କଟକରୁ ଉଠିଯିବ ଡିଟିଇଟି, ମତ୍ସ୍ୟ ଓ ଶିଳ୍ପ ନିର୍ଦେଶାଳୟ!

କଟକ: ପ୍ରଶାସନିକ ବିଭାଗ ଓ ନିର୍ଦେଶାଳୟ ଗୋଟିଏ ଛାତ ତଳେ କାମ କରିବ। ରାଜ୍ୟ ସରକାର ନିକଟରେ ଏହି ନିଷ୍ପତ୍ତି ନେବା ପରେ କଟକରେ ଚାଲିଥିବା ଏକାଧିକ ନିର୍ଦେଶାଳୟ ଅଫିସ୍‌ ଭୁବନେଶ୍ବର ଚାଲିଯିବା ବାଟ ଖୋଲିଯାଇଛି। ପୂର୍ବରୁ ବିଭିନ୍ନ ଆଳ ଦେଖାଇ ସରକାର ଏକାଧିକ ଅଫିସ୍‌ ରାଜଧାନୀକୁ ଉଠାଇ ନେଇଥିବା ବେଳେ ଜୋର୍‌ଦାର୍‌ ବିରୋଧ, ଆନ୍ଦୋଳନ ଯୋଗୁ ନିକଟରେ ରେଳଡାକ ସେବା ‘ଏନ୍‌’ ମଣ୍ଡଳ ଅଫିସ୍‌ ଭୁବନେଶ୍ବର ସ୍ଥାନାନ୍ତରରୁ ବର୍ତ୍ତିଥିଲା। ହେଲେ ସଂପ୍ରତି ସରକାର ପ୍ରଶାସନିକ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ଦୁଇ ଥାକିଆ ବ୍ୟବସ୍ଥା ଲାଗୁ କରିବା ପରେ କଟକରେ ଥିବା ଶିଳ୍ପ ନିର୍ଦେଶାଳୟ, ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦେଶାଳୟ(ଡିଟିଇଟି) ଏବଂ ମତ୍ସ୍ୟ ନିର୍ଦେଶାଳୟ ଅଫିସ୍‌ ଭୁବନେଶ୍ବର ସଚିବାଳୟ ବା ଲୋକସେବା ସଦନକୁ ଉଠିଯିବା ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ତିନି ବିଭାଗର ବିଭାଗୀୟ କର୍ତୃପକ୍ଷ ରାଜଧାନୀକୁ ଅଫିସ୍‌ ସ୍ଥାନାନ୍ତର ନେଇ ଭିତରେ ଭିତରେ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି।

