ଚଣ୍ଡିଖୋଲ : ବହୁ ଚର୍ଚ୍ଚିତ ନିଆଳି ଦୀପଜ୍ୟୋତି ହତ୍ୟା ଘଟଣାେରେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ପ୍ରହସନ ହୋଇଛି। ଦୀର୍ଘ ଦିନ ବିତିଯାଇଥିଲେ ହେଁ ଘଟଣାର ତଦନ୍ତ ଶୀତଳ ଭଣ୍ଡାରରେ ଥିବାରୁ ସ୍ୱଗର୍ତ ଦୀପଜ୍ୟୋତିଙ୍କ ବୃଦ୍ଧ ପିତାମାତା ନବୀନ ନିବାସ ଆଗରେ ଆତ୍ମାହୁତି ଦେବେ ବୋଲି ଧମକ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଖୋଦ ମୁଖ୍ୟମନ୍ତ୍ରୀ ଗତ ଡିସେମ୍ବର ୨୬ ତାରିଖରେ ଘଟଣାର ତଦନ୍ତ ପାଇଁ କ୍ରାଇମ୍ବ୍ରାଞ୍ଚ୍କୁ ନିର୍ଦେଶ ଦେଇଥିଲେ। ଇତିମଧ୍ୟରେ ପାଖାପାଖି ଦେଢ଼ ମାସ ବିତି ଯାଇଥିଲେ ମଧ୍ୟ କ୍ରାଇମ୍ବ୍ରାଞ୍ଚ୍ର ଜଣେ ହେଲେ ବି ଅଧିକାରୀ ନିଆଳି ଗ୍ରାମରେ ପାଦ ପକାଇନାହାନ୍ତି। ଏପଟେ ୧୫ ଦିନ ମଧ୍ୟରେ ଏକମାତ୍ର ପୁତ୍ରର ହତ୍ୟାକାରୀଙ୍କୁ ଗିରଫ କରା ନଗଲେ ନବୀନ ନିବାସ ସମ୍ମୁଖରେ ଦୀପଜ୍ୟୋତିଙ୍କ ବୃଦ୍ଧ ପିତା ଗଗନ ଓଝା ଓ ମା ରୂପାଲି ଓଝା ଆତ୍ମାହୁତି ଦେବେ ବୋଲି ଚରମ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗତ ଜାନୁଆରି ୩୧ ତାରିଖରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ଇତି ମଧ୍ୟରେ ୯ଦିନ ବିତି ଗଲାଣି। ଆଉ ୬ ଦିନ ବାକି ରହିଛି। ଏହି ୬ ଦିନ ମଧ୍ୟରେ ସରକାର ତାଙ୍କ ପୁଅ ହତ୍ୟାକାରୀକୁ ଧରି ନପାରିଲେ ସେମାନେ ଆତ୍ମାହୁତି ଦେବା ପାଇଁ ନିଆଳି ଗ୍ରାମରୁ ନବୀନ ନିବାସ ଅଭିମୁଖେ ଯାତ୍ରା କରିବେ ବୋଲି ‘ସମ୍ବାଦ’କୁ କହିଛନ୍ତି।
ବଡ଼ଚଣା ବ୍ଲକ୍ ତଥା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବରପଦା ପଞ୍ଚାୟତ ଅନ୍ତର୍ଗତ ନିଆଳି ଗ୍ରାମର ଗଗନ ଓଝାଙ୍କ ଏକମାତ୍ର ପୁଅ ଦୀପଜ୍ୟୋତି(୨୮)ଙ୍କୁ ଗତ ୨୦୧୭ ମସିହା ଜୁନ୍ ୨ ତାରିଖ ସଂଧ୍ୟାରେ ହତ୍ୟା କରାଯାଇଥିଲା। ସଂଧ୍ୟାରେ ଦୀପଜ୍ୟୋତି ତାଙ୍କ ବାରିପାଖ କେଲୁଅ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ସେଠାରେ ହତ୍ୟା କରି ନଦୀ ପାଣିକୁ ଫିଙ୍ଗି ଫେରାର୍ ହୋଇଯାଇଥିଲା। ଏନେଇ ତାଙ୍କ ପିତା ଗଗନ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିବା ସହ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସମେତ ମୁଖ୍ୟମନ୍ତ୍ରୀ, ପୁଲିସ୍ ଡିଜି, ମୁଖ୍ୟ ଶାସନ ସଚିବ ପ୍ରମୁଖଙ୍କ ନିକଟରେ ଅଭିଯୋଗ କରି ହତ୍ୟାକାରୀଙ୍କୁ ଧରିବା ପାଇଁ ଆକୁଳ ନିବେଦନ କରିଥିଲେ। ହେଲେ ଏହି ହତ୍ୟାକାଣ୍ଡ ଘଟଣାକୁ ଇତି ମଧ୍ୟରେ ୮ ମାସ ବିତିଗଲାଣି। ହେଲେ ହତ୍ୟାକାରୀକୁ ପୁଲିସ୍ ଆଜିଯାଏ ଛୁଇଁ ପାରିଲାନାହିଁ। ହତ୍ୟାକାରୀ ସମ୍ପର୍କରେ ତାଙ୍କ ପିତା ଗଗନ କିଛି ସୁରାକ୍ ଦେଇଥିଲେ ମଧ୍ୟ ପୁଲିସ୍ ତଦନ୍ତ ସେ ଦିଗକୁ ସ୍ପର୍ଶ କରିନଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଆଜିଯାଏ ଏହି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ନେହବା ଏକ ବିଡ଼ମ୍ବନାର ବିଷୟ ବୋଲି ପିସିସି ସାଧାରଣ ସମ୍ପାଦକ ଶୁଭେନ୍ଦୁ ମହାନ୍ତି ଏକ ପ୍ରେସ୍ ବିବୃତ୍ତିରେ କହି ତୁରନ୍ତ ଅପରାଧୀଙ୍କୁ ଧରିବା ପାଇଁ ଦାବି କରିଛନ୍ତି। ତୁରନ୍ତ ଗିରଫ କରାନଗଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।