୮୦୦ଟଙ୍କା ପର୍ଯ୍ୟନ୍ତ ଗ୍ରେଡ୍ ପେ ଥିବା କର୍ମଚାରୀମାନଙ୍କ ଠାରୁ ପୂର୍ବରୁ ୭୫୦୦ଟଙ୍କା ବୀମା ଦେୟ ଥିବାବେଳେ ତାହାକୁ ୨୦ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ବାରା କର୍ମଚାରୀଙ୍କର ଚାକିରି ଅବଧିରେ ପରଲୋକ ହେଲେ ୪ଲକ୍ଷ ଟଙ୍କା ଏକକାଳୀନ ମିଳିବ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ୧୦ହଜାର ଟଙ୍କା ମିଳିବ। ସେହିପରି ୫୪୦୦ଟଙ୍କା ବା ତଦୁର୍ଦ୍ଧ୍ବ ଗ୍ରେଡ୍‌ ପେ ରହିଥିବା କର୍ମଚାରୀଙ୍କର ପୂର୍ବରୁ ବୀମା ଦେୟ ୧୨ହଜାର ଟଙ୍କା ଥିବାବେଳେ ଏହାକୁ ୩୦ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ବାରା କର୍ମଚାରୀଙ୍କର ଚାକିରି ଅବଧିରେ ପରଲୋକ ହେଲେ ୬ଲକ୍ଷ ଟଙ୍କା ଏକକାଳୀନ ମିଳିବ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ୧୦ହଜାର ଟଙ୍କା ମିଳିବ। ଆଗାମୀ ନଭେମ୍ବର ମାସରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ବେତନ ପ୍ରଦାନକାରୀ ଅଧିକାରୀ (ଡିଡିଓ)ମାନେ ନିଜ ଉତ୍ସରୁ କର୍ମଚାରୀମାନଙ୍କ ବର୍ଦ୍ଧିତ ଗୋଷ୍ଠୀ ବୀମା ଅଗ୍ରିମ ଦେୟ ଅନୁମୋଦନ କରିବେ ଓ ପରେ ସେମାନଙ୍କ ମାସିକ ବେତନରୁ ୧୦ଟି ସମାନ କିସ୍ତିରେ ଏହି ଅର୍ଥ ଭରଣା କରିବେ ବୋଲି ନିର୍ଦ୍ଦେଶ ‌ଦିଆଯାଇଛି। ପେନସନ୍ ନିୟମକୁ ସଂଶୋଧନ କରି କର୍ମଚାରୀ ଦେଉଥିବା ୧୦ପ୍ରତିଶତ ରାଶି ଲାଗି ସରକାରଙ୍କ ତରଫରୁ ୧୪% ସମଭାଗ ଅଂଶ ଏପ୍ରିଲ ୧, ୨୦୨୧ରୁ ପିଛିଲା ଭାବେ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର