ପୁରୀ (ଗଦାଧର ପଣ୍ଡା): ସେମାନେ କଥା କହି ପାରନ୍ତି ନାହିଁ କି ଶୁଣିପାରନ୍ତି ନାହିଁ। କେବଳ ମନର ଭାବକୁ ବୁଝି ଉତ୍ତର ରଖନ୍ତି। ପୁରୀ ବଳଗଣ୍ଡି ଛକସ୍ଥିତ ବାନା ସାହୁ ଜଳଖିଆ ଦୋକାନ ସମ୍ମୁଖରେ ଥିବା ଏକ ଚା ଦୋକାନରେ ପ୍ରତିଦିନ ଏକାଠି ହେଉଥିବା ୮ରୁ ୧୦ ଜଣ ଦିବ୍ୟାଙ୍ଗ ମୂକ-ବଧିର ଯୁବକଙ୍କ ବନ୍ଧୁତ୍ୱ କିନ୍ତୁ ନିବିଡ। କେହି କାହାକୁ ଦିନେ ନ ଦେଖିଲେ ରହିପାରନ୍ତିନି। ବର୍ଷା ହେଉ ବା ଖରା, ପ୍ରତିଦିନ ଗୋଟିଏ ଜାଗାରେ ଏକାଠି ହୁଅନ୍ତି। ଥଟା-ମଜା ହୁଅନ୍ତି। କେହି ସାଥୀ ଆସିନଥିଲେ ତାକୁ ଭିଡିଓ କଲିଂ କରି ଡାକନ୍ତି। ବନ୍ଧୁତା ଗଢିବା ପାଇଁ କେବଳ ଭାବ ହିଁ ଯଥେଷ୍ଟ ତାକୁ ଏହି ଦିବ୍ୟାଙ୍ଗ ଯୁବକମାନେ ପ୍ରମାଣ କରିଛନ୍ତି। ଆସନ୍ତାକାଲି ପାଳିତ ହେଉଛି ବିଶ୍ୱ ବନ୍ଧୁତ୍ୱ ଦିବସ। ଏହାକୁ ନେଇ ସେମାନେ ବେଶ ଉତ୍ସାହିତ। ତେବେ ସେମାନଙ୍କ ଭାବ-ଭାଷାକୁ ବୁଝାଇବାରେ ଯଥେଷ୍ଟ ସାହାଯ୍ୟ କରୁଛି ଆଜିକାଲିର ଆଣ୍ଡ୍ରୋଏଡ୍ ସ୍ମାର୍ଟ ଫୋନ୍। ପୁରୀ ସହରରେ ଶତାଧିକ ଦିବ୍ୟାଙ୍ଗ ମୂକ-ବଧିର ରହୁଛନ୍ତି। ସମସ୍ତେ ଗୋଟିଏ ଜାଗାରେ ପ୍ରଶିକ୍ଷଣ ନେଉଛନ୍ତି। ଓଡ଼ିଆ-ଇଂରାଜୀ ଭାଷା ଲେଖି ପଢି ପାରୁଥିବା ଏହି ୮ ଜଣ ମୂକ ବଧିର ବନ୍ଧୁ କିନ୍ତୁ ପ୍ରତ୍ୟହ ବଳଗଣ୍ଡି ଛକରେ ଏକାଠି ହୋଇ ଭିଡିଓ କଲିଂ ଦ୍ୱାରା ସାଙ୍ଗସାଥୀମାନଙ୍କ ସହିତ ବାର୍ତ୍ତାଳାପ କରିଥାନ୍ତି। ଆସନ୍ତାକାଲି ବନ୍ଧୁତ୍ୱ ଦିବସ ପାଳିବେ ବୋଲି ମଧ୍ୟ ସେମାନେ କହିଛନ୍ତି। ଶୁଣି ପାରୁନଥିବା ଓ କଥା କହିପାରୁନଥିବା ଏହି ଯୁବକମାନେ ପ୍ରତ୍ୟହ ଅପରାହ୍ନ ୪ଟାରେ ଗୋଟିଏ ଜାଗାରେ ଏକାଠି ହୋଇ ପରସ୍ପର ମଧ୍ୟରେ ଭାବ ବିନିମୟ କରନ୍ତି। ଢେର ହସନ୍ତି, ମଜା କରନ୍ତି, ଚା ପିଅନ୍ତି ପୁଣି ଘରକୁ ଫେରିଯାନ୍ତି। ପୁରୀ ରାଧାଗୋବିନ୍ଦ ଲେନ୍ରେ ରହୁଥିବା ୨୧ ବର୍ଷର ଯୁବକ କୃଷ୍ଣ ମହାପାତ୍ର କହିଛନ୍ତି, ଆମେ ସମସ୍ତେ ଏକାଠି ହୋଇ ପରସ୍ପର ସୁବିଧା, ଅସୁବିଧା କଥା ବୁଝୁ। ସାଙ୍ଗସାଥୀଙ୍କ ସହିତ ଭିଡିଓ କଲିଂ କରୁ। ଆମ କଥା ଯିଏ ବୁଝିପାରିବ ସେ ହିଁ ତାଙ୍କର ବନ୍ଧୁ ବୋଲି କହିଛନ୍ତି। ଲୋକନାଥରୋଡ ଅଞ୍ଚଳରେ ରହୁଥିବା ହୃଷିକେଶ ସାହୁ ମଧ୍ୟ ସମାନ କଥା କହିଛନ୍ତି। ଆଣ୍ଡ୍ରୋଏଡ୍ ଫୋନ୍ ଆସିବା ପରେ ସେମାନେ ବନ୍ଧୁଙ୍କ ସହିତ ଭଲରେ କଥା ହୋଇ ପାରୁଛନ୍ତି। ଆଣ୍ଡ୍ରୋଏଡ ତାଙ୍କର ପ୍ରକୃତ ବନ୍ଧୁ ସାଜିଛି। ଭିଡିଓ କଲିଂ, ହ୍ଵାଟସ୍ଅପ୍ କଲିଂରେ ନିଜର ଭାବ ବିନିମୟ କରି ପାରୁଛନ୍ତି।
ଦିବ୍ୟାଙ୍ଗଙ୍କ ନିଆରା ବନ୍ଧୁତ୍ୱ, ଭିଡ଼ିଓ କଲିଂ ଯୋଡ଼ିଛି ସଂପର୍କ
/sambad/media/post_attachments/wp-content/uploads/2018/08/puri.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)