କଟକରୁ ଉଠିଗଲା ବୈଦେଶିକ ବାଣିଜ୍ୟ କାର୍ଯ୍ୟାଳୟ

କଲିକତା ଜୋନାଲ୍‌ ଅଫିସ୍‌ରେ ବିଲୟ, ଅକ୍ଟୋବର ସୁଦ୍ଧା ଫାଇଲ୍‌, ରେକର୍ଡପତ୍ର ସ୍ଥାନାନ୍ତର ନିର୍ଦେଶ

କଟକ : କଟକକୁ ପୁଣି ଝଟ୍‌କା। କଲିକତା ଜୋନାଲ୍‌ ଅଫିସ୍‌ରେ ମିଶିଗଲା ଓଡ଼ିଶାର ଖପୁରିଆରେ ଥିବା ଏକମାତ୍ର ଆଞ୍ଚଳିକ ବୈଦେଶିକ ବାଣିଜ୍ୟ ମହାନିର୍ଦେଶକ(ଡିଜିଏଫ୍‌ଟି) କାର୍ଯ୍ୟାଳୟ। ଆସନ୍ତା ମାସ ‌ଶେଷ ସୁଦ୍ଧା ଅଫିସ୍‌ ସର୍ଭର୍‌, ଫାଇଲ୍‌ ଏବଂ‌ ରେକର୍ଡପତ୍ର କଲିକତା ସ୍ଥାନାନ୍ତର କରିବାକୁ କର୍ତୃପକ୍ଷଙ୍କୁ ଚିଠିରେ ନିର୍ଦେଶ ଦିଆଯାଇଛି। ଫଳରେ ବିଦେଶକୁ ରପ୍ତାନି କରୁଥିବା ଓଡ଼ିଶାର ବ୍ୟବସାୟୀଙ୍କୁ ଏଣିକି କଟକ ଆଞ୍ଚଳିକ କାର୍ଯ୍ୟାଳୟ ପରିବର୍ତେ କଲିକତା ଜୋନାଲ୍‌ ଅଫିସ୍‌ ଉପରେ ନିର୍ଭର କରିବାକୁ ପଡ଼ିବ। ଏପରିକି, ସେପ୍ଟେମ୍ବର ୧୬ତାରିଖ ପରଠୁ ବିଦେଶକୁ ଯେକୌଣସି ଜିନିଷ ପଠାଇବା ପାଇଁ ହେଲେ କଲିକତା ଅଫିସ୍‌କୁ ଆବେଦନ କରିବାକୁ ପଡ଼ିବ ବୋଲି ରପ୍ତାନିକାରୀଙ୍କୁ ଚିଠିରେ ଜଣାଇ ଦିଆଯାଇଛି। ଗୋଟିଏପଟେ ସରକାରଙ୍କ ନୂଆ ‘୫-ଟି’ ନିୟମ ଯୋଗୁଁ କଟକ ସହରରୁ ଏକାଧିକ ଗୁରୁତ୍ବପୂର୍ଣ୍ଣ ନିର୍ଦେଶାଳୟ ଅଫିସ୍‌ ଭୁବନେଶ୍ବର ଉଠାଇ ନେବା ଯୋଜନାକୁ ବିରୋଧ ହେଉଥିବା ବେଳେ ଓଡ଼ିଶାର ଏକମାତ୍ର ବୈଦେଶିକ ବାଣିଜ୍ୟ କାର୍ଯ୍ୟାଳୟକୁ ଅତ୍ୟନ୍ତ ସନ୍ତର୍ପଣରେ କଲିକତା ଜୋନାଲ୍‌ ଅଫିସ୍‌ରେ ବିଲୟ କରିଦେବା ଘଟଣା କଟକ ସହରବାସୀଙ୍କୁ ଆଚମ୍ବିତ କରିଛି।

