ଜଗନ୍ନାଥପ୍ରସାଦ : କରୋନା ମହାମାରୀରେ କିଏ ଅନାଥ ତ, ଆଉ କିଏ ବେସାହାରା ପାଲଟିଗଲେ। ଏଥିରୁ ବାଦ୍ ପଡ଼ି ନଥିଲା, ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଆଦିବାସୀ ଅଧ୍ୟୁଷିତ ପୁରୁଣାପାଣି ଗ୍ରାମର ଭାସ୍କର ଜାନିଙ୍କ ପରିବାର। କରୋନା ମହାମାରୀରେ ସଂକ୍ରମିତ ପତ୍ନୀ ସୁକାନ୍ତି ୨୦୨୧ ମସିହା ଜୁନ୍ ୬ ତାରିଖରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇ ଆଖି ବୁଜି ଦେଇଥିଲେ। ଏହାର ୨ ଦିନ ପରେ ନବଜାତ ଶିଶୁର ମୃତ୍ୟୁ ହୋଇଥିଲା। ଏହାର ପୁଣି ୩ ମାସ ପରେ ଅର୍ଥାତ୍ ୨୦୨୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଅସୁସ୍ଥତା ଯୋଗୁଁ ଭାସ୍କର ବି ଚାଲିଗଲେ। କେବଳ ଏତିକି ନୁହେଁ, ଏହି ଘଟଣା ପୂର୍ବରୁ ୨୦୨୦ ମସିହା ଫେବ୍ରୁଆରି ୨୦ ତାରିଖରେ ଭାସ୍କରଙ୍କ ଏକମାତ୍ର ଝିଅର ମଧ୍ୟ ମୃତ୍ୟୁ ହୋଇ ସାରିଥିଲା। ରହିଗଲେ କେବଳ ଦୁଇ ପାଠପଢ଼ୁଆ ପୁଅ ଦୀପକ (୨୨) ଓ ଆଲୋକ (୨୦) ଏବଂ ଜେଜେ ମା। ଦୁଇ ଅନାଥ ଭାଇଙ୍କୁ ସରକାରଙ୍କ କୋଭିଡ୍ ସହାୟତା ବି ମିଳିଲା ନାହିଁ। କୋଭିଡ୍ ପଜିଟିଭ୍ ରିପୋର୍ଟ, ସବୁ ଯୋଗ୍ୟତା ଥାଇ ସୁଦ୍ଧା ସରକାରୀ ସହାୟତା ପ୍ରତିଶ୍ରୁତି ଧୂଆଁବାଣ ପାଲଟିଛି।
ଦୀପକଙ୍କ ସହ ଆମେ କଥା ହେବା ବେଳେ ସେ ତାଙ୍କ ପରିବାର ଭୋଗିଥିବା ଭୟଙ୍କର ଦୁଃଖ ବଖାଣିଥିଲେ। ବାପା ଭାସ୍କର ଓ ମାଆ ସୁକାନ୍ତି ଦିନରାତି ପରିଶ୍ରମ କରି ଦୁଇପୁଅ ଓ ଝିଅ ଜ୍ୟୋତିର୍ମୟୀକୁ ପାଠ ପଢ଼ାଉଥିଲେ। ଜ୍ୟୋତିର୍ମୟୀ ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ରାଧାକାନ୍ତ ଆବାସିକ ଉଚ୍ଚବିଦ୍ୟାଳୟରେ ପଢ଼ୁଥିଲେ। ୨୦୨୦ ମସିହା ଫେବ୍ରୁଆରି ୨୦ ତାରିଖରେ ମାଟ୍ରିକ୍ ପରୀକ୍ଷା ଦେଉଥିବା ବେଳେ ଜ୍ୟୋତିର୍ମୟୀ ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ। ଓଡ଼ଗାଁ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା। ୨୦୨୧ ମସିହା ଜୁନ୍ ୫ ତାରିଖରେ କୋଭିଡ୍ ଚରମ ସ୍ଥିତିରେ ବ୍ୟାପିଥିବା ବେଳେ ସୁକାନ୍ତିଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଜଗନ୍ନାଥପ୍ରସାଦ ଡାକ୍ତରଖାନାରୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ନମୁନା ପରୀକ୍ଷା ବେଳେ ସେ କୋଭିଡ୍ ପଜିଟିଭ୍ ବୋଲି ଜଣାପଡ଼ିଥିଲା। ଦୁଇଦିନ ବ୍ୟବଧାନରେ ସୁକାନ୍ତି ଓ ନବଜାତ ଶିଶୁ ପ୍ରାଣ ହରାଇଲେ। ଜଗନ୍ନାଥପ୍ରସାଦ ବ୍ଲକ୍ ପ୍ରଶାସନ ଭାସ୍କରଙ୍କ ଘରକୁ ଯାଇ ପରିବାରବର୍ଗଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ବର୍ଷେ ବ୍ୟବଧାନରେ ପତ୍ନୀ ଓ ଝିଅର ମୃତ୍ୟୁ ସାଙ୍ଗକୁ କୋଭିଡ୍ କଟକଣା ଯୋଗୁଁ ଭାସ୍କରଙ୍କ ମାନସିକ ଅବସ୍ଥା ସଂପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିଲା। ଖାଦ୍ୟ ଗ୍ରହଣ ନକରିବା ଓ ଅସୁସ୍ଥତା କାରଣରୁ ସେହିବର୍ଷ ସେପ୍ଟେମ୍ବର ୧୧ ତାରିଖରେ ସେ ମଧ୍ୟ ମୃତ୍ୟୁବରଣ କଲେ।
ଫଳରେ ଦୁଇଭାଇ ଦୀପକ ଓ ଆଲୋକ ଅନାଥ ପାଲଟି ଯାଇଥିଲେ। ଅର୍ଥାଭାବ ଯୋଗୁଁ ଦୀପକ ପାଠପଢ଼ା ଛାଡ଼ିଦେଇଥିଲେ। କିନ୍ତୁ ସାନଭାଇ ଆଲୋକକୁ ମଣିଷ କରିବାକୁ ଦୀପକ ଦିନରାତି ଏକ କରିଦେଲେ। ସ୍ଥାନୀୟ ପ୍ରଶାସନର ତତ୍କାଳୀନ ଅଧିକାରୀମାନେ ତାଙ୍କ ଘରକୁ ଯାଇ ସରକାରଙ୍କ ପକ୍ଷରୁ ଘୋଷିତ କୋଭିଡ୍ଜନିତ ସହାୟତା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଫଳରେ ଦୀପକ ଧାରଉଧାର କରି ଭୁବନେଶ୍ବରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଡିପ୍ଲୋମା ଇଞ୍ଜିନିୟରିଂରେ ଆଲୋକର ନାମ ଲେଖାଇଥିଲେ।
କିନ୍ତୁ ସମୟଚକ୍ରରେ ସରକାରୀ ସହାୟତା ବାବଦରେ ଟଙ୍କାଟିଏ ବି ମିଳିଲାନି। ଫଳରେ ଦୀପକ ଆଉ ଆଲୋକର ପାଠପଢ଼ା ଖର୍ଚ୍ଚ ବହନ କରିପାରିଲେନି। ଫଳରେ ଆଲୋକ ମଧ୍ୟ ଶେଷରେ ପାଠପଢ଼ା ଛାଡ଼ି ଋଣ ପରିଶୋଧ କରିବାକୁ ଚେନ୍ନାଇ ଯାଇ ଦାଦନ ଖଟିବା ଆରମ୍ଭ କରିଥିଲେ। ବର୍ତ୍ତମାନ ଆଲୋକ ଚେନ୍ନାଇରେ ରହୁଥିବା ବେଳେ ଦୀପକ ଗାଁରେ ରହି ମୂଲ ଲାଗୁଛନ୍ତି। ଏହାସହ ଜେଜେମାର ଦାୟିତ୍ବ ନେଉଛନ୍ତି। ଏବେବି ସରକାରୀ ସହାୟତା ମିଳିଲେ ଋଣଯନ୍ତାରୁ ମୁକ୍ତି ପାଇପାରିବୁ ବୋଲି ଦୀପକ କୋହଭରା କଣ୍ଠରେ କହିଛନ୍ତି।