ଭୁବନେଶ୍ବର : ‘ତୁ ମୋ ସୁନା ଚଢ଼େଇ’ ଅଡିଓ ରିଲିଜ୍ ବେଳେ ଅଭିନେତ୍ରୀ ଏଲ୍ସା ଘୋଷ ଓ ନିର୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ମଧ୍ୟରେ ଚାଲିଥିବା ବିବାଦର ଆପୋସ ସମାଧାନ ଉଦ୍ୟମ ଫସର ଫାଟିଯାଇଛି। ଓଲିଉଡ୍ର କେତେକ ଆଗଧାଡ଼ିର ପ୍ରଯୋଜକ ଓ ନିର୍ଦେଶକ ଏହି ବିବାଦର ସମାଧାନ ଉଦ୍ୟମ କରିବାକୁ ଏକାଠି ହୋଇଥିଲେ ମଧ୍ୟ ଏହା ସଫଳ ହୋଇପାରି ନାହିଁ। ଏଲସା ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯେଉଁ ମତ ରଖିଥିଲେ ସେଥିରେ ସମସ୍ତ ଯୋଜନା ପଣ୍ଡ ହୋଇଯାଇଥିଲା।ଶେଷରେ ପରିସ୍ଥିତି ଏମିତି ହୋଇଥିଲା ଯେ ଏଲ୍ସା ମଞ୍ଚ ଛାଡ଼ି ପଳାଇଥିଲେ।
ଏଲ୍ସା ଗଣମାଧ୍ୟମକୁ କହିଥିଲେ ଯେ, ଗତ ୧୪ ତାରିଖରେ ଅଶୋକନଗର ସ୍ଥିତ ଏକ ହୋଟେଲ୍ରେ ଚଳଚ୍ଚିତ୍ରର ଅଡିଓ ରିଲିଜ୍ ବେଳେ ନିର୍ଦେଶକ ଶ୍ରୀ ପଣ୍ଡାଙ୍କ ବିରୋଧରେ ଅଭିଯୋଗ ଆଣିବା ପରଠାରୁ ତାଙ୍କ ଉପରେ ବିଭିନ୍ନ ଆଡ଼ୁ ଚାପ ପଡ଼ିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଓଲିଉଡ୍ରେ ବଙ୍ଗୀୟ ଯୁବତୀମାନଙ୍କୁ ସୁଯୋଗ ଦିଆଯିବ ନାହିଁ। ଏଭଳି କଥା ଶୁଣିବା ପରେ ସେ ବଙ୍ଗୀୟ କଳାକାରଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେବାକୁ ଚାହିଁ ନଥିଲେ। ଏହି ଘଟଣାର ସମାଧାନ ହେବା ଦରକାର ବୋଲି ସେ ଚିନ୍ତା କରିଥିଲେ। ତେଣୁ ଉଭୟଙ୍କ ମଧ୍ୟରେ ହୋଇଥିବା ଏହି ଭୁଲ ବୁଝାମଣା ଆଗକୁ ନ ବଢ଼ିବା ଦରକାର ବୋଲି ଏଲ୍ସା କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ଆମ ଭିତରେ କାଷ୍ଟିଂ କାଉଚ୍ କି #ମିଠୁ’ ଭଳି କିଛି ଘଟଣା ଘଟିନାହିଁ। ସୁଟିଂ ପାଇଁ ମୋତେ ୨୪ ଦିନ କହିଥିଲେ, ହେଲେ ଆଜି କାଲି କହି ସମୟ ୪୨ ଦିନ ପର୍ଯ୍ୟନ୍ତ ଗଡ଼ାଇ ଦେଇଥିଲେ। ସୁଟିଂ ନକରି ବସାଇ ଦେଉଥିଲେ। ମାନସିକ ଓ ଶାରୀରିକ ନର୍ଯାତନା ଦେବାଭଳି ପରିସ୍ଥିତି ସୃ୍ଷ୍ଟି ହୋଇଥିଲା। ଦିଲ୍ଲୀପ ସାର୍ଙ୍କୁ ଏ ବିଷୟରେ ଯେତେ କହିଥିଲେ ମଧ୍ୟ ସେ ଶୁଣି ନଥିଲେ। ଏହାକୁ ନେଇ ସେ ଉତ୍କ୍ଷିପ୍ତ ହୋଇପଡ଼ିଥିଲେ। ଫଳରେ ଅଡିଓ ରିଲିଜ୍ ଦିନ ରାଗ ସମ୍ଭାଳି ନ ପାରି ଏକଥା ଲୋକଲୋଚନକୁ ଆଣିଥିଲେ ବୋଲି ଏଲ୍ସା କହିଥିଲେ।
ଏଲ୍ସାଙ୍କ ମୁହଁରୁ ଏଭଳି କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ। ଦିଲ୍ଲୀପ ପଣ୍ଡାଙ୍କୁ ‘ଜିରୋ’ କହିବା, ସେ ଆପଣଙ୍କ ସହ କ’ଣ କରିଛନ୍ତି, ଏହାକୁ ସର୍ବ ସମ୍ମୁଖକୁ ଆଣିବେ ବୋଲି ଚିତ୍କାର କରି କ୍ୟାମେରା ସମ୍ମୁଖରେ ଯାହା କହିଥିଲେ ତାହା କ’ଣ ସବୁ ଭୁଲ୍ ଥିଲା? ସାମ୍ବାଦିକମାନଙ୍କ ଏପରି ପ୍ରଶ୍ନ ପରେ ଏଲ୍ସା ମତ ବଦଳାଇଥିଲେ। କହିଥିଲେ, ମୁଁ ଯାହା କହିଥିଲି ଠିକ୍ କହିଥିଲି। ଶ୍ରୀ ପଣ୍ଡା ମୋ ସମ୍ବେଦନଶୀଳ ସ୍ଥାନକୁ ଛୁଇଁଛନ୍ତି। ଦରକାର ପଡ଼ିଲେ ଏ ନେଇ କୋର୍ଟରେ କେସ୍ କରିବେ ବୋଲି ଏଲ୍ସା କହିଛନ୍ତି।
ଅନ୍ୟପକ୍ଷରେ ନିର୍ଦେଶକ ଶ୍ରୀ ପଣ୍ଡା କହିଛନ୍ତି ଯେ, ଏଲ୍ସା ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ମୁଁ ତାଙ୍କୁ କୌଣସି ପ୍ରକାର ଶାରୀରିକ କିମ୍ବା ମାନସିକ ନିର୍ଯାତନା ଦେଇନାହିଁ। ସୁଟିଂ ସମୟରେ ବିଭିନ୍ନ କାରଣକୁ ନେଇ ଡେରି ହୋଇଥାଏ। ଏହା ଆଜିକାଲିର କଥା ନୁହେଁ ପୂର୍ବରୁ ବଡ଼ବଡ଼ କଳାକାର ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଯଦି ଏଭଳି ବିଳମ୍ବକୁ ନେଇ ନିର୍ଯାତନାର ଆଖ୍ୟା ଦିଆଯାଏ ତା ହେଲେ ମୁଁ ଏବିଷୟରେ କିଛି କହିପାରିବିନି। ଏହା କହିବି ଯେ, ଯଦି ଧୈର୍ଯ୍ୟ ନାହିଁ ତା’ହେଲେ ଅଭିନୟ ଜଗତକୁ ଆସନାହିଁ। ଏମିତି ମିଛିସତ କହି ଖାଲି ମୋତେ ନୁହେଁ ବରଂ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ମିଛ ବଦନାମକୁ ଠେଲ ନାହିଁ। ଏହାଛଡ଼ା ସେ ସ୍ବୀକାର କରିଛନ୍ତି ଯେ, ଏଭଳି ମିଛ ଅଭିଯୋଗ ପରେ ବଙ୍ଗୀୟ ଯୁବତୀଙ୍କୁ ଓଲିଉଡ୍ରୁ ବ୍ୟାନ୍ କରିବା ଓ ଅଭିନୟ କରିବା ପାଇଁ ସୁଯୋଗ ନଦେବା ନେଇ ପ୍ରଯୋଜକ ଓ ନିର୍ଦେଶକଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ହେଲେ ସେ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ କି ଆଗାମୀ ଦିନରେ ନିଆଯିବ ନାହିଁ ତାହା ସେ ସ୍ପଷ୍ଟ କରିଛନ୍ତି।