ତିନି ଡିଇଓଙ୍କୁ ୫ ହଜାର ଟଙ୍କା ଲେଖାଏ ଜରିମାନା
ମୋକଦ୍ଦମା ବାବଦ ଖର୍ଚ୍ଚ ଦେବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ
କଟକ : ଅଦାଲତ ଅବମାନନା ମାମଲାରେ ଗଲା ନଭେମ୍ବର ୩ରେ ଦୋଷୀ ସାବ୍ୟସ୍ତ ହୋଇଥିବା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାଶ, ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) କୃଷ୍ଣଚନ୍ଦ୍ର ନାୟକ, ଜଗତସିଂହପୁର ଡିଇଓ ସପନ କୁମାର ଜେନା ଓ ପୁରୀ ଡିଇଓ ବିଶ୍ବନାଥ ଘୋଷ ଆଜି ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ହାଇକୋର୍ଟ ମାମଲାର ଶୁଣାଣି କରି ଆଜି ତିନି ଡିଇଓଙ୍କ ଉପରେ ୫ ହଜାର ଟଙ୍କା ଲେଖାଏ ଜରିମାନା କରିଛନ୍ତି। ଏଥିସହିତ ଏହି ସବୁ ଅଦାଲତ ଅବମାନନା ମାମଲାରେ ମୋକଦ୍ଦମା ଖର୍ଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସହିତ ତିନି ଡିଇଓ ବହନ କରିବେ, ଏଥିପାଇଁ ସରକାରୀ ତହବିଲରୁ କୌଣସି ଅର୍ଥ ଖର୍ଚ୍ଚ ହେବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଭବିଷ୍ୟତରେ ଏପରି ଘଟଣାର ଯେପରି ପୁନାରାବୃତ୍ତି ନ ହେବ, ସେଥିପାଇଁ ଶୁଣାଣି ସମୟରେ ଉପସ୍ଥିତ ଥିବା ଅଧିକାରୀଙ୍କୁ ହାଇକୋର୍ଟ ଚେତାବନୀ ଦେଇଥିଲେ। ମାମଲାର ଶୁଣାଣି ସମୟରେ ଅଦାଲତଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇଥିବା ନେଇ ଅଧିକାରୀମାନେ ହାଇକୋର୍ଟଙ୍କୁ ଅବଗତ କରିଥିଲେ। ଆଜି ହାଇକୋର୍ଟ ଏ ସଂପର୍କିତ ପାଞ୍ଚଟି ଅଦାଲତ ଅବମାନନା ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟଯେ, ଅଣତାଲିମପ୍ରାପ୍ତ ଗ୍ରାଜୁଏଟ ହିନ୍ଦୀ ଶିକ୍ଷକଙ୍କୁ ୪୮ ବର୍ଷ ବୟସ ପରେ ତାଲିମପ୍ରାପ୍ତ ଗ୍ରାଜୁଏଟ ସ୍କେଲ ଅଫ୍ ପେ ପ୍ରଦାନ ସଂକ୍ରାନ୍ତୀୟ ପ୍ରସଙ୍ଗରେ ଅଦାଲତ ଅବମାନନା ନେଇ ମାମଲା ରୁଜୁ ହୋଇଥିଲା।
ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସମରେନ୍ଦ୍ର ପଟ୍ଟନାୟକ, ଅରବିନ୍ଦ ସାହୁ ଓ ଅଶୋକ କୁମାର ରାଉତ ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Orissa-High-Court.jpg)