ପ୍ୟାନେଲରୁ ନିଯୁକ୍ତି ପ୍ରସଂଗରେ ସରକାର ରଖିବେ ପକ୍ଷ

ହାଇକୋର୍ଟରେ ଡିପ୍ଲୋମା ଇଂଜିନିୟର ନିଯୁକ୍ତି ମାମଲା

କଟକ : ଡିପ୍ଲୋମା ଇଂଜିନିୟର(ସିଭିଲ) ପ୍ୟାନେଲରୁ ନିଯୁକ୍ତି ପ୍ରଦାନ ପ୍ରସଂଗରେ ରାଜ୍ୟ ସରକାର ହାଇକୋର୍ଟରେ ପକ୍ଷ ରଖିବେ। ଆଜି ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ପ୍ୟାନେଲରୁ ବିଭିନ୍ନ ବିଭାଗରେ ଜୁନିୟର ଇଂଜିନିୟର ନିଯୁକ୍ତି ପ୍ରସଂଗରେ ସ୍ଥିତି ସ୍ପଷ୍ଟ କରିବା ପାଇଁ ସରକାରଙ୍କ ପକ୍ଷରୁ ସମୟ ଲୋଡ଼ା ଯାଇଥିଲା। ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଓ ଜଷ୍ଟିସ କେ.ଆର୍‌.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୬ ତାରିଖରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ, ଆଇନଜୀବୀ ଶଶୀଭୂଷଣ ଜେନା, ସୌଭାଗ୍ୟ ସାମଲ ଓ ସେବତୀ ସୋରେନ୍‌ ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ପୂର୍ବରୁ ସରକାର ଡିପ୍ଲୋମା ଇଂଜିନିୟର(ସିଭିଲ)ଙ୍କ ଏକ ପ୍ୟାନେଲ ଗଠନ କରିଥିଲେ। ସରକାରଙ୍କ ପୂର୍ତ୍ତ, ଜଳସେଚନ, ନଗର ଉନ୍ନୟନ ଓ ଅନ୍ୟ ବିଭାଗ ସହିତ ବିଭିନ୍ନ ନିଗମରେ ଆବଶ୍ୟକ ହେଉଥିବା ଜୁନିୟର ଇଂଜିନିୟର ପଦବିରେ ଏହି ପ୍ୟାନେଲରେ ଥିବା ଇଂଜିନିୟରଙ୍କୁ ନିଯୁକ୍ତି ପ୍ରଦାନ କରାଯାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଓଡିଶା ଡିପ୍ଲୋମା ଇଂଜିନିୟର୍ସ ସର୍ଭିସ୍‌ (ମେଥଡ ଅଫ୍‌ ରିକ୍ରୁଟମେଣ୍ଟ ଆଣ୍ଡ୍‌ କଣ୍ଡିସନ୍ସ ଅଫ୍‌ ସର୍ଭିସ୍‌) ରୁଲ୍ସ, ୨୦୧୨ କାର୍ଯ୍ୟକାରୀ କରାଯାଇଥିଲା। ଏଥିରେ ସ୍ପଷ୍ଟ କରାଯାଇଥିଲା ଯେ ଜୁନିୟର ଇଂଜିନିୟରଙ୍କ ନିଯୁକ୍ତି ଷ୍ଟାଫ ସିଲେକ୍ସନ୍‌ କମିସନ୍‌ ମାଧ୍ୟମରେ ପରୀକ୍ଷା ଦ୍ୱାରା କରାଯିବ। ପୂର୍ବରୁ ଥିବା ଡିପ୍ଲୋମା ଇଂଜିନିୟର ପ୍ୟାନେଲକୁ ଅଣଦେଖା କରି ୨୦୧୪, ଅଗଷ୍ଟ ୪ରେ ୫୫୧ ଜଣଙ୍କୁ ଜୁନିୟର ଇଂଜିନିୟର ପଦବିରେ ନିଯୁକ୍ତି ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତିକୁ ରଦ୍ଦ କରିବା ପାଇଁ ପ୍ୟାନେଲରେ ଥିବା ଡିପ୍ଲୋମା ଇଂଜିନିୟରମାନେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌)ଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ସ୍ୟାଟ୍‌ଙ୍କ ରାୟ ସେମାନଙ୍କ ସପକ୍ଷରେ ଯାଇ ନଥିଲା। ଏପରି ପରିସ୍ଥିତିରେ ପ୍ୟାନେଲରେ ଥିବା ଡିପ୍ଲୋମା ଇଂଜିନିୟରମାନେ ସ୍ୟାଟ୍‌ଙ୍କ ୨୦୧୭, ଏପ୍ରିଲ ୨୬ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପ୍ୟାନେଲରୁ ଜୁନିୟର ଇଂଜିନିୟରଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର