ଏବେ ପ୍ରିକସନ ଡୋଜ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି: ପରିବାର କଲ୍ୟାଣ ନିର୍ଦେଶକ

ଭୁବନେଶ୍ବର: ରାଜ୍ୟରେ କରୋନ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତାକାଲିଠାରୁ ୧୮ରୁ ୫୯ ବର୍ଗର ଲୋକଙ୍କୁ ମାଗଣା ଟିକାକରଣ ଆରମ୍ଭ ହେଉଛି। ଯେହେତୁ ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ଘଟୁଛି, ତେବେ ସମସ୍ତ ବର୍ଗର ଲୋକଙ୍କୁ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ୯୮% ୧୨ରୁ ୧୪ ବର୍ଷର ପିଲାଙ୍କର ପ୍ରଥମ ଡୋଜ, ୭୨% ଦ୍ୱିତୀୟ ଡୋଜ ଦିଆଯାଇଛି। ଠିକ୍ ସେହିପରି ୯୨% ୧୫ରୁ ୧୭ ବର୍ଷ ପିଲାଙ୍କୁ ପ୍ରଥମ ଡୋଜ ଏବଂ ୮୨%ଙ୍କର ଦ୍ୱିତୀୟ ଡୋଜ ଟିକାକରଣ କରାଯାଇଛି। ୧୮ରୁ ଅଧିକ ବୟସ ବର୍ଗର ଲୋକଙ୍କର ୯୬% ପ୍ରଥମ ଡୋଜ ଏବଂ ୯୦%ଙ୍କର ଦ୍ୱିତୀୟ ଡୋଜ ଟିକାକରଣ ସରିଛି।

ବର୍ତ୍ତମାନ ପ୍ରିକସନ ଡୋଜ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। କରୋନା ଯୋଦ୍ଧା, ସମ୍ମୁଖ ଧାଡ଼ିର ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ ଓ ୬୦ ବର୍ଷରୁ ଅଧିକ ଲୋକମାନଙ୍କ ମଧ୍ୟରୁ ୨୮%ଙ୍କର ଟିକାକରଣ କରାଯାଇଛି।

ଆସନ୍ତାକାଲିଠାରୁ ୧୮ରୁ ୫୯ ବର୍ଷର ନାଗରିକମାନଙ୍କର ପ୍ରିକ୍ସନ ଡୋଜ ମାଗଣାରେ ଦିଆଯିବ। ଏହା ୭୫ ଦିନ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ପାଖାପାଖି ୩ ହଜାର ସରକାରୀ ଟିକାକରଣ କେନ୍ଦ୍ର ରହିଛି। ସେଠି ମାଗଣାରେ ଟିକାକରଣ କରିପାରିବେ। କେନ୍ଦ୍ରଗୁଡ଼ିକରେ ଟିକା ଦେବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି। ଯଦି ମାଗଣାରେ ଏଭଳି ଟିକାକରଣ ଦିଆଯିବ ତେବେ ରାଜ୍ୟରେ ସେତିକି ପରିମାଣରେ ଟିକା ନାହିଁ। ତେବେ ଆହୁରି ଟିକା ଆବଶ୍ୟକ ପଡ଼ିବ। ଏହି ବର୍ଗର ୨ କୋଟି ୬୫ ଲକ୍ଷ ୮୫ ହଜାର ହିତାଧିକାରୀ ଅଛନ୍ତି। ସେଥିମଧ୍ୟରୁ ମାତ୍ର ୧ ଲକ୍ଷ ୫୦ ହଜାର ହିତାଧିକାରୀ ପ୍ରିକ୍ସନ୍ ଡୋଜ ନେଇଛନ୍ତି। ଅର୍ଥାତ ୯୯% ଆହୁରି ଟିକା ନେଇନାହାନ୍ତି। ଏହି ଟିକାକରଣ ପାଇଁ ଉଭୟ ବ୍ୟବସ୍ଥା କରାଯାଇଛି। ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଟିକାକରଣ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗକୁ କୌଣସି ଲିଖିତ ଭାବରେ ନିର୍ଦ୍ଦେଶ ଆସିନାହିଁ। ତେବେ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ସହିତ ବୈଠକ ରହିଛି। ଏହି ବୈଠକରେ ଆସନ୍ତାକାଲି ମାଗଣା ଟିକାକରଣ ନେଇ ଆଲୋଚନା ହେବ।

ସମ୍ବନ୍ଧିତ ଖବର