ଏଣିକି ଅନ୍‌ଲାଇନ୍‌ରେ ଦାଖଲଖାରଜ

ମାର୍ଚ୍ଚ ୩୧ ସୁଦ୍ଧା ସବୁ ତହସିଲ୍‌ରେ ମିଳିବ ସୁବିଧା

ଭୁବନେଶ୍ୱର : ଏଣିକି ଅନ୍‌ଲାଇନ୍‌ ମାଧ୍ୟମରେ ତହସିଲ୍‌ଗୁଡ଼ିକରେ ଦାଖଲ ଖାରଜ କାର୍ଯ୍ୟ କରାଯିବ। ଏଥି ପାଇଁ ଅନ୍‌ଲାଇନ୍‌ ମ୍ୟୁଟେସନ୍‌ ଓ ତହସିଲ୍‌ ସମ୍ପର୍କିତ ତଥ୍ୟ ପ୍ରଦାନ ନିମନ୍ତେ ପ୍ରତ୍ୟକ୍ଷ ଓ୍ଵବ୍‌ ଆଧାରିତ ବ୍ୟବସ୍ଥା ‘ଡୁଇଷ୍ଟ୍‍’(ଡାଇରେକ୍ଟ୍‌ ଓ୍ଵବ୍‌ ବେସ୍‌ଡ୍‌ ଇନ୍‌ଫର୍ମେସନ୍‌ ସିଷ୍ଟମ୍‌ ଅଫ୍‌ ତହସିଲ୍‌) ଆରମ୍ଭ କରାଯାଇଛି। ଆଜି ସଚିବାଳୟରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏହାର ଶୁଭାରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୫ଟି ଜିଲ୍ଲାର ୩୮ଟି ତହସିଲ୍‌ରେ ଅନ୍‌ଲାଇନ୍‌ ମ୍ୟୁଟେସନ୍‌ ଆରମ୍ଭ କରାଯାଇଛି। ଆଗାମୀ ୧୫ ଦିନ ଭିତରେ ୧୦୦ଟି ତହସିଲ୍‌ରେ ଅନ୍‌ଲାଇନ୍‌ରେ ମ୍ୟୁଟେସନ୍‌ କାର୍ଯ୍ୟ କରାଯିବ। ସେହିପରି ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ୩୧୭ଟି ତହସିଲ୍‌ରେ ଅନ୍‌ଲାଇନ୍‌ରେ ଦାଖଲଖାରଜ କାର୍ଯ୍ୟ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥି ପାଇଁ ବିଏସ୍‌ଏନ୍‌ଏଲ୍‌ ସହଯୋଗରେ ତହସିଲ୍‌ଗୁଡ଼ିକୁ ୨ ଏମ୍‌ବିପିଏସ୍‌ ସଂଯୋଗ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ସଂପୃକ୍ତ ରାଜସ୍ୱ କର୍ମଚାରୀଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯାଇଛି ଓ ଅନ୍‌ଲାଇନ୍‌ ମାଧ୍ୟମରେ ହେଉଥିବା ରାଜସ୍ୱ କାର୍ଯ୍ୟର ସୁପରିଚାଳନା ଓ ତଦାରଖ କରିବା ପାଇଁ ଏକ ପ୍ରୋଜେକ୍ଟ ମ୍ୟାନେଜ୍‌ମେଣ୍ଟ୍‌ ୟୁନିଟ୍‌ ଖୋଲାଯାଇଛି।

ଆଜି ଏହି ବ୍ୟବସ୍ଥାର ଆରମ୍ଭ କରି ମନ୍ତ୍ରୀ ଶ୍ରୀ ମହାନ୍ତି କହିଥିଲେ, ରାଜସ୍ୱ ପ୍ରଶାସନରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ମାଧ୍ୟମରେ ଲୋକମାନଙ୍କ ନିକଟତର ହେବା ସହ ବିଭିନ୍ନ ରାଜସ୍ୱ ସେବାକୁ ସେମାନଙ୍କ ନିକଟରେ ପହଞ୍ଚାଇବାରେ ସହାୟକ ହେବ। ଅନ୍‌ଲାଇନ୍‌ରେ ଦାଖଲଖାରଜ ମାମଲା ଫଇସଲା କରାଯିବା ଦ୍ୱାରା ଏହି କାର୍ଯ୍ୟରେ ସ୍ୱଚ୍ଛତା ଓ ପାରିଦର୍ଶିତା ଆସିବା ସହ ବକେୟା ମାମଲାଗୁଡ଼ିକର ଶୀଘ୍ର ଫଇସଲା ହୋଇପାରିବ। ଏହା ସହ ତହସିଲ୍‌ଗୁଡ଼ିକରେ ଓ୍ଵବ୍‌ସାଇଟ୍‌ ଖୋଲାଯାଇ ରାଜସ୍ୱ ସଂକ୍ରାନ୍ତୀୟ ସବିଶେଷ ତଥ୍ୟ ଜନସାଧାରଣଙ୍କ ନିମନ୍ତେ ଉପଲବ୍ଧ କରାଯିବ। ଜାନୁଆରି ୧୫ ସୁଦ୍ଧା ସମସ୍ତ ତହସିଲ୍‌ ଓ୍ଵବ୍‌ସାଇଟ୍‌ରେ ସବୁ ତଥ୍ୟ ଅପ୍‌ଲୋଡ୍‌ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମନ୍ତ୍ରୀ ଶ୍ରୀ ମହାନ୍ତି ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଠାରୁ ତହସିଲ୍‌ରେ ଅନ୍‌ଲାଇନ୍‌ ମ୍ୟୁଟେସନ୍‌ ବ୍ୟବସ୍ଥା ଓ ଡୁଇଷ୍ଟର୍‌ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ରାଜସ୍ୱ ବିଭାଗର ପ୍ରମୁଖ ସଚିବ ଚନ୍ଦ୍ରଶେଖର କୁମାରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର