କଟକ : ହାଇକୋର୍ଟରେ ଡିପ୍ଲୋମା ଇଂଜିନିୟର(ସିଭିଲ) ପ୍ୟାନେଲରୁ ନିଯୁକ୍ତି ପ୍ରଦାନ ସଂପର୍କିତ ମାମଲାର ଆଜି ଶୁଣାଣି ହୋଇଛି। ଆବେଦନକାରୀ ଓ ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ସରକାର ଓଡିଶା ଡିପ୍ଲୋମା ଇଂଜିନିୟର୍ସ ସର୍ଭିସ୍‌ (ମେଥଡ ଅଫ୍‌ ରିକ୍ରୁଟମେଣ୍ଟ ଆଣ୍ଡ୍‌ କଣ୍ଡିସନ୍ସ ଅଫ୍‌ ସର୍ଭିସ୍‌) ରୁଲ୍ସ, ୨୦୧୨ କାର୍ଯ୍ୟକାରୀ କରି ଜୁନିୟର ଇଂଜିନିୟରଙ୍କ ନିଯୁକ୍ତି ଷ୍ଟାଫ ସିଲେକ୍ସନ୍‌ କମିସନ୍‌ ମାଧ୍ୟମରେ ନିଯୁକ୍ତି ପରୀକ୍ଷା ଦ୍ୱାରା କରାଯିବ ବୋଲି ନିଷ୍ପତ୍ତି ନେଇଥିବା ବେଳେ ୨୦୧୪ରେ ପ୍ୟାନେଲରୁ ୧୬୧୨ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଏପରି ପରିସ୍ଥିତିରେ ପ୍ୟାନେଲରେ ଥିବା ଆବେଦନକାରୀଙ୍କ ପାଇଁ ଏକ କାଳୀନ ଯୋଜନା କରି ନିଯୁକ୍ତି ପ୍ରଦାନ ପ୍ରସଂଗରେ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଓ ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଫେବ୍ରୁଆରି ୨ରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ପ୍ୟାନେଲରେ ଥିବା କେତେ ଜଣ ଇଂଜିନିୟର ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ ଓ ପରବର୍ତ୍ତୀ ସମୟରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସେ ନେଇ ପ୍ରସ୍ତୁତ ତାଲିକା ଆବେଦନକାରୀଙ୍କ ପକ୍ଷରୁ ସରକାରଙ୍କୁ ପ୍ରଦାନ କରାଯାଇଥିଲା। ସେହିଭଳି ଏ ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ତାଲିକା ଆବେଦନକାରୀଙ୍କୁ ପ୍ରଦାନ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ, ଆଇନଜୀବୀ ଶଶୀଭୂଷଣ ଜେନା, ସୌଭାଗ୍ୟ ସାମଲ ଓ ସେବତୀ ସୋରେନ୍‌ ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ପୂର୍ବରୁ ଡିପ୍ଲୋମା ଇଂଜିନିୟର(ସିଭିଲ)ଙ୍କ ଏକ ପ୍ୟାନେଲ ସରକାର ଗଠନ କରିଥିଲେ। ସରକାରଙ୍କ ବିଭିନ୍ନ ବିଭାଗ ସହିତ ବିଭିନ୍ନ ନିଗମରେ ଆବଶ୍ୟକ ହେଉଥିବା ଜୁନିୟର ଇଂଜିନିୟର ପଦବିରେ ଏହି ପ୍ୟାନେଲରେ ଥିବା ଇଂଜିନିୟରଙ୍କୁ ନିଯୁକ୍ତି ପ୍ରଦାନ କରାଯାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଡିପ୍ଲୋମା ଇଂଜିନିୟର ପ୍ୟାନେଲକୁ ଅଣଦେଖା କରି ୨୦୧୪, ଅଗଷ୍ଟ ୪ରେ ଜୁନିୟର ଇଂଜିନିୟର ନିଯୁକ୍ତି ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତିକୁ ରଦ୍ଦ କରିବା ପାଇଁ ପ୍ୟାନେଲରେ ଥିବା ଡିପ୍ଲୋମା ଇଂଜିନିୟର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।