୩୦ ଦିନରେ କ୍ଷତିପୂରଣ ଦେବାକୁ ଟିଭି କଂପାନିକୁ ନିର୍ଦ୍ଦେଶ

ବ୍ୟାସନଗର : ବାରମ୍ବାର ଟିଭି ଖରାପ ହେବା ଏବଂ ମରାମତି କରିବାକୁ ଗଲେ ଗ୍ରାହକଙ୍କୁ ଉପଯୁକ୍ତ ସେବା ଯୋଗାଇ ନଦିଆଯିବା ଅଭିଯୋଗରେ ଖାଉଟି ଅଦାଲତ ସଂପୃକ୍ତ କମ୍ପାନିକୁ ୧ଲକ୍ଷ୧୫ ହଜାର ଟଙ୍କା ଜରିମାନା ସହ ଟିଭିର ସଂପୂର୍ଣ୍ଣ ମୂଲ୍ୟ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବ୍ୟାସନଗର ପୌରାଞ୍ଚ‌ଳ ସନ୍ତରା ନିକଟ ମୋହନ ଭିଲ୍ଲାରେ ରହୁଥିବା ବିନୋଦ ବେହେରା ୨୦୧୬ ନଭେମ୍ବର ୨୨ରେ ଏଲ୍‌ଜି କମ୍ପାନିର ୪କେ ସିରିଜିର ୫୫ ଇଞ୍ଚର ଟିଭି କିଣିଥିଲେ। ଏହାର ମୂଲ୍ୟ ୧ଲକ୍ଷ ୧୫ ଟଙ୍କା ରହିଥିଲା। କମ୍ପାନି ପକ୍ଷରୁ ତାଙ୍କୁ ୨ବର୍ଷିଆ ଗ୍ୟାରେଣ୍ଟି କାର୍ଡ ପ୍ରଦାନ କରାଯାଇଥିଲା। ୬ମାସ ପରେ ଯାନ୍ତ୍ରିକ ତ୍ରୁଟିରୁ ଟିଭି ଚାଲିନଥିଲା। ବିନୋଦ ଏ ବିଷୟରେ କଂପାନିର ଗ୍ରାହକ ସେବାକେନ୍ଦ୍ରରେ ଅନ୍‌ଲାଇନ୍‌ରେ ଅଭିଯୋଗ କରିଥିଲେ। ଏହାପରେ ଟିଭି ମରାମତି ହୋଇଥିଲା। ଏହାପରେ ଟିଭିଟି ବାରମ୍ବାର ଖରାପ ହୋଇଥିବା ବେଳେ ଉପଯୁକ୍ତ ମରାମତି ସେବା ମିଳିନଥିଲା। ଶେଷରେ ଗ୍ରାହକ ଜଣକ ୨୦୨୦ ଅଗଷ୍ଟ ୨୬ରେ ଯାଜପୁର ରୋଡ୍‌ ଥାନାରେ ଅଭିଯୋଗ କରିଥିଲେ।

ସେଠାରେ ମାସକ ଭିତରେ ନୂଆ ଟିଭି ଦେବାର ପ୍ରତିଶ୍ରୁତି ମିଳିଥିଲା କିନ୍ତୁ କଂପାନି ଯୋଗାଇ ନଥିଲା। ଫଳରେ ସେ ବାଧ୍ୟ ହୋଇ ଖାଉଟି ଅଦାଲତରେ ଆଶ୍ରୟ ନେଇଥିଲେ। ଖାଉଟି ଅଦାଲତ ମାମଲାର ଶୁଣାଣି କରି ଟିଭିର ମୂଲ୍ୟ ୧ଲକ୍ଷ ୧୫ହଜାର ଟଙ୍କା ସହିତ ସୁଧ ବାବଦ ଅର୍ଥ, ମାନସିକ ନିର୍ଯାତନା ବାବଦରେ ୧ଲକ୍ଷ, ଆଇନଗତ ଖର୍ଚ୍ଚ ୩୦ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୩୦ ଦିନ ଭିତରେ ଉପରୋକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ନି​ର୍ଦ୍ଦେଶ ହୋଇଛି।

ସମ୍ବନ୍ଧିତ ଖବର