ଲକ୍ଷଣ ନଥିଲେ କୋଭିଡ ଟେଷ୍ଟ କରିବାର ଆବଶ୍ୟକ ନାହିଁ: ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ୱର: କୋଭିଡ ସଂକ୍ରମଣ ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଓ ହସ୍ପିଟାଲ ରେଟ ଦେଖିଲେ ରାଜ୍ୟ ଭଲ ସ୍ଥିତିରେ ରହିଛି। ଡେଞ୍ଜର ଜୋନରୁ ଖୁବ ଜଲଦି ଆମେ ବାହାରି ଯିବା। ଯେଉଁମାନେ ହସ୍ପିଟାଲକୁ ଅସ୍ତ୍ରୋପଚାର ଲାଗି ଆସୁଛନ୍ତି, ସେମାନଙ୍କ ଲକ୍ଷଣ ନଥିଲେ ଟେଷ୍ଟ କରିବାର ଆବଶ୍ୟକ ନାହିଁ। କେନ୍ଦ୍ର ସରକାର ଯେଉଁ ଗାଇଡଲାଇନ ଦେଇଛନ୍ତି ସେଇ ଅନୁସାରେ ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି। କୋଭିଡ ମୃତ୍ୟୁସଂଖ୍ୟା ମଧ୍ୟ ଧୀରେ ଧୀରେ ଧୀରେ କମିବ। ପୂର୍ବ ମୃତ୍ୟୁଗୁଡ଼ିକର ଅଡିଟ କରି ମୃତ୍ୟୁସଂଖ୍ୟା ପ୍ରକାଶ କରାଯାଉଛି।
ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୪୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୩୮୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୦୩ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୪ ଜଣ, ବାଲେଶ୍ୱରରୁ ୨୨ ଜଣ, ବରଗଡ଼ରୁ ୧୩ ଜଣ, ଭଦ୍ରକରୁ ୧୬ ଜଣ, ବଲାଙ୍ଗୀରରୁ ୨ ଜଣ, ବୌଦ୍ଧ ଜିଲ୍ଲାରୁ ୨୩, କଟକରୁ ୫୨ ଜଣ, ଦେବଗଡ଼ରୁ ୧୭ ଜଣ, ଢେଙ୍କାନାଳରୁ ୧୫ ଜଣ, ଗଜପତିରୁ ୩୮, ଗଞ୍ଜାମରୁ ୨୬ ଜଣ, ଜଗତସିଂହପୁରରୁ ୫୦ ଜଣ, ଯାଜପୁରରୁ ୪୭ ଜଣ, ଝାରସୁଗୁଡ଼ାରୁ ୨୪ ଜଣ, କଳାହାଣ୍ଡିରୁ ୧୦ ଜଣ, କନ୍ଧମାଳରୁ ୫ ଜଣ, କେନ୍ଦ୍ରାପଡ଼ାରୁ ୩୪ ଜଣ, କେଉଁଝରରୁ ୨୦ ଜଣ, ଖୋର୍ଦ୍ଧାରୁ ୧୫୯ ଜଣ, କୋରାପୁଟରୁ ୪୬ ଜଣ, ମାଲକାନଗିରିରୁ ୬ ଜଣ, ମୟୁରଭଞ୍ଜରୁ ୩୧ ଜଣ, ନବରଙ୍ଗପୁରରୁ ୬ ଜଣ, ନୟାଗଡ଼ରୁ ୨୧ ଜଣ, ନୂଆପଡ଼ାରୁ ୮ ଜଣ, ପୁରୀରୁ ୧୩ ଜଣ, ରାୟଗଡ଼ାରୁ ୧୮ ଜଣ, ସମ୍ୱଲପୁରରୁ ୨୯ ଜଣ, ସୋନପୁରରୁ ୧୮, ସୁନ୍ଦରଗଡ଼ରୁ ୮୮ ଜଣ ଓ ଷ୍ଟେଟ ପୁଲରୁ ୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨, ୭୯, ୦୪୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨, ୫୯, ୭୯୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୦, ୨୭୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧିତ ଖବର