ପ୍ରତ୍ୟକ୍ଷ ନିର୍ବାଚନକୁ ପୂର୍ବତନ ପୌରାଧ୍ୟକ୍ଷଙ୍କ ସ୍ବାଗତ

ପ୍ରାର୍ଥୀ ଚୟନ ଗୁରୁତ୍ବପୂର୍ଣ୍ଣ: ତ୍ରିଲୋଚନ କାନୁନ୍‌ଗୋ
ମହାନଗର ନିଗମର ମେୟର ଅଥବା ପୌର ପରିଷଦର ଅଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ କରିବାକୁ ସରକାରଙ୍କ ନିଷ୍ପତ୍ତି ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ ଯେଉଁ ବ୍ୟକ୍ତି ଏହି ପଦବିକୁ ନିର୍ବାଚିତ ହୋଇ ଆସିବେ, ତାଙ୍କର ଆଭିମୁଖ୍ୟ ଉପରେ ଅନେକ କିଛି ନିର୍ଭର କରୁଛି। ସେ ଅଧିକରୁ ଅଧିକ ଲୋକାଭିମୁଖୀ କାର୍ଯ୍ୟ କରିବାକୁ ଆଗ୍ରହ ରଖୁଥିବା ଆବଶ୍ୟକ। ସିଧାସଳଖ ନିର୍ବାଚନରେ ସାଧାରଣରେ ଭଲ ନେତା ନିର୍ବାଚିତ ହେବାର ସମ୍ଭାବନା ଅଧିକ। କିନ୍ତୁ ଅନେକ କିଛି ନିର୍ଭର କରୁଛି ବିଭିନ୍ନ ଦଳର ପ୍ରାର୍ଥୀ ଚୟନ ଉପରେ। ଭଲ ଲୋକ ପଦବିକୁ ଆସିଲେ ଜନସାଧାରଣ ତାହାର ଫାଇଦା ପାଇବେ। ତେଣୁ ଏଭଳି ନିର୍ବାଚନରେ ରାଜନୈତିକ ଦଳଙ୍କର ବି ଅନେକ ଉତ୍ତରଦାୟିତ୍ବ ରହୁଛି। ଭଲ ଲୋକ ନିର୍ବାଚନରେ ଲଢ଼ିବା ପାଇଁ ଆଗେଇ ଆସିବା ଆବଶ୍ୟକ।
ପୂର୍ବତନ ଅଧ୍ୟକ୍ଷ (ସିଧାସଳଖ ଭାବେ ଶେଷ ନିର୍ବାଚିତ ବ୍ୟକ୍ତି) କଟକ ପୌର ପରିଷଦ

ପୌରପାଳିକା ଆଇନର ମଧୢ ପରିବର୍ତ୍ତନ ଆବଶ୍ୟକ: ଚନ୍ଦ୍ରଶେଖର ସାହୁ
ପୌରାଧୢକ୍ଷ ଓ ମହାନଗର ନିଗମର ମେୟର ପଦବି ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହାଦ୍ବାରା ନିର୍ବାଚିତ ହୋଇଥିବା ବ୍ୟକ୍ତିଜଣକ ଜନସାଧାରଣଙ୍କ ନିକଟରେ ପ୍ରତ୍ୟକ୍ଷ ଭାବେ ଉତ୍ତରଦାୟୀ ରହିବା ସହ କାର୍ଯ୍ୟକଳାପରେ ମଧୢ ସ୍ବଚ୍ଛତା ରହିବ। କେବଳ ପ୍ରତ୍ୟକ୍ଷ ନିର୍ବାଚନ କଲେ ହେବ ନାହିଁ, ପୌରପାଳିକାର ଆଇନକୁ ମଧୢ ପରିବର୍ତ୍ତନ କରି ନିର୍ବାଚିତ ବ୍ୟକ୍ତିଙ୍କୁ କ୍ଷମତା ହସ୍ତାନ୍ତର କରାଗଲେ ଉକ୍ତ ପଦପଦବିର ମର୍ଯ୍ୟାଦା ରହିବା ସହ କାର୍ଯ୍ୟ କରିବାର ସୁଯୋଗ ମିଳିବ। ୧୯୯୨ରେ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ବ୍ରହ୍ମପୁର ପୌର ପରିଷଦରେ କ˚ଗ୍ରେସ ଦଳରୁ ପ୍ରାର୍ଥି ହୋଇ ପୌରାଧୢକ୍ଷ ଭାବେ ସିଧାସଳଖ ନିର୍ବାଚନରେ ଲଢ଼ି ବିଜୟ ହାସଲ କରିଥିଲି। ପୂର୍ବରୁ ମଧୢ ପରୋକ୍ଷ ନିର୍ବାଚନରେ ପୌରାଧୢକ୍ଷ ଭାବେ କାର୍ଯ୍ୟ କରିଥିଲି କିନ୍ତୁ ପ୍ରତ୍ୟକ୍ଷ ନିର୍ବାଚନରେ ଲଢ଼ି କାର୍ଯ୍ୟ କରିବାର ଅନୁଭୁତି ନିଆରା ବୋଲି ଶ୍ରୀ ସାହୁ କହିଛନ୍ତି।
ସା˚ସଦ ତଥା ପୂର୍ବତନ ନଗରପାଳ

ଅନାସ୍ଥା ପ୍ରସ୍ତାବକୁ ନେଇ ଆଇନଗତ ତର୍ଜମା ହେଉ : ସୁରେଶ ପୂଜାରୀ
ମୁଁ ପ୍ରତ୍ୟକ୍ଷ ନିର୍ବାଚନର ସପକ୍ଷବାଦୀ। ପ୍ରତ୍ୟକ୍ଷ ନିର୍ବାଚନର ସବୁଠାରୁ ମହତ୍ବପୂର୍ଣ୍ଣ ଦିଗ ହେଲା ପୌରସଂସ୍ଥା ଘୋଡ଼ା ବେପାରରୁ ମୁକ୍ତି ପାଇଯିବ। ପୌରାଧ୍ୟକ୍ଷଙ୍କୁ ଲୋକେ ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ କଲେ ପ୍ରତ୍ୟକ୍ଷ ଭାବେ ଜନତାଙ୍କଠାରେ ତାଙ୍କର ଉତ୍ତରାଦାୟିତ୍ବ ରହିବ। ପୌରାଧ୍ୟକ୍ଷ ଲୋକଙ୍କର ଜନାଦେଶ ପାଇଥିବା କାରଣରୁ ଜନତାଙ୍କ ସହିତ କାଉନସିଲରମାନଙ୍କ ମାଧ୍ୟମରେ ପରୋକ୍ଷ ସଂପର୍କ ନହୋଇ ସିଧାସଳଖ ସଂପର୍କ ହେବ। ଜନତାଙ୍କ କାର୍ଯ୍ୟ କରିବା ପାଇଁ ପ୍ରତ୍ୟକ୍ଷ ଶକ୍ତି ବୃଦ୍ଧି ପାଇବ। ତେବେ, ସେଥିରେ କେବଳ ଅନାସ୍ଥା ପ୍ରସ୍ତାବକୁ ନେଇ ଆଇନଗତ ତର୍ଜମା ହେବା କଥା। ଲୋକେ ପ୍ରତ୍ୟକ୍ଷ ନିର୍ବାଚନରେ ପୌରାଧ୍ୟକ୍ଷଙ୍କୁ ଭୋଟ ଦେବେ, କାଉନସିଲରମାନେ ଦୁଇ ବର୍ଷ ପରେ ତାଙ୍କ ବିରୋଧରେ ଅନାସ୍ଥା ଆଣିବେ, ଏହା ଗ୍ରହଣୀୟ ହେଉ ନାହିଁ। ଯଦି, ଅନାସ୍ଥା ପ୍ରସ୍ତାବର ଆବଶ୍ୟକତା ରହିଛି, ଅନାସ୍ଥାରେ ପଦଚ୍ୟୁତ କରିବାର ଅଧିକାର ଜନତାକୁ ମିଳିବା କଥା ବୋଲି ଶ୍ରୀ ପୂଜାରୀ କହିଛନ୍ତି।
ପୂର୍ବତନ ନଗରପାଳ, ସମ୍ବଲପୁର ପୌର ପରିଷଦ;
ସାଂସଦ, ବରଗଡ଼ ଲୋକସଭା

ପ୍ରତ୍ୟକ୍ଷ ନିର୍ବାଚନ ରାଜନୈତିକ କ୍ଷେତ୍ରକୁ ଦୃଢ଼ କରିଥିଲା: ଜ୍ୟୋତିରିନ୍ଦ୍ର ନାଥ ମିତ୍ର
ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ରାଜ୍ୟରେ ପ୍ରତ୍ୟକ୍ଷ ପୌର ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଖୋର୍ଦ୍ଧା ବିଜ୍ଞପିତ ଅଞ୍ଚଳ ପରିଷଦ ଥିଲା। ଏହି ସମୟରେ ଖୋର୍ଦ୍ଧାରୁ ବର୍ତ୍ତମାନର ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ। କଂଗ୍ରେସ ତାଙ୍କୁ ସମର୍ଥନ ଦେଇଥିଲା। ନିର୍ବାଚନ ସମ୍ପର୍କରେ ନିଜ ଅଭିଜ୍ଞତାର ସ୍ମୃତିଚାରଣ କରି ଶ୍ରୀ ମିତ୍ର କହିଛନ୍ତି, ଏହି ନିର୍ବାଚନ ତାଙ୍କ ରାଜନୈତିକ କ୍ଷେତ୍ରକୁ ସୁଦୃଢ଼ କରିଥିଲା। ଅଞ୍ଚଳର ବିକାଶ ପାଇଁ ଲୋକଙ୍କ ସହଯୋଗ ମଧ୍ୟ ମିଳିଥିଲା। ଓଡ଼ିଶାର ବରପୁତ୍ର ବିଜୁବାବୁଙ୍କ ସେହି ଯୁଗାନ୍ତକାରୀ ନିଷ୍ପତ୍ତିକୁ ପୁଣି ନବୀନ ପଟ୍ଟନାୟକ କାର୍ଯ୍ୟକାରୀ କରିଛନ୍ତି। ଏହା ଏକ ଉତ୍ତମ ପଦକ୍ଷେପ। ପୌର ପରିଷଦର ଅଧ୍ୟକ୍ଷମାନେ ପୂର୍ବରୁ କେବଳ କାଉନସିଲର୍‌ଙ୍କ ଉପରେ ନିର୍ଭରଶୀଳ ଥିଲେ। ବର୍ତ୍ତମାନ ସିଧାସଳଖ ଲୋକଙ୍କ ସହ ଯୋଡ଼ି ହେବାର ସୁଯୋଗ ମିଳିବ ବୋଲି ଶ୍ରୀ ମିତ୍ର ମତ ଦେଇଛନ୍ତି।
ବିଧାୟକ, ଖୋର୍ଦ୍ଧା

ପୌରାଧ୍ୟକ୍ଷ ସମଗ୍ର ପୌରାଞ୍ଚଳ ପ୍ରତି ସମାନ ଗୁରୁତ୍ବ ଦେବେ: ମହେଶ୍ବର
ଚଳିତ ଥର ମେୟର, ପୌରାଧ୍ୟକ୍ଷ ପଦବି ପାଇଁ ସିଧାସଳଖ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏଭଳି ସ୍ଥିତିରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅମଳରେ ପୌରାଧ୍ୟକ୍ଷ ପଦ ପାଇଁ ପ୍ରଥମ ଥର ୧୯୯୨ ମସିହାରେ ହୋଇଥିବା ସିଧାସଳଖ ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉକ୍ତ ନିର୍ବାଚନରେ ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ମହେଶ୍ବର ମହାନ୍ତି ସିଧାସଳଖ ବିଜୟୀ ହେବା ସହ ପୁରୀ ପୌରାଧ୍ୟକ୍ଷ ପଦ ଅକ୍ତିଆର କରିଥିଲେ। ସେ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ଜନତା ଦଳରୁ ଲଢ଼ିଥିଲେ। ତେବେ ଦୀର୍ଘ ଦିନ ପରେ ସରକାର ପୁଣିଥରେ ପୌରାଧ୍ୟକ୍ଷ ପଦବି ପାଇଁ ପ୍ରତ୍ୟକ୍ଷ ନିର୍ବାଚନ କରୁଥିବାରୁ ଶ୍ରୀ ମହାନ୍ତି ଏହାକୁ ସ୍ବାଗତ କରିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି, ପ୍ରତ୍ୟକ୍ଷ ନିର୍ବାଚନ ହେଲେ ନିର୍ବାଚିତ ପୌରାଧ୍ୟକ୍ଷ ସମଗ୍ର ପୌରାଞ୍ଚଳ ପ୍ରତି ସମାନ ଗରୁତ୍ବ ଦେବେ। ସେ କୌଣସି ଏକ ନିର୍ଦ୍ଦିଷ୍ଟ ୱାର୍ଡରୁ ପ୍ରତିନିଧିତ୍ବ କରୁ ନ ଥିବାରୁ ପୌରାଞ୍ଚଳର ସମସ୍ତ ୱାର୍ଡର ବିକାଶ ପ୍ରତି ପ୍ରତିଶ୍ରୁତିବଦ୍ଧ ହୋଇ କାମ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

‌ଘୋଡ଼ା ବେପାର ବନ୍ଦ ହେବ: ଜିତୁ ପଟ୍ଟନାୟକ
‌ପୂର୍ବରୁ ମୁଁ ୧୯୯୨ ମସିହାରେ ସିଧାସଳଖ ଭାବେ ନିର୍ବାଚନ ଲଢ଼ି କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାର ଅଧ୍ୟକ୍ଷ ଭାବେ ବିଜୟୀ ହୋଇଥିଲି। ବର୍ତ୍ତମାନ ସେହି ପୁରୁଣା ନିଷ୍ପତ୍ତିକୁ ସରକାର ଦୋହରାଇଛନ୍ତି। ଯାହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ।

କାଉନସିଲରମାନେ ପୌରାଧ୍ୟକ୍ଷଙ୍କୁ ଚୟନ କରୁଥିଲେ। କିନ୍ତୁ ସେମାନେ ଜନସାଧାରଣଙ୍କ ଦ୍ବାରା ଗ୍ରହଣୀୟ ହୋଇପାରୁ ନଥିଲେ। ବର୍ତ୍ତମାନ ସିଧାସଳଖ ନିର୍ବାଚନ ହେଲେ ଭୋଟର ନିଜ ପସନ୍ଦ ମୁତାବକ ସୁଖଦୁଃଖରେ ସାଥୀ ହେଉଥିବା ପ୍ରାର୍ଥୀଙ୍କୁ ଅଧ୍ୟକ୍ଷ ଭାବେ ବାଛିପାରିବେ। ଏହାଦ୍ବାରା ବହୁ ଯୋଗ୍ୟ ପ୍ରାର୍ଥୀ ଲୋକଲୋଚନକୁ ଆସିବେ। ଘୋଡ଼ା ବେପାର ବନ୍ଦ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ଜିତୁ ପଟ୍ଟନାୟକ, ପୂର୍ବତନ ନଗରପାଳ, ଯୋଡ଼ା

ସମ୍ବନ୍ଧିତ ଖବର