ଦିବ୍ୟାଙ୍ଗଙ୍କୁ ପରିଚୟ ପତ୍ର ପ୍ରଦାନ ସରଳ ହେବ

ଭୁବନେଶ୍ବର : ଦିବ୍ୟାଙ୍ଗମାନଙ୍କୁ ପରିଚୟପତ୍ର ପ୍ରଦାନ ବ୍ୟବସ୍ଥା ସରଳ କରାଯାଇଛି। ଜିଲ୍ଲାସ୍ତରରେ ଅଥବା ଅନ୍ୟ କୌଣସି ସ୍ଥାନରେ ଆୟୋଜିତ ପରୀକ୍ଷଣ କି ଚିହ୍ନଟ ପାଇଁ ହିତାଧିକାରୀମାନଙ୍କୁ ଅଧିକ ଶ୍ରମ ଓ ସମୟ ବ୍ୟୟ କରିବାକୁ ପଡ଼ିବ ନାହିଁ। ସ୍ବୀକୃତିପ୍ରାପ୍ତ ଚିକିତ୍ସକ, ଜିଲ୍ଲାସ୍ତରରେ କାର୍ଯ୍ୟରତ ଭିନ୍ନକ୍ଷମ ତଥା ପୁନର୍ବାସ ଅନୁଷ୍ଠାନର ତାଲିମପ୍ରାପ୍ତ ଅଧିକାରୀ ଏବେ ପରିଚୟପତ୍ର ପ୍ରଦାନ କରିପାରିବେ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି। ଫଳରେ ସମ୍ଭାବ୍ୟ ହିତାଧିକାରୀଙ୍କୁ ଅଯଥା ଶ୍ରମ, ସମୟ, ଆର୍ଥିକ ବୋଝରୁ ମୁକ୍ତି ମିଳିବ।

ଲୋକସେବା ଭବନରେ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଏହି ବ୍ୟବସ୍ଥାର ସରଳୀକରଣ ପାଇଁ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତତ କରାଯାଇଛି। ବିଭିନ୍ନ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନ, ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ଅନୁଷ୍ଠାନ, ରାଜ୍ୟ ସ୍ବତନ୍ତ୍ର ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ବିଭାଗ ଅଧୀନ ଶିକ୍ଷାନୁଷ୍ଠାନ ଓ ଶିକ୍ଷକ ଶିକ୍ଷାକେନ୍ଦ୍ରରେ ଅବସ୍ଥାପିତ ଡାକ୍ତର ଓ ଅଧିକାରୀମାନେ ଭିନ୍ନକ୍ଷମ ପରିଚୟପତ୍ର ପ୍ରଦାନ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି। ତେବେ ଅଧିକାରୀଙ୍କୁ ପ୍ରଦାନ କରୁଥିବା ପରିଚୟପତ୍ରର ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରିବାକୁ ପଡ଼ିବ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପରିଚୟପତ୍ର ପ୍ରଦାନ ବ୍ୟବସ୍ଥାର ତଦାରଖ କରିବ। ମୁଖ୍ୟତଃ ପରିଚୟପତ୍ରରେ ଏହା ପ୍ରଦାନ କରୁଥିବା ଅଧିକାରୀଙ୍କ ପଦବି, ତାରିଖ, ସ୍ଥାନ, ଦିବ୍ୟାଙ୍ଗଙ୍କ ନାମ, ଅକ୍ଷମତାର ବର୍ଗ, ଆଧାର ନମ୍ବର, ଲିଙ୍ଗ-ବୟସ-ଜାତି-ପିତାମାତାଙ୍କ ନାମ, ଠିକଣା, ଜିଲ୍ଲା, ନିଦାନ ସହିତ ଭିନ୍ନକ୍ଷମ ସମସ୍ୟାର ପରିମାଣ ସ୍ତର ଇତ୍ୟାଦି ଉଲ୍ଲେଖ କରାଯିବ। ଅକ୍ଷମତା ୪୦ପ୍ରତିଶତରୁ କମ୍‌ ଥିଲେ, ୪୦ରୁ ଅଧିକ ଓ ୬୦ ପ୍ରତିଶତରୁ କମ୍‌ ଥିଲେ, ୬୦ରୁ ଅଧିକ ଓ ୮୦ ପ୍ରତିଶତରୁ କମ୍‌ ଥିଲେ ଏବଂ ୮୦ ପ୍ରତିଶତରୁ ଅଧିକ ଥିଲେ ସେସବୁକୁ ଅଳ୍ପ, ମଧ୍ୟମ, ଗୁରୁତର ଓ ଅତ୍ୟନ୍ତ ଗୁରୁତର ବୋଲି ବିଚାର କରାଯାଇ ପରିଚୟପତ୍ରରେ ଲିପିବଦ୍ଧ କରାଯିବ।

ମେଡିକାଲ୍‌ ଅଫିସର, ପ୍ରୋସ୍ଥେଟିକ୍‌ ଇଂଜିନିୟର, ପ୍ରୋସ୍ଥେଟିଷ୍ଟ୍‌, ଆର୍ଥୋଟିଷ୍ଟ୍‌, ଫିଜିଓଥେରାପିଷ୍ଟ, ଅକୁପେସ୍‌ନାଲ୍‌ ଥେରାପିଷ୍ଟ, ରିହାବିଲିଟେସନ୍‌ ଥେରାପିଷ୍ଟ୍‌, ଡେଭଲପ୍‌ମେଣ୍ଟାଲ୍‌ ଥେରାପିଷ୍ଟ, କ୍ଲିନିକାଲ୍‌ ସାଇକୋଲୋଜିଷ୍ଟ୍‌, ମୋବିଲିଟି ଇନଷ୍ଟ୍ରକ୍ଟର, ମାଇକ୍ରୋ ବା‌ୟୋଲୋଜିଷ୍ଟ୍‌ ଓ ସ୍ପେସାଲ୍‌ ଏଡୁକେଟର ଦିବ୍ୟାଙ୍ଗଙ୍କ ସମସ୍ୟା ଚିହ୍ନଟ କରିପାରିବେ। ଏହି ପରିଚୟପତ୍ର ଆଧାରରେ ହିତାଧିକାରୀଙ୍କୁ ବିଭାଗ ପକ୍ଷରୁ ପେନ୍‌ସନ, ସହାୟତା, ଉପକରଣ, ପ୍ରୋତ୍ସାହନ, ଦକ୍ଷତା ବିକାଶ ତାଲିମ, ରାଜ୍ୟ ସରକାରଙ୍କ ବୃତ୍ତି, ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନରେ ନାମଲେଖା ସୁବିଧା ମିଳିପାରିବ। ତେବେ ଏହି ପରିଚୟପତ୍ର ପାଉଥିବା ହିତାଧିକାରୀଙ୍କୁ ଚାକିରି ଓ ଶିକ୍ଷା ଗ୍ରହଣ କ୍ଷେତ୍ରରେ ସଂରକ୍ଷଣ ସୁବିଧା ଉପଲବ୍ଧ ହେବ ନାହିଁ।

ସମ୍ବନ୍ଧିତ ଖବର