ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ୫‘ଟି’ ସୂତ୍ରକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ସଂକଳ୍ପ ନେଇଛି। ଆଜି ଡିପ୍ଲୋମା ଇଞ୍ଜିନିୟର ସେବା ସଂଘର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ଲାଟିନମ୍ ଜୁବୁଲି ପାଳନ ଅବସରରେ ମନ୍ତ୍ରୀ, ସାଂସଦ ଓ ବିଧାୟକମାନଙ୍କ ଉପସ୍ଥିତିରେ ସଂଘର ସଦସ୍ୟମାନେ ସଂକଳ୍ପ ନେଇଛନ୍ତି।
ରବିବାର ସ୍ଥାନୀୟ ଓଡ଼େଶା ଭବନରେ ଆୟୋଜିତ ଏହି ସମାବେଶରେ ରାଜ୍ୟର ୬ ଜଣ ମନ୍ତ୍ରୀଙ୍କ ସମେତ ଜଣେ ସାଂସଦ ଓ ୫ ଜଣ ବିଧାୟକ ଯୋଗଦେଇଥିଲେ। ପୂର୍ତ୍ତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଡିପ୍ଲୋମା ଇଞ୍ଜିନିୟରମାନଙ୍କୁ ସମ୍ବୋଧନ କରି କହିଥିଲେ ଇଞ୍ଜିନିୟରମାନେ ନିର୍ମାଣ କାର୍ଯ୍ୟକୁ ସମୟାନୁଭିତ୍ତିକ ଓ ନିଷ୍ଠାର ସହ ନିର୍ବାହ କରିବା ଦରକାର। କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଥିଲେ, ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀ ବିଶେଷକରି ଇଞ୍ଜିନିୟରମାନେ ସମୟର ଆହ୍ବାନକୁ ସଠିକ୍ ଭାବେ ବୁଝିବା ସହ ରାଜ୍ୟବାସୀଙ୍କୁ ୫ ‘ଟି’ ଆଧାରରେ ତ୍ବରିତ ସେବା ପ୍ରଦାନ କରିବାକୁ ଉଦ୍ୟମ କରିବାକୁ ପଡ଼ିବ। ପଞ୍ଚାୟତି ରାଜ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପରାମର୍ଶ ଦେଇ କହିଥିଲେ ଇଞ୍ଜିନିୟରମାନେ ଏଣିକି ସରକାରୀ କର୍ତ୍ତବ୍ୟ ଠିକ୍ ଭାବେ ପାଳନ କରି ଜନସାଧାରଣଙ୍କ ଆସ୍ଥା ଭାଜନ ହେବା ଦରକାର। ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି ସମାବେଶରେ ଯୋଗଦେଇ ୫’ଟି’ ପାଳନ କରିବାକୁ ଯାଇ ସଂକଳ୍ପ ନେବା ପାଇଁ ଇଞ୍ଜିନିୟରମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।
ଏହି ଅବସରରେ ଇଞ୍ଜିନିୟର ସେବା ସଂଘର ୫୦୦ ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କ ୫‘ଟି’ସୂତ୍ରକୁ କାର୍ଯ୍ୟକାରୀ କରିବାକୁ ସଂକଳ୍ପ ନେଇଥିଲେ। ସମାବେଶରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇଥିଲେ। ଅନ୍ୟମାନଙ୍କ ଭିତରେ ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ପ୍ରକାଶ ଚନ୍ଦ୍ର ମାଝୀ, ସଞ୍ଜୀବ କୁମାର ମଲ୍ଲିକ ଓ ଧ୍ରୁବ ଚରଣ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।