ରାୟଗଡ଼ା: ଭୟଙ୍କର ରୂପ ନେଉଛି ମାରାତ୍ମକ ଡିପ୍‌ଥେରିଆ। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ୫ ଶିଶୁଙ୍କ ଜୀବନ ନେବାପରେ ଏବେ ପଡ଼ୋଶୀ ଜିଲ୍ଲାକୁ ବ୍ୟାପିଛି। କୋରାପୁଟ ଜିଲ୍ଲାରୁ ଜଣେ ଶିଶୁ ଚିହ୍ନଟ ହୋଇଛନ୍ତି। ସେହିପରି କଳାହାଣ୍ଡି ଜିଲ୍ଲାରେ ମଧ୍ୟ କିଛି ଶିଶୁ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ବାୟୁ ଦ୍ବାରା ସଂକ୍ରମଣ ହେଉଥିବାରୁ ଲଗାମ ଲଗାଇବା ଏତେଟା ସହଜ ହେବ ନାହିଁ ବୋଲି ଅନୁମାନ କରାଯାଉଛି।

Advertisment

କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ମୁନୁଷପଦର ଗାଁର ୪ଶିଶୁଙ୍କ ଆକସ୍ମିକ ମୃତ୍ୟୁରେ ସ୍ବାସ୍ଥ୍ୟ ବିଭାଗର ନିଦ ହଜି ଯାଇଥିଲା। ରୋଗ ଚିହ୍ନଟ ବିଳମ୍ବ ହେବାରୁ ଲକ୍ଷଣ ଦେଖି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁଙ୍କ ଚିକିତ୍ସା କରାଯାଉଥିଲା। ପଞ୍ଚମ ଶିଶୁର ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁ ପରେ ନମୁନା ସଂଗ୍ରହ କରିବାରୁ ଡିପ୍‌ଥେରିଆରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। ରାୟଗଡ଼ା ଜିଲ୍ଲାରେ ସ୍ଥିତି ସୁଧୁରିବା ପୂର୍ବରୁ କୋରାପୁଟ ଜିଲ୍ଲାରୁ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କୁମ୍ଭାରୀପୂଟ ଗ୍ରାମର ସୁବାରାଓ ମେଲେକାଙ୍କ ୧୦ବର୍ଷ ପୁଅ ଜିପୁନ ମେଲେକା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଗତକାଲି ରାତିରେ ଜିପୁନକୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଆଇସୋଲେସନ୍‌ ୱାର୍ଡରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ ହୋଇଥିଲା। ତେବେ ଆଜି ସକାଳେ ସଂକ୍ରମଣ ବଢ଼ିବାରୁ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତେଣୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଚିକିତ୍ସା ସମୟରେ ଜିପୁନକୁ ବୁଷ୍ଟର ଡୋଜ୍‌ ଟିକା ଦିଆଯାଇଥିବା ସୂଚନା ମିଳିଛି। ୫ଦିନ ହେଲା ଜେପୁନର ଗଳା ଫୁଲି ପ୍ରବଳ ବିନ୍ଧା ହେଉଥିଲା। ବାରମ୍ବାର ପାଟିରୁ ଲାଳ ବାହାରୁଥିଲା। କୁମ୍ଭାରୀପୁଟ ଡାକ୍ତରଖାନାରେ ଦେଖାଇବା ପରେ ବି ସ୍ବାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ହୋଇନଥିଲା। ବାଧ୍ୟ ହୋଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡାକ୍ତର ରେଫର କରିଥିଲେ।

ଅନ୍ୟପଟେ କାଶୀପୁର ବ୍ଲକରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ସ୍ବାସ୍ଥ୍ୟ ବିଭାଗ ପୂରା ଜୋର ଲଗାଇ ଦେଇଛି। ଯେଉଁ ଶିଶୁ ଡିପଥେରିଆ ଟିକା ନେଇ‌ନାହାନ୍ତି କିମ୍ବା ଯେଉଁ ଶିଶୁଙ୍କ ଠାରେ ଟିକା କାମ କରୁନି ସେମାନଙ୍କ ପାଇଁ ଆଗ୍ରା ଓ ହାଇଦ୍ରାବାଦରୁ ବୁଷ୍ଟର ଡୋଜ୍‌ ଟିକା ଆଣି ଦିଆଯାଉଛି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ରାୟଗଡ଼ା ସିଡିଏମ୍‌ଓ ଡା. ଲାଲ ମୋହନ ରାଉତରାଏ ସୂଚନା ଦେଇଛନ୍ତି। ବିଶ୍ବସ୍ତ ସୂତ୍ର ଅନୁସାରେ ରାୟଗଡ଼ା, କୋରାପୁଟ ପରେ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଛି ଡିପଥେରିଆ। ଥୁଆମୂଳରାମପୁର ବ୍ଲକ ଅନ୍ତର୍ଗତ ସରାପାସ ଗାଁରେ କିଛି ଶିଶୁ ଆକ୍ରାନ୍ତ ହୋଇଛନ୍ତି। ଜଣେ ଶିଶୁ ମଧ୍ୟ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ଖବର ପାଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସ୍ବାସ୍ଥ୍ୟ କର୍ମୀ ସରାପାସ ଗାଁକୁ ଯାଇ ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରିଛନ୍ତି। ଭୌଗୋଳିକ ସ୍ଥିତିକୁ ଦେଖିଲେ, କାଶୀପୁର ବ୍ଲକ ମୁନୁଷପଦର ଗାଁ ସୀମାକୁ ଲାଗି କଳାହାଣ୍ଡି ଜିଲ୍ଲାର ସରାପାସ ଗାଁ ରହିଛି। ସୀମାନ୍ତ ଅଞ୍ଚଳ ହୋଇଥିବାରୁ ଏହି ଗାଁକୁ ଡିପଥେରିଆ ବ୍ୟାପିଥିବା ସନ୍ଦେହ କରାଯାଉଛି।