ଓଡ଼ିଶାର ପୁରୁଣା ରାଜଧାନୀ ହେଉଛି କଟକ। ପୂର୍ବରୁ ସବୁ ସରକାରୀ ଦପ୍ତର ଏଇଠି ଥିଲା। କିନ୍ତୁ ଭୁବନେଶ୍ବରକୁ ଓଡ଼ିଶାର ରାଜଧାନୀ କରାଯିବା ପରେ କଟକରୁ କ୍ରମଶଃ ଗୋଟିଏ ପରେ ଗୋଟିଏ ଅଫିସ୍‌ ସ୍ଥାନାନ୍ତର ହେବାରେ ଲାଗିଛି। ରାଜ୍ୟ ପୁଲିସ ମୁଖ୍ୟାଳୟ ଏବଂ ଓଡ଼ିଶା ହାଇକୋର୍ଟ ଛାଡ଼ି ଦେଲେ କଟକରେ ସେଭଳି ଆଉ ବଡ଼ ସରକାରୀ ଦପ୍ତର ନାହିଁ କହିଲେ ଚଳେ। ପୁଲିସ ମୁଖ୍ୟାଳୟର ଅଧା ବିଭାଗ ବି ଏବେ ଭୁବନେଶ୍ବରରେ କାର୍ଯ୍ୟ କରୁଛି। ଏଭଳି ସ୍ଥିତିରେ ଗତ ୨୦ତାରିଖରେ ସରକାର ପ୍ରଶାସନିକ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ପୂରା ଶାସନ ଢାଞ୍ଚାକୁ ବଦଳାଇ ଦେଇଛନ୍ତି। ଏଣିକି ପ୍ରଶାସନିକ ବିଭାଗ ଓ ନିର୍ଦେଶାଳୟ ଗୋଟିଏ ଛାତ ତଳେ(ଲୋକସେବା ସଦନ)ରେ କାମ କରିବା ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସଂକଳ୍ପ ଜାରି ହୋଇଛି। ଫଳରେ କଟକର ବାରବାଟୀ ଷ୍ଟାଡ଼ିୟମ ନିକଟରେ ଥିବା ଶିଳ୍ପ ନିର୍ଦେଶାଳୟ, ଡିଟିଇଟି ଏବଂ ମଂଗଳବାଗରେ ଥିବା ମତ୍ସ୍ୟ ନିର୍ଦେଶାଳୟ ଭୁବନେଶ୍ବର ଚାଲିଯିବା ଆଶଙ୍କା କରାଯାଉଛି। ସରକାର ଏହି ନୂଆ ବ୍ୟବସ୍ଥା ସଂପର୍କରେ ଜିଲ୍ଲାସ୍ତରରେ ଥିବା ବିଭିନ୍ନ ନିର୍ଦେଶାଳୟକୁ ଚିଠି କରି ଜଣାଇ ଦେବା ପରେ ବିଭାଗୀୟ ସ୍ତରରେ ସ୍ଥାନାନ୍ତରକୁ ନେଇ ଭିତିରିଆ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। ଏହି କ୍ରମରେ ଉପରୋକ୍ତ ତିନି ନିର୍ଦେଶାଳୟ ସ୍ଥାନାନ୍ତର ହୋଇଗଲେ ଚିଠି ଦିଆନିଆ, ପ୍ରସ୍ତାବ ତର୍ଜମାରେ ଯେଉଁ ସମୟ ଅପଚୟ ହେଉଥିଲା, ପ୍ରଶାସନିକ କାର୍ଯ୍ୟ ଅଧା ବାଟ‌ରେ ବର୍ଷ ବର୍ଷ ଧରି ଅଟକି ରହୁଥିଲା, ସେଥିରେ ଅଙ୍କୁଶ ଲାଗିବା ସହ କାର୍ଯ୍ୟ ତ୍ବରାନ୍ବିତ ହେବ ବୋଲି ସରକାର ଯୁକ୍ତି ବାଢ଼ିଛନ୍ତି।

କିନ୍ତୁ ଅତୀତରେ ସରକାର ଯେତେସବୁ ସରକାରୀ ଅଫିସ୍‌ ଭୁବନେଶ୍ବର ଉଠାଇ ନେଇଛନ୍ତି, ତାକୁ ବିଭିନ୍ନ ସଂଗଠନ ବିରୋଧ ତଥା ଆନ୍ଦୋଳନ କରିବା ସହ କଟକକୁ ଶ୍ରୀହୀନ କରିବାକୁ ଷଡ଼ଯନ୍ତ୍ର ହେଉଥିବା ଅଭିଯୋଗ ହୋଇ ଆସିଛି। ନିକଟରେ ରେଳଡାକ ସେବା ‘ଏନ୍‌’ ମଣ୍ଡଳ ଭୁବନେଶ୍ବର ସ୍ଥାନନ୍ତର ନିଷ୍ପତ୍ତି ହେବା ପରେ ତାହାକୁ ନେଇ ଜୋରଦାର ବିରୋଧ, ଧାରଣା ଏବଂ ଆନ୍ଦୋଳନ ହୋଇଥିଲା। ଶେଷରେ ସରକାର ନିଷ୍ପତ୍ତି ପ୍ରତ୍ୟାହାର କରିନେଇ ସର୍ଭେ ଓ ମ୍ୟାପ୍ ପବ୍ଲିକେସନ୍‌ ଅଫିସ୍‌ରେ ଏନ୍‌ ମଣ୍ଡଳ ଅସ୍ଥାୟୀ ଭାବେ ଚାଲିବା ପାଇଁ ଚିଠି କରିଥିଲେ। ଏପରିସ୍ଥଳେ ଏକାସଂଗେ ଉପରୋକ୍ତ ତିନି ନିର୍ଦେଶାଳୟକୁ କଟକରୁ ଉଠାଇ ନିଆଗଲେ ପୁଣି ଏହା ବିରୋଧରେ ବଡ଼ଧରଣର ଆନ୍ଦୋଳନ ମୁଣ୍ଡ ଟେକିବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ।

ସମ୍ବନ୍ଧିତ ଖବର