ଭୁବନେଶ୍ବର : ଓଡ଼ିଶାରେ କୋଭିଡ ନମୁନା ପରୀକ୍ଷଣ ହ୍ରାସ ପାଇଛି। ରାଜ୍ୟରେ ସଂକ୍ରମଣ ବଢ଼ୁଥିବା ବେଳେ ନମୁନା ପରୀକ୍ଷା ହ୍ରାସ ପାଇବା ଚିନ୍ତାଜନକ। ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଲୋକଙ୍କ ସମାଗମ ବୃଦ୍ଧି ପାଇବ। ତେଣୁ ଏଥିପାଇଁ ସତର୍କ ରହିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ଓଡ଼ିଶାକୁ ମନ୍ତ୍ରଣାଳୟ ପକ୍ଷରୁ ଚିଠି ଜାରି ହୋଇଛି।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଗତ ୧ମାସ ଧରି ଓଡ଼ିଶାରେ କରୋନା ସଂକ୍ରମଣ ବେଶ୍ ଉଚ୍ଚ ରହିଛି। ଦେଶରେ ଗୋଟିଏ ସପ୍ତାହରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତାହାର ୫ ପ୍ରତିଶତ କେବଳ ଓଡ଼ିଶାରୁ ବାହାରୁଛନ୍ତି। ଏହାସହ ଅଗଷ୍ଟ ୫ତାରିଖ ସୁଦ୍ଧା ରାଜ୍ୟର ସଂକ୍ରମଣ ହାର ୪.୫ ପ୍ରତିଶତ ରହିଛି। ରାଜ୍ୟର ୧୫ଟି ଜିଲ୍ଲାରେ ନମୁନା ପରୀକ୍ଷା ହ୍ରାସ ପାଇଛି। ଜୁଲାଇ ୨୮ତାରିଖ ଓ ଅଗଷ୍ଟ ୪ତାରିଖ ମଧ୍ୟରେ ନମୁନା ପରୀକ୍ଷାରେ ହ୍ରାସ ପରିଲକ୍ଷିତ ହେଉଛି। ଏହି ସମୟରେ ୧୦ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବେଶ୍ ଉଚ୍ଚ ଥିବା ବେଳେ ୪ଟି ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ଦେଖିବାକୁ ମିଳିଛି। ଏ ଦୃଷ୍ଟିରୁ ରାଜ୍ୟରେ ଯଥେଷ୍ଟ କୋଭିଡ ନମୁନା ପରୀକ୍ଷା କରାଯିବା ଜରୁରୀ।
ଚିଠି ଲେଖିଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
ଟିକାକରଣ ସମେତ କୋଭିଡ ନିୟମକୁ ପାଳନ କରିବା ଉପରେ ଗୁରୁତ୍ବ
ସେହିପରି କରୋନାର ଲକ୍ଷଣରେ ସାମାନ୍ୟ ପରିବର୍ତନ ହୋଇଛି। ଏ ଦୃଷ୍ଟିରୁ ଆଇଏଲଆଇ ଓ ଏସ୍ଏଆରଆଇ ରୋଗୀଙ୍କ ଉପରେ ନଜର ରଖାଯିବା ଜରୁରୀ। ଗୋଟିଏ କ୍ଲଷ୍ଟର କିମ୍ବା ବିଦେଶରୁ ଫେରୁଥିବା ବ୍ୟକ୍ତିମାନଙ୍କ ନମୁନାକୁ ଜିନ୍ ଅନୁଶୀଳନ ପାଇଁ ପଠାଇବା ଉଚିତ୍। ଏହାସହ ଦେଶର ୭୫ତମ ସ୍ବାଧୀନତା ଦିବସ ପାଇଁ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ମାଗଣା ପ୍ରିକସନ୍ ଡୋଜ୍ ଟିକାକରଣ ଜାରି ରହିଛି। ଏ ସମୟରେ ୧୮ବର୍ଷରୁ ଅଧିକ ସମସ୍ତ ବର୍ଗକୁ ଟିକା ପ୍ରଦାନ ଉପରେ ପଦକ୍ଷେପ ନିଆଯାଉ। ଟେଷ୍ଟ-ଟ୍ରାକ-ଟ୍ରିଟ୍-ଟିକାକରଣ ଓ ଲୋକମାନେ ଯେପରି କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରିବେ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟକୁ ପରାମର୍ଶ ଦିଆଯାଇଛି।
ରାଜ୍ୟରେ କରୋନା ସଂକ୍ରମଣ ୮ଶହ ଉପରେ ସ୍ଥିର ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟର ସଂକ୍ରମଣ ହାର ୩.୯୩ ପ୍ରତିଶତ ଥିବା ବେଳେ ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ ଓ କଳାହାଣ୍ଡିରେ ଉଚ୍ଚ ସଂକ୍ରମଣ ହାର ରହିଛି। ରାଜ୍ୟରେ ଆଉ ନୂଆ ୮୩୬ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩,୧୮,୧୪୫କୁ ବୃଦ୍ଧି ପାଇଛି। ଏହାସହ ଆଉ ଜଣେ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀଭାବେ ସୂଚନା ଦିଆଯାଇଛି।