ରାଜ୍ୟ ଆୟୁଷ ନି‌ର୍ଦ୍ଦେଶାଳୟର ଅଜବ ବ୍ୟବସ୍ଥା : ୮ କୋଟିର ଔଷଧ ଖତ ଖାଉଛି, ଆହୁରି ଲକ୍ଷାଧିକ ଟଙ୍କାର ଔଷଧ କିଣିବାକୁ ମସୁଧା

ଭୁବନେଶ୍ବର : ଗତବର୍ଷ ଡିସେମ୍ବରରେ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରାୟ ସାଢ଼େ ୮ କୋଟି ଟଙ୍କାର ଔଷଧ କିଣାଯାଇଥିଲା। ପ୍ରାୟ ୬ବର୍ଷ ପରେ ନି‌ର୍ଦ୍ଦେଶାଳୟ ଏତେ ପରିମାଣର ଔଷଧ କିଣିଥିଲା। ମାତ୍ର ‌ଏହି ସମୟରେ ଆୟୁଷ ନିର୍ଦ୍ଦେଶକ ପଦ ଖାଲି ପଡ଼ିବା ଓ ଅନ୍ୟ କାରଣ ପାଇଁ ଔଷଧ ଜିଲ୍ଲାଗୁଡ଼ିକରେ ପହଞ୍ଚିପାରି ନ ଥିଲା। ପରିସ୍ଥିତି ଏପରି ହେଲା ଯେ ‌କରୋନା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍ ଯୋଗୁଁ ଏବେ ଔଷଧ ବିଭିନ୍ନ ଜିଲ୍ଲାରେ କୋରିୟର ସଂସ୍ଥାରେ ପଡ଼ି ରହିଛି। ଧୀରେଧୀରେ ଔଷଧ ନଷ୍ଟ ହେବାକୁ ବସିଲାଣି। ଏଭଳି ପରିସ୍ଥିତିରେ କିଣା ଯାଇଥିବା ଔଷଧକୁ କିଭଳି ଜିଲ୍ଲାସ୍ତରର ହସ୍ପିଟାଲରେ ପହଞ୍ଚାଯିବ, ସେ ସଂପର୍କରେ ନିର୍ଦ୍ଦେଶାଳୟ ଚିନ୍ତା କରିବା ପରିବର୍ତ୍ତେ ଆହୁରି ଲକ୍ଷାଧିକ ଟଙ୍କାର ଔଷଧ କିଣିବା ଲାଗି ନିଷ୍ପତ୍ତି ନେଇଛି। ଏଥିରେ କୌଣସି ଜରୁରୀ ଔଷଧ ନୁହେଁ, ବରଂ ଅର୍ଶ ପାଇଁ ଏହି ଔଷଧ କିଣାଯିବ ବୋଲି ଜଣାପଡ଼ିଛି।