ଉଲ୍ଲେଖଯୋଗ୍ୟ, ଦେଶରେ ମୋଟ୍ ୩୮ଟି ଆଞ୍ଚଳିକ ବାଣିଜ୍ୟ ମହାନିର୍ଦେଶକ କାର୍ଯ୍ୟାଳୟ ରହିଥିବା ବେଳେ ସେଥିମଧ୍ୟରୁ ଓଡ଼ିଶାର କଟକସ୍ଥିତ କାର୍ଯ୍ୟାଳୟ ଅନ୍ୟତମ। ଓଡ଼ିଶାର ବ୍ୟବସାୟୀମାନେ ବିଦେଶକୁ ସେମାନଙ୍କ ସାମଗ୍ରୀ ରପ୍ତାନି କରିବା ପାଇଁ ଖପୁରିଆସ୍ଥିତ ବାଣିଜ୍ୟ ମହାନିର୍ଦେଶକ କାର୍ଯ୍ୟାଳୟ ଉପରେ ନିର୍ଭର କରୁଥିଲେ। ହେଲେ କଲିକତା ଜୋନାଲ ଅଫିସ୍‌ ସହିତ ଏହି ଆଞ୍ଚଳିକ କାର୍ଯ୍ୟାଳୟର ବିଲୟ ପରେ ବ୍ୟବସାୟୀଙ୍କ ଚିନ୍ତା ବଢ଼ିଯାଇଛି। ଚିଠିରେ ବିଭାଗୀୟ କର୍ତୃପକ୍ଷଙ୍କୁ ଅଫିସ୍‌ ଫାଇଲ୍‌, ରେକର୍ଡପତ୍ର ସ୍ଥାନାନ୍ତର କରିବା ପାଇଁ ଆବଶ୍ୟକୀୟ ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି। ଆସନ୍ତା ଅକ୍ଟୋବର ଶେଷ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ୧୬ତାରିଖ ପରଠୁ ବିଦେଶକୁ ଜିନିଷ ପଠାଇବା ପାଇଁ ରପ୍ତାନିକାରୀଙ୍କୁ କଲିକତା ଅଫିସ୍‌ରେ ଆବେଦନ କରିବାକୁ କୁହାଯାଇଛି। ତେବେ ଏପ୍ରକାର ଆଞ୍ଚଳିକ କାର୍ଯ୍ୟାଳୟ ମିଶ୍ରଣ ଦ୍ବାରା ବାଣିଜ୍ୟ ମହାନିର୍ଦେଶକ କାର୍ଯ୍ୟାଳୟ ପୁନର୍ଗଠନ ହେବା ସହ ମାନବ ସମ୍ବଳର ଅଧିକ ଉପଯୋଗ ଏବଂ ପ୍ରଶାସନିକ କାର୍ଯ୍ୟ ତ୍ବାରାନ୍ବିତ ହେଇପାରିବ ବୋଲି ଚିଠିରେ ଯୁକ୍ତି ଦର୍ଶାଯାଇଛି।

କିନ୍ତୁ ଅତୀତରେ କଟକରୁ ଏକାଧିକ ଅଫିସ୍‌ ଭୁବନେଶ୍ବର ଉଠିଯିବାକୁ ନେଇ ଜୋରଦାର ବିରୋଧ, ଆନ୍ଦୋଳନ ହୋଇଥିବା ବେଳେ ସଂପ୍ରତି ଏକାଧିକ ନିର୍ଦେଶାଳୟ ଅଫିସ୍‌ ସ୍ଥାନାନ୍ତରକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ଦସ୍ତଖତ ସଂଗ୍ରହ ଅଭିଯାନ ଚାଲିଛି। ଏଭଳି ସ୍ଥିତିରେ କଟକରୁ ଓଡ଼ିଶାର ଏକମାତ୍ର ବୈଦଶିକ ବାଣିଜ୍ୟିକ କାର୍ଯ୍ୟାଳୟ ଉଠିଯିବା ଘଟଣା ଆଉ ଏକ ଆନ୍ଦୋଳନକୁ ଜନ୍ମ ଦେବା ଆଶଙ୍କାକୁ ଏଡ଼ାଇ ଦେଇହେଉ ନାହିଁ।

ସମ୍ବନ୍ଧିତ ଖବର