ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ଅନ୍ତର୍ଗତ ମାନବୀର ଆଶ୍ରମ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀ ଚାନ୍ଦିନୀ ଆଲଡା(୧୨)ଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତ ଏପ୍ରିଲ ୨୬ରେ କଟକରେ ମୃତ୍ୟୁ ହୋଇଥିଲା। ଏହାପରେ ଚାନ୍ଦିନୀଙ୍କ ମୃତଦେହକୁ ଗୋଟିଏ ଭଡ଼ା କାର ଡ଼ିକିରେ ଭର୍ତ୍ତି କରି ସେହି କାରରେ ତାଙ୍କରି ପରିବାର ଲୋକଙ୍କୁ ଘରକୁ ପଠାଇଥିଲେ। ଏହି ଘଟଣାକୁ ନେଇ ସେତେବେଳେ ଆଦିବାସୀ ସଂଗଠନ ତରଫରୁ ସରକାରଙ୍କୁ ସମାଲୋଚନା କରାଯାଇଥିଲା।
ଏ ସମ୍ପର୍କରେ ସରକାରୀ ସହାୟତା ଏବଂ ଏହାର ତଦନ୍ତ ସହିତ ନ୍ୟାୟ ପ୍ରଦାନ ପାଇଁ ମୃତା ଚାନ୍ଦିନୀଙ୍କ ଭଉଣୀ ଲଷ୍ମୀ ଆଲଡା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପୁଲିସ ମହାନିର୍ଦେଶକ, ମାନବାଧିକାର କମିସନ, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ରୂପେ ଜଣାଇଥିଲେ। ଦୁଇଦିନ ତଳେ ଏହାର ତଦନ୍ତ ପାଇଁ ମାନବାଧିକାର କମିସନ ତରଫରୁ ସାନକୁଲେଇବିରାସ୍ଥିତ ମୃତ ଚାନ୍ଦିନୀଙ୍କ ଘରକୁ ଯାଇ ସେଠାରେ ଅଭିଯୋଗକାରୀ ଲଷ୍ମୀ ଆଲଡାଙ୍କ ସମେତ ତାଙ୍କରି ମାତାପିତାଙ୍କୁ ଭେଟିଥିଲେ।
ଆଜି ରାଜ୍ୟପାଳ ଉକ୍ତ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଏହାର ତଦନ୍ତ ପାଇଁ ଏସଏସଡ଼ି ପ୍ରମୁଖ ସଚିବଙ୍କୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଅଭିଯୋଗକାରୀ ଲଷ୍ମୀ ଆଲଡ଼ାଙ୍କୁ ମଧ୍ୟ ଚିଠି ମାଧ୍ୟମରେ ଅବଗତ କରାଯାଇଥିବା ଜଣାପଡିଛି।