୨୦୧୪ ମସିହା ପରଠାରୁ ରାଜ୍ୟରେ କୌଣସି ଔଷଧ ନିର୍ଦ୍ଦେଶାଳୟ ପକ୍ଷରୁ କିଣାଯାଇ ନଥିଲା। ତେବେ ଗତବର୍ଷ ଜାତୀୟ ଆୟୁଷ ମିସନ୍‌ ବା ନାମ୍‌ ଅର୍ଥରୁ ଟେଣ୍ଡର୍‌ ଜରିଆରେ ସାଢ଼େ ୮କୋଟିର ଔଷଧ କିଣାଯାଇଥିଲା। ଏଥିପାଇଁ ୫ଟି କମ୍ପାନି ଜରିଆରେ ୪୦ପ୍ରକାରର ଔଷଧ କିଣାଯାଇଥିଲା। ମାତ୍ର କିଭଳି ଢଙ୍ଗରେ ଏହାକୁ ବିତରଣ କରାଯିବ, ଏ ନେଇ ନିର୍ଦ୍ଦେଶାଳୟ କୌଣସି ପଦକ୍ଷେପ ନେଇ ନଥିଲା। ଔଷଧ କିଛି ମାସ ପଡ଼ି ରହିବା ପରେ ଧୀରେ ଧୀରେ ଜିଲ୍ଲାଗୁଡ଼ିକୁ ଔଷଧ ବିତରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ହଠାତ୍ କରୋନା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ହେବା ଫଳରେ କିଛି ଜିଲ୍ଲାକୁ ଔଷଧ ପହଞ୍ଚି ପାରିନାହିଁ। ଏସବୁ ଔଷଧ ରାଜଧାନୀ ଓ କଟକର କୋରିୟର ସଂସ୍ଥାରେ ପଡ଼ି ରହିଛି। କେଉଁଭଳି ପରିସ୍ଥିତିରେ ଏବେ ଔଷଧ ରହିଛି, ତାହା କେହି ଜାଣି ନାହାନ୍ତି। ତେବେ ‌ଯେଉଁ ଜିଲ୍ଲାଗୁଡ଼ିକୁ ବି ଔଷଧ ବିତରଣ ହୋଇଛି, ସେସବୁ ଜିଲ୍ଲାର ଡିଏଏମ୍‌ଓଙ୍କ କାର୍ଯ୍ୟାଳୟରେ କୌଣସି ଓୟାରହାଉସ୍ ନାହିଁ। ଏଭଳି ପରିସ୍ଥିତିରେ ଆଗକୁ ବାତ୍ୟା ଓ ବର୍ଷାଦିନ ଆସୁଥିବାରୁ ଔଷଧ ଯଦି ବିତରଣ ନ ହୁଏ, ତାହାଲେ ସେସବୁ ନଷ୍ଟ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ନିର୍ଦ୍ଦେଶାଳୟ ପକ୍ଷରୁ ଚଳିତ ମାସରେ ଜିଲ୍ଲାୱାରୀ ଔଷଧର ଷ୍ଟକ୍ ଏଣ୍ଟ୍ରି ସହ କିଭଳି ପରିସ୍ଥିତିରେ ଔଷଧ ରହିଛି, ତାହାର ଏକ ରିପୋର୍ଟ ପ୍ରଦାନ କରିବାକୁ ପାଇଁ କୁହାଯାଇଛି। ତେବେ କିଛି ଜିଲ୍ଲାର ଡିଏଏମ୍‌ଓ ଔଷଧ ପାଇ ନ ଥିବା ବେଳେ କିଭଳି ଢଙ୍ଗରେ ଏହାର ରିପୋର୍ଟ ଦିଆଯିବ ତାହାକୁ ନେଇ ସେମାନେ ଚିନ୍ତାରେ ପଡ଼ିଛନ୍ତି।

ଅପରପକ୍ଷରେ ନିକଟରେ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ କମ୍ପାନିର ଅର୍ଶ ପାଇଁ ଉଦ୍ଦିଷ୍ଟ ଔଷଧ କିଣିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ଗତବର୍ଷ ଡିସେମ୍ବରରେ କିଣାଯାଇଥିବା ଔଷଧରେ ଅର୍ଶ ପାଇଁ ଉଦ୍ଦିଷ୍ଟ ଔଷଧ ରହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ଲକ୍ଷାଧିକ ଟଙ୍କାର ଅର୍ଶ ପାଇଁ ଔଷଧ କିଣାଯିବାକୁ ନେଇ କର୍ମଚାରୀ ମହଲରେ ଜୋରଦାର ଆଲୋଚନା ହେଉଛି। କେବଳ ଏତିକି ନୁହେଁ, ଆହୁରି ୯ କୋଟି ଟଙ୍କାର ମଧ୍ୟ ଔଷଧ କିଣିବା ପାଇଁ ନିର୍ଦେଶାଳୟ ଯୋଜନା କରିଥିବା ବେଳେ ଏ ନେଇ ରାଜ୍ୟ ସରକାରଙ୍କ ଅନୁମତି ମଗାଯାଇଛି। ‌ହେଲେ ରାଜ୍ୟ ସରକାର ଏହାକୁ ଅନୁମତି ଦେଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ।

ରାଜ୍ୟ ଏବେ କରୋନା ମୁକାବିଲା କରୁଥିବା ବେଳେ ଆୟୁଷ ଡାକ୍ତରମାନଙ୍କୁ ଏଥିରେ ନିଯୁକ୍ତ କରାଯାଇଛି। ଆୟୁଷ ଡାକ୍ତରମାନେ ଯାଞ୍ଚଠାରୁ ଆରମ୍ଭ କରି ପୃଥକବାସ ଓ ଆରଆରଟିରେ କାର୍ଯ୍ୟ କରୁଛନ୍ତି। କୋଭିଡରେ ସାମିଲ ହେବା ପରେ ପିଏଚ୍‌ସି ଓ ସିଏଚ୍‌ସିରେ ବହିର୍ବିଭାଗ ବା ଓପିଡି ବନ୍ଦ ହୋଇଯାଇଛି। ତେଣୁ ଲୋକମାନଙ୍କ ପାଇଁ ଔଷଧ କିଣାଯାଇଥିଲେ ହେଁ, ତାହା ଲୋକଙ୍କ ସେବାରେ ଲାଗି ପାରୁନାହିଁ।

ଏ ସଂପର୍କରେ ରାଜ୍ୟ ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡ଼ଙ୍ଗୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିପାରି ନାହିଁ।

ସମ୍ବନ୍ଧିତ ଖବର