ଭୁବନେଶ୍ବର: ରାଜ୍ୟରେ କରୋନାର ସ୍ଥିତିକୁ ନେଇ ନିଜର ମତ ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ଏବେ କୋଭିଡ ସଂକ୍ରମଣ ଧୀରେ ଧୀରେ ରାଜ୍ୟରେ ବଢ଼ୁଛି। ଆଲାରାମିଙ୍ଗ ସିଚୁଏସନ ନାହିଁ।ନିଜର ସୁରକ୍ଷା ନିଜେ ନିଅନ୍ତୁ। ଭିଡ଼ ସ୍ଥାନକୁ ଯାଆନ୍ତୁ ନାହିଁ। ଭିଡ଼ ଜାଗାକୁ ଯାଉଥିଲେ, ମାସ୍କ ପିନ୍ଧନ୍ତୁ। ଟିକା ନେଇଥିଲେ ବି ମାସ୍କ ପିନ୍ଧନ୍ତୁ। ତାହେଲେ ଆପଣ ସୁରକ୍ଷିତ ରହିବେ। ବର୍ତ୍ତମାନ କୋଭିଡକୁ ନିୟନ୍ତ୍ରଣ କରିବାକୁ ପୁରୁଣା ଷ୍ଟ୍ରଟେଜି ଆପଣେଇଛୁ। ଟିକାକରଣ ସହ ସର୍ଭେଲାନ୍ସକୁ ଜୋରଦାର କରାଯାଇଛି। ଜୁନ ୨୧ ତାରିଖରୁ ଇଣ୍ଟିଗ୍ରେଟେଡ ସର୍ଭେଲାନ୍ସ ଆରମ୍ଭ ହେବ। ଏଥିରେ ଘର ଘର ବୁଲି ରୋଗୀଙ୍କୁ ଚିହ୍ନଟ କରାଯିବ। ଚିହ୍ନଟ ରୋଗୀଙ୍କୁ ଆଇସୋଲେସନ କରାଯାଇ ଚିକିତ୍ସା କରାଯିବ। ଲ୍ୟାବ ଟେଷ୍ଟ, ଆରଆରଟି, ସର୍ଭେଲାନ୍ସ ଆଦିରେ ଆବଶ୍ୟକ ମାନବ ସମ୍ବଳ ବଢାଇବାକୁ ସବୁ ମେଡିକାଲ କଲେଜକୁ ନିର୍ଦେଶ ଦିଆଯାଇଛି।

Advertisment

ଏଣେ ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ ପାଲଣିଗ୍ରାହୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୯ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେଇନାହାନ୍ତି। ରାଜ୍ୟର ୪୦ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ପ୍ରିକସନ ଡୋଜ ଟିକା ନେଇନାହାନ୍ତି। ତେବେ ନବେ ପ୍ରତିଶତ ଫ୍ରଣ୍ଟଲାଇନ ୱାର୍କର ପ୍ରିକସନ ଡୋଜ ଟିକା ନେଇ ସାରିଛନ୍ତି। ୧୮ ବର୍ଷରୁ ଉର୍ଦ୍ଧ୍ବ ୯୬ ପ୍ରତିଶତ ପ୍ରଥମ ଡୋଜ, ୧୨ରୁ ୧୪ ବର୍ଷ ବୟସ୍କ ବର୍ଗର ୯୧ ପ୍ରତିଶତ, ୧୫ରୁ ୧୭ ବର୍ଷ ବୟସ୍କ ବର୍ଗର ୮୦ ପ୍ରତିଶତ ପ୍ରଥମ ଡୋଜ ଟିକା ନେଇସାରିଛନ୍ତି। ବର୍ତ୍ତମାନ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟରେ ଆରମ୍ଭ ହୋଇଛି ହର ଘର ଦସ୍ତକ କାର୍ଯ୍ୟକ୍ରମ। ଏଥିରେ କିଏ ପ୍ରଥମ ଡୋଜ ନେଇଛି, କିଏ ଦ୍ୱିତୀୟ ଡୋଜ ନେଇଛି, କିଏ ପ୍ରିକସନ ଡୋଜ ନେଇଛି, କିଏ ଟିକା ନେଇନାହାନ୍ତି ତାହା ଚିହ୍ନଟ କରାଯାଇ ମୋବାଇଲ ଭ୍ୟାନ ଜରିଆରେ ଘର ଘର ବୁଲି ଟିକା ଦିଆଯାଉଛି। ଜୁନ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜରିଆରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୪୬ ହଜାର ୩୩୪ ଡୋଜ ଟିକା ଦିଆସରିଛି। ଏବେ ରାଜ୍ୟର ୨୨୭୭ଟି ଟିକାକରଣ କେନ୍ଦ୍ରରେ ଟିକାଦାନ ଚାଲିଛି।