ରାଉରକେଲା: ନୂଆ କୋର୍ଟ ପରିସରରେ ଆଜି ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତାଲୁକ ଆଇନ ସେବା କମିଟି, ପାନପୋଷର ଅଧ୍ୟକ୍ଷ ତଥା ପ୍ରଥମ ଅତିରିକ୍ତ ଜିଲ୍ଲାଜଜ୍ ଡା. ଭି. ସୁଜାତା ଅଧ୍ୟକ୍ଷତା କରିଥିଲେ। ଏହି ଜାତୀୟ ଲୋକ ଅଦାଲତରେ ୧୨୬ଟି ମାମଲା ସମାଧାନ କରାଯାଇଥିଲା। ଏହାସହ କ୍ଷତିପୂରଣ ବାବଦକୁ ୫ କୋଟି ୯୭ ଲକ୍ଷ ୨୩ ହଜାର ୭୨୦ ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି।
ପରିବାର ଅଦାଲତରେ ବିଚାରପତି ବିଦ୍ୟୁତ କୁମାର ମିଶ୍ର ୩ଟି ବୈବାହିକ ମାମଲା ଓ ଅନ୍ୟମାନ ୧୪ଟି ମାମଲା ପରିଚାଳନା କରିଥିଲେ। ୪୦ଟି ଚେକ୍ ଦେଣନେଣ ମାମଲାର ସମାଧାନ କରି ୫୦ ଲକ୍ଷ ୨୮ ହଜାର ୭୧୯ ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ମୋଟ୍ ୪୯ ଦୁର୍ଘଟଣାଜନିତ ମାମଲାର ଶୁଣାଣି କରାଯିବା ଇନ୍ସ୍ୟୁରାନ୍ସ କମ୍ପାନିକୁ ୩ କୋଟି ୪୭ ଲକ୍ଷ ୯୨ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ହୋଇଛି। ସେହିଭଳି ୧୯ଟି ମନି ରିକଭରୀ ମାମଲାରେ ୧ କୋଟି ୯୯ ଲକ୍ଷ ୩୦୦୧ ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଥିବାବେଳେ ୩ଟି ଅପରାଧିକ ମାମଲା ମଧ୍ୟ ସମାଧାନ କରାଯାଇଛି। ବରିଷ୍ଠ ସିଭିଲ ଜଜ୍ ଚିତ୍ତରଂଜନ ମିଶ୍ର, ଏସ୍ଡିଜେଏମ୍ ଅରୋଲିପି ପରିଜା, ସିଭିଲ ଜଜ୍ ଚରଣ କୁମାର ଜେନା, ଜେଏମ୍ଏଫ୍ସି ସୌରଭ ଶର୍ମା, ଉମାକାନ୍ତ ବେହେରା, ଈର୍ଷିତା କେଶରୱାନୀ ପ୍ରମୁଖ ବିଭିନ୍ନ କୋର୍ଟ ପରିଚାଳନା କରିଥିଲେ। ଉଲ୍ଳେଖଯୋଗ୍ୟ, ରାଜଗାଙ୍ଗପୁର ସ୍କାନ ଷ୍ଟିଲର ଜଣେ କର୍ମଚାରୀଙ୍କ ସ୍ତ୍ରୀ ନିତୁ ଶର୍ମା ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହି ମାମଲାର ସମାଧାନ କରି ବଜାଜ୍ ଇନ୍ସ୍ୟୁରାନ୍ସ କମ୍ପାନିକୁ ୩୦ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀ ଗୋବିନ୍ଦ ଶର୍ମାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର ମାମଲା ପରିଚାଳନା କରିଥିଲେ। ଅଦାଲତ ପରିଚାଳନାରେ ଆଇନଜୀବୀ ବି.ସି. ନାୟକ, କେ.ସି. ପ୍ରଧାନ, ବି.ଏନ. ପରିହାରୀ, ଅମୂଲ୍ୟ ମହାପାତ୍ର, ନିର୍ମଳ ସ୍ବାଇଁ, ପାଣ୍ଡବ ପାତ୍ର, ଏ.ବି. ଷଡ଼ଙ୍ଗୀ, ସୁଶାନ୍ତ ବାରିକ, ମନୋଜ ପଟ୍ଟନାୟକ ଏସ. ହୋତା, ସନ୍ତୋଷ ନାୟକ, ସଦାନନ୍ଦ ସାହୁଙ୍କ ସମେତ ସ୍ବେଚ୍ଛାସେବୀ ସ୍ନେହଲତା ପଟ୍ଟନାୟକ, ଏନ. ଜେନା ସହଯୋଗ କରିଥିଲେ।