ଡିପ୍ଲୋମା ଇଂଜିନିୟର ନିଯୁକ୍ତି ମାମଲା ଶୁଣାଣି ଘୁଞ୍ଚିଲା

କଟକ : ଡିପ୍ଲୋମା ଇଂଜିନିୟର(ସିଭିଲ) ପ୍ୟାନେଲରୁ ନିଯୁକ୍ତି ପ୍ରଦାନ ପ୍ରାର୍ଥନା କରି ଆବେଦନ ଦାୟର କରିଥିବା ସମସ୍ତ ଆବେଦନକାରୀଙ୍କ ପ୍ରସଂଗରେ ତଥ୍ୟ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏ ସଂପର୍କିତ ମାମଲାର ଶୁଣାଣି ସମୟରେ କେତେ ସଂଖ୍ୟକ ଆବେଦନକାରୀଙ୍କ ମାମଲା ବିଚାରାଧୀନ ରହିଛି ସେ ନେଇ କିଛି ସ୍ଥିତି ସ୍ପଷ୍ଟ ହୋଇ ପାରି ନଥିଲା। ଉଭୟ ଆବେଦନକାରୀ ଓ ସରକାରଙ୍କ ପକ୍ଷରୁ ଏ ନେଇ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଓ ଜଷ୍ଟିସ କେ.ଆର୍‌.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୧ ତାରିଖରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ଓ ଆଇନଜୀବୀ ଶଶୀଭୂଷଣ ଜେନା ମାମଲା ପରିଚାଳନା କରୁଛନ୍ତି। ପୂର୍ବରୁ ଥିବା ଡିପ୍ଲୋମା ଇଂଜିନିୟର ପ୍ୟାନେଲକୁ ଅଣଦେଖା କରି ୨୦୧୪, ଅଗଷ୍ଟ ୪ରେ ୫୫୧ଟି ଜୁନିୟର ଇଂଜିନିୟର ନିଯୁକ୍ତି ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତିକୁ ରଦ୍ଦ କରିବା ପାଇଁ ପ୍ୟାନେଲରେ ଥିବା ଡିପ୍ଲୋମା ଇଂଜିନିୟର ମାନେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌)ଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ସ୍ୟାଟ୍‌ଙ୍କ ରାୟ ସେମାନଙ୍କ ସପକ୍ଷରେ ଯାଇ ନଥିଲା। ଏପରି ପରିସ୍ଥିତିରେ ପ୍ୟାନେଲରେ ଥିବା ଡିପ୍ଲୋମା ଇଂଜିନିୟରମାନେ ସ୍ୟାଟ୍‌ଙ୍କ ୨୦୧୭, ଏପ୍ରିଲ ୨୬ ରାୟକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପ୍ୟାନେଲରୁ ଜୁନିୟର ଇଂଜିନିୟରଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର