ଡିସେମ୍ବର ୧ରୁ ପୁଣି ବ୍ୟାଙ୍କକ୍‌କୁ ବିମାନ ଉଡ଼ାଣ

ବେଙ୍ଗାଲୁର ପାଇଁ ବି ବୁକିଂ ଆରମ୍ଭ

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୧ତାରିଖରୁ ପୁଣି ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ ହେବ। ଏଥିପାଇଁ ଏୟାର ଇଣ୍ଡିଆ ପକ୍ଷରୁ ବୁକିଂ ଆରମ୍ଭ ହୋଇଯାଇଛି। ପରିଚାଳନାଗତ ସମସ୍ୟା ଦର୍ଶାଇ ଜୁଲାଇ ୧୬ତାରିଖରୁ ବିମାନ ଉଡ଼ାଣ ବନ୍ଦ କରିଦେଇଥିବା ଏୟାର ଇଣ୍ଡିଆ ପୁଣି ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି।

ଜୁଲାଇ ୧୬ତାରିଖରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜଣାଇଥିଲେ ଯେ, ଜୁଲାଇ ୧୬ରୁ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ପରିଚାଳନାଗତ ସମସ୍ୟା ଯୋଗୁଁ ଏହି ରୁଟ୍‌ରେ ବିମାନ ଉଡ଼ାଣ କରିବନି। ସେହିପରି ଭୁବନେଶ୍ୱରରୁ ବେଙ୍ଗାଲୁରକୁ ଉଡ଼ାଣ କରୁଥିବା ଏହି ବିମାନର ଉଡ଼ାଣ ବି ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବାତିଲ୍‌ କରାଯାଇଛି। ଏହି ସମୟରେ କୌଣସି ବୁକିଂ ନରଖିବାକୁ ସମସ୍ତ ଟୁର୍‌ ଅପରେଟର ଏବଂ ଟ୍ରାଭେଲ୍‌ ଏଜେନ୍ସିଗୁଡ଼ିକୁ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଥିଲା। ଭୁବନେଶ୍ୱରରୁ ବିମାନ ଯାତ୍ରା କରୁଥିବା ଯାତ୍ରୀ ଆଶା ରଖିଥିଲେ ଯେ, ନଭେମ୍ବର ୧ରୁ ବ୍ୟାଙ୍କକ୍‌ ଓ ବେଙ୍ଗାଲୁରକୁ ବିମାନ ଉଡ଼ାଣ ହେବ। କିନ୍ତୁ ବିମାନ ଉଡ଼ାଣ ଆରମ୍ଭ ହେବାରେ ପୁଣି ବିଳମ୍ବ ହେବ। ଏହି ଦୁଇଟି ରୁଟ୍‌ରେ ଡିସେମ୍ବର ୧ରୁ ହିଁ ବିମାନ ଉଡ଼ାଣ ଆରମ୍ଭ ହେବ। ଏଥିପାଇଁ ଦୁଇଟି ରୁଟ୍‌ରେ ବୁକିଂ ଆରମ୍ଭ ହୋଇଛି।  ଅପରପକ୍ଷେ ହଜ୍‌ ଯାତ୍ରା ପାଇଁ ଏୟାର ଇଣ୍ଡିଆ ଭୁବନେଶ୍ୱର-ବ୍ୟାଙ୍କକ୍‌ ବିମାନ ଉଡ଼ାଣ ବାତିଲ୍‌ କରିଥିଲା ବୋଲି ଚର୍ଚ୍ଚା ହୋଇଥିଲା। ନଭେମ୍ବର ଶେଷ ସୁଦ୍ଧା ସମସ୍ତ ହଜ୍‌ ଯାତ୍ରୀ ଫେରି ଆସୁଥିବାରୁ ପୁଣି ଏହି ବିମାନ ଉଡ଼ାଣ ଆରମ୍ଭ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ଡିସେମ୍ବର ୧ରୁ ବିମାନ ଉଡ଼ାଣ ନେଇ ଏୟାର ଇଣ୍ଡିଆର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ କୌଣସି ସୂଚନା ଆସିନାହିଁ ବୋଲି ଷ୍ଟେସନ ମ୍ୟାନେଜର କହିଛନ୍ତି।

ଅପରପକ୍ଷେ ଏୟାର ଇଣ୍ଡିଆ ବ୍ୟାଙ୍କକ୍‌କୁ ବିମାନ ଉଡ଼ାଣ ବନ୍ଦ କରିବା ପରେ ହାରୋ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖା ଯାଇଥିଲା। ଏୟାର ଇଣ୍ଡିଆକୁ ବିମାନ ଉଡ଼ାଣ କରିବା ପାଇଁ ଚାପ ପକାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। କିନ୍ତୁ ମନ୍ତ୍ରଣାଳୟ ଏଦିଗରେ କିଛି ପଦକ୍ଷେପ ନେଇନଥିଲା। ଏୟାର ଇଣ୍ଡିଆ ବିଦେଶକୁ ବିମାନ ଉଡ଼ାଣ ପାଇଁ ରାଜ୍ୟ ସରକାରଙ୍କ ଠାରୁ କୌଣସି ପ୍ରକାରର ସବ୍‌ସିଡି ନେଉନଥିବାରୁ ଏୟାର ଇଣ୍ଡିଆ ବିମାନ ଉଡ଼ାଣ କଲେ କି ନକଲେ ଆମେ କିଛି କାର୍ଯ୍ୟାନୁଷ୍ଠାନ ନେଇପାରିବୁନି ବୋଲି ସାଧାରଣ ପ୍ରଶାସନ ବିଭାଗର ଜଣେ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଡିସେମ୍ବର ୧୦, ୨୦୧୭ରେ ଏୟାର ଇଣ୍ଡିଆ ଭୁବନେଶ୍ୱରକୁ ବିମାନ ଉଡ଼ାଣ ଆରମ୍ଭ କରିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏହି ଉଡାଣର ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର