ବ୍ରହ୍ମପୁର ଆଇଜର୍‌ ନିର୍ଦ୍ଦେଶକଙ୍କ ଆମେରିକାରେ ହୃଦ୍‌ଘାତରେ ପରଲୋକ

ବ୍ରହ୍ମପୁର: ବ୍ରହ୍ମପୁର ଆଇଜର୍‌ (ଇଣ୍ଡିଆନ ଇଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଏଜୁକେଶନ ଆଣ୍ଡ ରିସର୍ଚ୍ଚ)ର ନିର୍ଦ୍ଦେଶକ ପ୍ରଫେସର କେ. ଭେଙ୍କଟ ରମଣ ଚାରୀ(୬୮)ଙ୍କ ହୃଦ୍‌ଘାତରେ ବିୟୋଗ ଘଟିଛି। ପ୍ରଫେସର ଚାରୀ ୟୁଏସ୍‌ଏରେ ରହୁଥିବା ତାଙ୍କ ପୁଅ ଘରକୁ ଯାଇଥିଲେ। ଆଜି ଅପରାହ୍‌ଣ ପ୍ରାୟ ୩ଟା ୧୫ ମିନିଟ୍‌ରେ ସେ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ହୃଦ୍‌ଘାତ ଆଶଙ୍କା କରି ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବ୍ରହ୍ମପୁର ଆଇଜର୍‌ର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ବ୍ରହ୍ମପୁର ଆଇଜର୍‌ ତରଫରୁ ଆଇଟିଆଇ ପରିସରରେ ଥିବା କ୍ୟାମ୍ପସ୍‌ରେ ଏକ ଶୋକସଭା ଆୟୋଜନ କରାଯାଇ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା। ପ୍ରଫେସର ଚାରୀ ବ୍ରହ୍ମପୁର ଆଇଜର୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଥିଲେ। ସେ ଗତ ୨୦୧୭ ଅକ୍ଟୋବର ୧୦ତାରିଖରୁ ବ୍ରହ୍ମପୁର ଆଇଜର୍‌ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଓ ଦୁଇ ପୁଅ ଉପସ୍ଥିତ ଥିଲେ।

ତେଲେଙ୍ଗାନାର ଭୋଙ୍ଗିରରେ ୧୯୫୪ ଫେବ୍ରୁଆରି ୧୦ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ହାଇଦ୍ରାବାଦ ଓସ୍‌ମାନିଆ ବିଶ୍ବବିଦ୍ୟାଳୟରୁ ୧୯୭୪ରେ ବି.ଏସ୍‌ସି ଶିକ୍ଷା ପରେ ୧୯୭୬ରେ ଏମ୍‌.ଏସ୍‌ସି ଓ ୧୯୮୩ରେ ପିଏଚ୍‌ଡି ଲାଭ କରିଥିଲେ। ଏହାପରେ ୧୯୭୭ରେ ହାଇଦ୍ରାବାଦର ନ୍ୟୁ ସାଇନ୍ସ କଲେଜରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ଏହାପରେ ବିଭିନ୍ନ ପଦ ପଦବିରେ ରହି ୨୦୦୮ରେ ହାଇଦ୍ରାବାଦ ସ୍ଥିତ ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫଣ୍ଡାମେଣ୍ଟାଲ୍‌ ରିସର୍ଚର ନେଚୁରାଲ୍‌ ସାଇନ୍ସ ବିଭାଗର ପ୍ରଫେସର ପଦବିରେ ରହି ଶିକ୍ଷାଦାନ କରିଥିଲେ। ପରେ ୨୦୧୨ରେ ସିନିୟର୍‌ ପ୍ରଫେସର ଭାବେ କାର୍ଯ୍ୟ କରି ୨୦୧୭ରେ ବ୍ରହ୍ମପୁର ଆଇଜର୍‌ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ।

ସମ୍ବନ୍ଧିତ ଖବର