ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାରେ ଅସହାୟ ଆହତ ପିଲାଙ୍କୁ ଚିହ୍ନଟ କରି ଯଥାଶୀଘ୍ର ସମସ୍ତ ପ୍ରକାର ସହାୟତା ପ୍ରଦାନ ପାଇଁ ନିର୍ଦେଶ ଦେଇଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଏତେ ବଡ଼ ବିପର୍ଯ୍ୟୟରେ କେତେ ସଂଖ୍ୟକ ଶିଶୁଙ୍କ ମୃତ୍ୟୁ ହୋଇଛି ଏବଂ କେତେ ଆହତ ହୋଇଛନ୍ତି ଏ ସମ୍ପର୍କରେ ସ୍ପଷ୍ଟ ସୂଚନା କାହା ପାଖରେ ନାହିଁ।
ବାଲେଶ୍ବର, ଭଦ୍ରକ, କଟକ ଏବଂ ଖୋର୍ଧା ଜିଲ୍ଲାପାଳ ଏବଂ ଏସପିଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଥିବା ପତ୍ରରେ ଶିଶୁ କମିସନ ଜଣାଇଛନ୍ତି, ବାହାନଗାର ଏହି ଦୁର୍ଘଟଣାରେ ଅନେକ ସଂଖ୍ୟାରେ ଲୋକ ମୃତାହତ ହୋଇଛନ୍ତି। ସାଧାରଣତଃ ଏଭଳି ଘଟଣାରେ ପିଲାମାନେ ହିଁ ସର୍ବାଧିକ କ୍ଷତିଗ୍ରସ୍ତ ହୁଅନ୍ତି। କୌଣସି ପିଲା ଉଦ୍ଧାର ହୋଇନପାରିଲେ କିମ୍ବା ତାଙ୍କ ଅଭିଭାବକଙ୍କ ଚିହ୍ନଟ ହୋଇନପାରିଲେ ସେମାନଙ୍କ ଅସହାୟତାର ଫାଇଦା ଉଠାଇ କିଛି ଅସମାଜିକ ବ୍ୟକ୍ତି ସେମାନଙ୍କୁ ଚାଲାଣ କରିବାର ଆଶଙ୍କା ଥାଏ। ଏଭଳି ଅସହାୟ ପିଲାଙ୍କୁ ଦେଖିଲେ ୧୦୯୮ ଚାଇଲ୍ଡ ଲାଇନ, ୧୧୨ ପୁଲିସ ହେଲ୍ପ ଲାଇନ ଏବଂ ୧୮୦୦-୩୪୫-୪୪୯୪ ଓଡ଼ିଶା ରାଜ୍ୟ କମିସନଙ୍କୁ ଜଣାଇବାକୁ ଅନୁରୋଧ କରାଯାଇଛି। ଏଥିସହିତ ୭ ଦିନ ମଧ୍ୟରେ ଏସଂକ୍ରାନ୍ତରେ ରିପୋର୍ଟ ପ୍ରଦାନ ପାଇଁ ବାଲେଶ୍ବର, ଭଦ୍ରକ, କଟକ ଓ ଖୋର୍ଧାର ଜିଲ୍ଲାପାଳ, ଏସ୍ପି କୁହାଯାଇଛି।