ରିଆମାଳ : ରିଆମାଳ ଥାନା ଅଞ୍ଚଳରେ ଗୁରୁବାର ରାତି ପ୍ରାୟ ୧୧ଟାରେ ଏକ ଅମାନବୀୟ ଘଟଣା ଘଟିଯାଇଛି। ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କ ଠିକ୍ରେ କଥା କହି ପାରନ୍ତି ନାହିଁ। ତାଙ୍କ କାନକୁ ମଧ୍ୟ ଭଲ ଶୁଭେ ନାହିଁ। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦେବଗଡ଼ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ଅବସ୍ଥାରେ ପରିବର୍ତ୍ତନ ନହେବାରୁ ତାଙ୍କୁ ବୁର୍ଲା ମେଡିକାଲ୍ରେ ଭର୍ତି କରାଯାଇଛି। ଖବରପାଇ ରିଆମାଳ ଥାନା ଅଧିକାରୀ ପ୍ରଦୀପ କେର୍କେଟା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ଏସ୍ପି ରାହୁଲ ଜୈନ, ଏସ୍ଡିପିଓ ସୁଲେମାନ ଏକା ମେଡିକାଲ୍ରେ ପୀଡ଼ିତାଙ୍କ ସହିତ କଥା ହେବା ସହିତ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି।
/sambad/media/post_attachments/wp-content/uploads/2019/08/rape_1565421285_618x347-1.jpeg)
ସୂଚନା ଅନୁଯାୟୀ ଗୁରୁବାର ରାତି ପ୍ରାୟ ୧୧ଟାରେ ଅବିବାହିତ ଯୁବତୀ(୪୫) ଜଣଙ୍କ ଘର ସାମ୍ନାରେ ବସିଥିବା ବେଳେ ତାଙ୍କୁ କିଛି ଦୁର୍ବୃତ୍ତ ଉଠାଇ ନେଇଥିଲେ। ପରେ ଘର ପଛପାଖରେ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ତାଙ୍କ ମା’ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ଦୁର୍ବୃତ୍ତମାନେ ତାଙ୍କୁ ଛାଡ଼ି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଯୁବତୀଙ୍କ ମା’ ତାଙ୍କୁ ଘରକୁ ଆଣିଥିଲେ। ଯୁବତୀଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ସମ୍ବେଦନଶୀଳ ଅଙ୍ଗରୁ ରକ୍ତସ୍ରାବ ହେଉଥିଲା। ଥାନାରେ ଏତେଲା ପରେ ପ୍ରଥମେ ତାଙ୍କୁ ଦେବଗଡ଼ ଡାକ୍ତରଖାନା ଓ ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଘଟଣାରେ ସଂପୃକ୍ତ ଥିବା ସମସ୍ତ ଆସାମୀଙ୍କୁ ଶୀଘ୍ର ଗିରଫ କରି କଠୋରରୁ କଠୋର ଦଣ୍ତ ଦେବା ପାଇଁ ଦାବି ହେଉଛି।