ଅଧ୍ୟକ୍ଷ, ମେୟରଙ୍କ ପ୍ରତ୍ୟକ୍ଷ ନିର୍ବାଚନ ଓ ପୌର ନିଗମ ସଂଶୋଧନ ବିଲ୍‌ ପାରିତ

ଭୁବନେଶ୍ୱର: ଏଣିକି ପୌର ନିଗମର ମେୟର, ପୌରପାଳିକା ଓ ପୌର ପରିଷଦର ଅଧ୍ୟକ୍ଷ ପଦବି ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବ। ଆଜି ଗୃହରେ ଏସଂକ୍ରାନ୍ତ ଆଗତ ଓଡ଼ିଶା ପୌର ନିଗମ (ସଂଶୋଧନ) ବିଲ୍‌ ୨୦୦୩ ପାରିତ ହୋଇଛି। ଏହା ସହିତ ଓଡ଼ିଶା ପୌର (ସଂଶୋଧନ) ବିଲ୍‌ ୨୦୧୮ ମଧ୍ୟ ଗୃହୀତ ହୋଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉଭୟ ସଂଶୋଧନ ବିଲ୍‌ ଗୃହରେ ଉପସ୍ଥାପନ କରିଥିଲେ। ସେ କହିଲେ ଯେ ପୌର ନିଗମ ୨୦୦୩ ସଂଶୋଧନ ଅନୁଯାୟୀ ପୌରାଞ୍ଚଳର ପ୍ରତ୍ୟେକ ଓ୍ଵାର୍ଡରୁ ଜଣେ ପ୍ରାର୍ଥୀ ସିଧାସଳଖ ଭାବେ ଅଧ୍ୟକ୍ଷ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ସେହିପରି ମହାନଗର ନିଗମରେ ଜଣେ ମେୟର ପଦବି ପାଇଁ ସିଧାସଳଖ ଲଢ଼ିପାରିବେ। ଏହା ଫଳରେ ଘୋଡ଼ାବେପାର ବନ୍ଦ ହେବା ସହିତ ବିଭିନ୍ନ ଅନିଶ୍ଚିତତା ଦୂର ହୋଇପାରିବ। ମେୟର ଓ ଅଧ୍ୟକ୍ଷ ପଦବିର ମର୍ଯ୍ୟାଦା ବୃଦ୍ଧି ପାଇବ ବୋଲି ଶାସକ ଦଳର ସଭ୍ୟମାନେ ମତ ଦେଇଥିଲେ। କେନ୍ଦ୍ରୀୟ ଆଇନ ଅନୁଯାୟୀ ରାଜ୍ୟରେ ଓଡ଼ିଶା ପୌର(ସଂଶୋଧନ) ବିଲ୍‌ ଅଣାଯାଇଛି। କୁଷ୍ଠ ରୋଗୀମାନେ ନିର୍ବାଚନରେ ଅଂଶଗ୍ରହଣ କରିବା ହେଉଛି ଏହି ବିଲ୍‌ର ମୁଖ୍ୟ ଆଭିମୁଖ୍ୟ। ଚିକିତ୍ସା ବିଜ୍ଞାନର ଉନ୍ନତି ଫଳରେ କୁଷ୍ଠ ରୋଗ ଆରୋଗ୍ୟ ହୋଇପାରୁଛି। ଏଣୁ ସେମାନଙ୍କ ପାଇଁ ବାଛବିଚାର କରାଯିବ ନାହିଁ। ସେମାନେ ସାଧାରଣ ବ୍ୟକ୍ତିମାନଙ୍କ ଭଳି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ବୋଲି ବିଲ୍‌ରେ ଆଇନଗତ ବ୍ୟବସ୍ଥା କରାଯାଇଛି। ଏହି ୨ଟି ବିଲ୍‌ ନେଇ ହୋଇଥିବା ଆଲୋଚନାରେ ସରକାରୀ ଦଳର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବେଦପ୍ରକାଶ ଅଗ୍ରଓ୍ଵାଲା, ପ୍ରିୟଦର୍ଶୀ ମିଶ୍ର, ଅଶ୍ୱିନୀ ପାତ୍ର, ଜୀବନ ପ୍ରଦୀପ ଦାଶ, ପ୍ରଭାତ ରଂଜନ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ସେଠୀ, ସାଇବା ସୁଶୀଲ ହାଂସଦା, ଆକାଶ ଦାସନାୟକ, ରୋହିତ ପୂଜାରୀ, ସନାତନ ମହାକୁଡ଼, ମହେଶ ସାହୁ, ପଦ୍ମନାଭ ବେହେରା, ନିତ୍ୟାନନ୍ଦ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର