ଢେଙ୍କାନାଳ : ଭୁବନେଶ୍ବର ଜୟଦେବ ବିହାରଠାରୁ କଳିଙ୍ଗ ଷ୍ଟାଡିୟମ୍ ଛକ ପର୍ଯ୍ୟନ୍ତ ରାସ୍ତାକୁ ଏଭରେଷ୍ଟ ବିଜୟିନୀ କଳ୍ପନା ଦାସଙ୍କ ନାମରେ ନାମିତ କରାଯାଉ। ଏହି ଦାବିରେ ଅଲ୍ଟ୍ରା ମାରାଥନ୍ ଦୌଡ଼ାଳି ଦୀପ୍ତି ଦାଶ ଢେଙ୍କାନାଳରୁ ଭୁବନେଶ୍ବର ପର୍ଯ୍ୟନ୍ତ ଦୌଡ଼ିଛନ୍ତି। ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଉଦ୍ୟମ କରିଛନ୍ତି।
୨୦୦୮ ମସିହାରେ ରାଜ୍ୟର ପ୍ରଥମ ମହିଳା ଏଭରେଷ୍ଟ ଆରୋହିଣୀ କଳ୍ପନା ଦାସ ୨୦୦୮ ମସିହାରେ ହିମାଳୟର ସର୍ବୋଚ୍ଚ ଶୃଙ୍ଗରେ ପହଞ୍ଚିଥିଲେ। ସେଠାରେ ଓଡ଼ିଆଙ୍କ ଆରାଧ୍ୟଦେବତା ମହାପ୍ରଭୁ ଜଗନ୍ନାଥଙ୍କ ବାନା ସହ ଜାତୀୟ ପତାକା ଉଡ଼ାଇଥିଲେ। ଏଥିପାଇଁ ତାଙ୍କୁ ରାଜ୍ୟ ତଥା ଜିଲ୍ଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ଦ୍ବିତୀୟଥର ପାଇଁ ୨୦୧୯ ମସିହାରେ ଏଭରେଷ୍ଟ ଆରୋହଣ କରି ଶୀର୍ଷରେ ପହଞ୍ଚିଥିଲେ। ତେବେ, ଫେରିବା ବାଟରେ ଅମ୍ଳଜାନ ଅଭାବରୁ ସେ ଗୁରୁତର ହୋଇପଡ଼ିଥିଲେ। ତଳକୁ ଅଣାଯାଇ ଚିକିତ୍ସା କରାଯାଉଥିବା ସମୟରେ ତାଙ୍କର ପରଲୋକ ହୋଇଯାଇଥିଲା। ତାଙ୍କ ମରଶରୀର ଓଡ଼ିଶାରେ ପହଞ୍ଚିବା ପରେ ଭୁବନେଶ୍ବରଠାରୁ ଢେଙ୍କାନାଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଭାବବିହ୍ବଳ ହୋଇ ଅନେକ ସଂଗଠନ ଏବଂ ଜିଲ୍ଲା ପ୍ରଶାସନ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କର ଏହି କୃତିତ୍ବ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇରହିବ।
ତାଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବ ପାଇଁ ଭୁବନେଶ୍ବର ଜୟଦେବ ବିହାର ଛକଠାରୁ କଳିଙ୍ଗ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ କଳ୍ପନା ଦାସଙ୍କ ନାମରେ ନାମିତ କରିବାକୁ ଅଲଟ୍ରା ମାରଥନ୍ ରନର୍ ଦୀପ୍ତି ଦାଶ ଦାବି କରିଛନ୍ତି। ଏହି ଦାବିକୁ ସରକାରଙ୍କ ପାଖରେ ପହଂଚାଇବା ପାଇଁ ସେ ଆଜି ଢେଙ୍କାନାଳ ସହର କାଞ୍ଚନ ବଜାର ଦଣ୍ତାସାହିସ୍ଥିତ କଳ୍ପନାଙ୍କ ଘରଠାରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ପର୍ଯ୍ୟନ୍ତ ୬୬କିଲୋମିଟର ଦୌଡ଼ିଛନ୍ତି। ୨୦୧୯ ମସିହା ଅଗଷ୍ଟ ୧୫ ତାରିଖରେ ଏହି ଦାବିକୁ ନେଇ ଢେଙ୍କାନାଳରୁ ଭୁବନେଶ୍ବର ପର୍ଯ୍ୟନ୍ତ ଦୌଡ଼ିଥିବା ସିଦ୍ଧାର୍ଥ ଶଙ୍କର ଦାସ ମଧ୍ୟ ଦୀପ୍ତିଙ୍କ ସହ ସାମିଲ୍ ହୋଇଛନ୍ତି।
ଏହି ଦୌଡ଼ ଆଜି ଭୋର ୪ଟାରୁ ଆରମ୍ଭ ହୋଇଥିଲା। କଳ୍ପନାଙ୍କ ମା’ ଜାତୀୟ ପତାକା ଦେଖାଇ ଦୌଡ଼ର ଶୁଭାରମ୍ଭ କରିଥିଲେ। ଏହି ସମୟରେ କଳ୍ପନାଙ୍କ ପରିବାରର ସଦସ୍ୟମାନେ ଶଙ୍ଖ ବଜାଇ, ଦୀପ ଜଳାଇ ବନ୍ଦାପନା କରି ରନର୍ ଦୀପ୍ତିଙ୍କୁ ତାଙ୍କର ଏହି ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଇଥିଲେ।
ସୂଚନାଯୋଗ୍ୟ, ଦୀପ୍ତି ଜଣେ ସଫ୍ଟଓୟାର ଇଞ୍ଜିନିୟର। ତାଙ୍କର ଏଭଳି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/DHE-1.jpg)