ଇଞ୍ଜିନିୟରିଂ ଭଳି ଡିପ୍ଲୋମାରେ ବି ପିଲା ସଙ୍କଟ : ସରକାରୀ କଲେଜରୁ କଟିଲା ୫୭୦ ସିଟ୍

ଓଡ଼ିଶାରେ ୨୨ଟି ବୈଷୟିକ ପାଠ୍ୟକ୍ରମ ବନ୍ଦ, ଦେଶରେ ୧୩୨୧ ପାଠ୍ୟକ୍ରମ, ୫୩ କଲେଜରେ ତାଲା

ଭୁବ‌ନେଶ୍ବର : ଇଞ୍ଜନିୟରିଂ ବା ବି.ଟେକ୍ ଭଳି ଏବେ ସରକାରୀ ଡି‌ପ୍ଲୋମା କଲେଜରେ ବି ପିଲା ହେଉନାହାନ୍ତି। ଯେଉଁଥିପାଇଁ ୨୦୧୯-୨୦ ଶିକ୍ଷାବର୍ଷରେ ସରକାରୀ ଡିପ୍ଲୋମା ତଥା ପଲିଟେକନିକ୍‌ ଶିକ୍ଷାନୁଷ୍ଠାନରେ ୫୭୦ ସିଟ୍‌ ହ୍ରାସ କରାଯାଇଛି। କେତେକ ଘରୋଇ ପଲିଟେକନିକ୍‌ କ‌ଲେଜ ସିଟ୍‌ ହ୍ରାସ କରାଯାଇଥିବା ବେଳେ ଆଉ କିଛି ପଲିଟେକନିକ୍‌ର ଏକାଧିକ ପାଠ୍ୟକ୍ରମକୁ ବନ୍ଦ କରିଦେଇଛି ଅଲ୍‌ ଇଣ୍ଡିଆ କାଉନସିଲ୍‌ ଅଫ୍‌ ଟେକ୍ନିକାଲ ଏଜୁକେସନ(ଏଆଇସିଟିଇ)।

ଏଆଇସିଟିଇ ସୂଚନା ଅନୁଯାୟୀ ଚଳିତ ଶିକ୍ଷାବର୍ଷରେ ରାଜ୍ୟର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନର ୨୨ଟି ପାଠ୍ୟକ୍ରମ ବନ୍ଦ କରାଯାଇଛି। ଯେଉଁଥିରେ ପିଜି, ୟୁଜି ଓ ଡିପ୍ଲୋମା ପାଠ୍ୟକ୍ରମ ରହିଛି। ବୈଷୟିକ ଶିକ୍ଷା ନିର୍ଦେଶାଳୟ ଅଧୀନରେ କଟକରେ ଥିବା ଗୋଟିଏ ସରକାରୀ ଡିପ୍ଲୋମା କଲେଜର ୩ଟି ପାଠ୍ୟକ୍ରମ ବନ୍ଦ ହୋଇଛି। ଏଥିସହ ଗଞ୍ଜାମରେ ଥିବା ଏକ ଘରୋଇ ଡିପ୍ଲୋମା କଲେଜର ଗୋଟିଏ ପାଠ୍ୟକ୍ରମ ବି ବନ୍ଦ ହୋଇଯାଇଛି। ଯେଉଁ ପାଠ୍ୟକ୍ରମରେ ଲଗାତାର ଦୁଇରୁ ତିନି ବର୍ଷ ଧରି ପିଲା ହେଉ ନାହାନ୍ତି ତାହାକୁ ବନ୍ଦ କରିବାକୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଏଆଇସିଟିଇ ନିକଟରେ ଆବେଦନ କରିଥିଲେ। ସେପଟେ ଡିପ୍ଲୋମା ପାଠ୍ୟକ୍ରମ ଲାଗି ଏବେ ନାମଲେଖା ଚାଲୁ ରହିଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ସୁଦ୍ଧା ପ୍ରାୟ ୨୦ ହଜାର ସିଟ୍‌ ପୂରଣ ହୋଇଛି। ଆଉ ଯେତିକି ସିଟ୍‌ ‌ଖାଲି ରହିଛି ଦ୍ବିତୀୟ ପର୍ଯ୍ୟାୟରେ ପୂରଣ ହୋଇଯିବ ବୋଲି କଲେଜ କର୍ତୃପକ୍ଷମାନେ ଆଶାବ୍ୟକ୍ତ କରିଛନ୍ତି।

୨୦୧୯-୨୦ ଶିକ୍ଷାବର୍ଷରେ ରାଜ୍ୟର ୧୫୦ଟି ଡିପ୍ଲୋମା କଲେଜରେ ପ୍ରାୟ ୪୬ ହଜାର ସିଟ୍‌ ରହିଛି। ‌ଗତବର୍ଷ ସରକାରୀ କଲେଜରେ ୮ ହଜାର ସିଟ୍‌ ରହିଥିଲା। ସେଥିମଧ୍ୟରୁ ୫୭୦ଟି ସିଟ୍‌ କାଟି ଦିଆଯାଇଛି। ତେଣୁ ଏଥର ସରକାରୀ ପଲିଟେକ୍‌ନିକ୍‌ ଓ ଡିପ୍ଲୋମା କଲେଜର ୭ ହଜାର ୪୦୦ ସିଟ୍‌ରେ ନାମଲେଖା ହେବ। ସେହିପରି ୧୧୫ଟି ଘରୋଇ କଲେଜରେ ପ୍ରାୟ ୩୮ ହଜାର ସିଟ୍‌ରେ ନାମଲେଖା କରାଯିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) ଅଧୀନରେ ଥିବା କେତେକ କଲେଜର ପାଠ୍ୟକ୍ରମକୁ ମଧ୍ୟ ଏଆଇସିଟିଇ ବନ୍ଦ କରିଛି। କେବଳ ଓଡ଼ିଶା ନୁହେଁ; ଚଳିତବର୍ଷ ଦେଶର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନର ୧୩୨୧ଟି ପାଠ୍ୟକ୍ରମକୁ ବନ୍ଦ କରାଯାଇଛି। ଏଥିସହ ୫୩ଟି ବୈଷୟିକ ଶିକ୍ଷାନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଯେଉଁଥିରେ କେବଳ ଉତ୍ତର ପ୍ରଦେଶର ୩୨ଟି ଶିକ୍ଷାନୁଷ୍ଠାନ ରହିଛି। ପଞ୍ଜାବ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ହରିଆନା, ଛତିଶଗଡ଼, ଗୁଜୁରାଟ, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗର ଏକାଧିକ କଲେଜ ଏହି ତାଲିକାରେ ରହିଛି। ତେବେ ଆଶ୍ବସ୍ତି ବିଷୟ ହେଉଛି ଯେ ‌ଓଡ଼ିଶାର ଗୋଟିଏ ହେଲେ ବି କଲେଜ ଏହି ତାଲିକାରେ ନାହିଁ।

ସମ୍ବନ୍ଧିତ ଖବର