କେମିତି ଚାଲିଛି ଯୋଗାଣ ବିଭାଗ! ଥିଲାବାଲାଙ୍କୁ ସବୁ, ଦିବ୍ୟାଙ୍ଗ ଖଡ଼ିଆ ଯୁବତୀଙ୍କୁ ମିଳୁନି ଚାଉଳ

ତିନିବର୍ଷ ହେଲା କଟିଲାଣି ରାସନ କାର୍ଡ

ବାରିପଦା/ଚିତ୍ରଡ଼ା : ଗ୍ରାମାଞ୍ଚଳରେ ଗରିବ ଲୋକଙ୍କ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ସମସ୍ତ ସରକାରୀ ଯୋଜନାକୁ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ନିମନ୍ତେ ପଞ୍ଚାୟତ ସ୍ତରରୁ କର୍ମଚାରୀ ନିୟୋଜିତ ରହିଛନ୍ତି। ତେବେ ଅନେକ ସମୟରେ ପ୍ରକୃତ ଯୋଗ୍ୟ ହିତାଧିକାରୀ ଅନେକ ସରକାରୀ ଯୋଜନାରୁ ବଞ୍ଚିତ ରହୁଥିବାରୁ ଏକାଧିକ ନଜିର ରହିଛି। ଏଭଳି ଏକ ଚିତ୍ର ପୁଣି ଲୋକଲୋଚନକୁ ଆସିଛି। ଘଟଣାଟି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଭାଲିଆଡ଼ିହା ପଞ୍ଚାୟତ କେନ୍ଦୁଛାଟିଆ ଗ୍ରାମର।

ଉକ୍ତ ଗ୍ରାମର ଜନୈକା ଦିବ୍ୟାଙ୍ଗ ଖଡ଼ିଆ ସମ୍ପ୍ରଦାୟର ଅବିବାହିତ ଯୁବତୀ ବେଙ୍ଗ ଦେହୁରୀ ( ୪୨)ଙ୍କୁ ମିଳୁନି ସରକାରୀ ସୁବିଧା ସୁଯୋଗ। ଉକ୍ତ ଅବିବାହିତ ଯୁବତୀଙ୍କୁ କେବଳ ଦିବ୍ୟାଙ୍ଗ ଭତ୍ତା ଛାଡ଼ିଦେଲେ ଆଉ କିଛି ବି ସରକାରୀ ସୁବିଧା କିମ୍ବା ସହାୟତା ମିଳୁନଥିବାର ଜଣାପଡିଛି। ଯୁବତୀ ଜଣକ ଏକୁଟିଆ ରହୁଥିବା ବେଳେ ଯୁବତୀଙ୍କ ରାସନ କାର୍ଡ଼ଟି ହଠାତ ୨୦୧୭ ମସିହାରେ କଟିଯାଇଥିଲା ବେଳେ ଏପର୍ଯ୍ୟନ୍ତ ଆଉ ରାସନ କାର୍ଡ଼ ମିଳୁନାହିଁ। ରାସନ ମିଳୁନଥିବାରୁ ଏବେ କରୋନା କଟକଣା ଏବଂ ତାଲା ବନ୍ଦ ଯୋଗୁଁ ଦିବ୍ୟାଙ୍ଗ ଯୁବତୀଙ୍କ ପେଟକୁ ତିନି ଓଳି ଦାନା ମିଳୁନଥିବାର ଅତ୍ୟନ୍ତ ଦୁଃଖ ଓ କୋହ ଭରା କଣ୍ଠ ରେ ପ୍ରକାଶ କରିଛନ୍ତି। ତେବେ ଯୁବତୀଙ୍କୁ ଗତ ୨୦୧୭ ମସିହା ପର୍ଯ୍ୟନ୍ତ ରାସନ କାର୍ଡ଼ରେ ସରକାରୀ ରାସନ ମିଳିଥିବା ବେଳେ ୨୦୧୭ ମସିହା ଜାନୁଆରୀ ମାସ ପର୍ଯ୍ୟନ୍ତ ରାସନ ମିଳିଥିବା ବେଳେ ଆଉ ତାପରେ ୨୦୧୭ଫେବୃଆରୀ ମାସ ଠାରୁ ଏପର୍ଯ୍ୟନ୍ତ ରାସନ କାହିଁକି ମିଳୁନାହିଁ ବୋଲି ଅତ୍ୟନ୍ତ ଦୁଃଖର ସହିତ ଦିବ୍ୟାଙ୍ଗ ଯୁବତୀ ବେଙ୍ଗ ପ୍ରଶ୍ନ କରିଛନ୍ତି। ସେହିଭଳି ଏପର୍ଯ୍ୟନ୍ତ ବେଙ୍ଗଙ୍କୁ ସରକାରଙ୍କ ପକ୍କା ଘର ଯୋଜନାରେ ଘର ଖଣ୍ଡିଏ ମିଳିନାହିଁ।

ତେବେ ରାସନ କାର୍ଡ଼ରେ କାହିଁକି ବେଙ୍ଗଙ୍କୁ ରାସନ ମିଳୁନାହିଁ ବୋଲି ସେ ଏକାଧିକ ଥର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଧାଇଁ ଧାଇଁ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ଦେଖା କରି ଗୁହାରି କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ସୁଫଳ ବେଙ୍ଗଙ୍କୁ ମିଳିନାହିଁ ବୋଲି ବେଙ୍ଗ ପ୍ରକାଶ କରିଛନ୍ତି। ସେହିପରି ଘର ଖଣ୍ଡିଏ ପାଇଁ ମଧ୍ୟ ଅନେକ ଥର ଗୁହାରି ଜଣାଇ ଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାଙ୍କୁ ଘର ଟିଏ ମିଳିନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଏ ସମ୍ପର୍କରେ ଆମେ ପିଇଓ ହରିଶ୍ଚନ୍ଦ୍ର ମହାନ୍ତଙ୍କୁ ଏସମ୍ପର୍କରେ ପଚାରିବାରୁ ସେ ଏସମ୍ପର୍କରେ କିଛି ବି ସନ୍ତୋଷଜନକ ଉତ୍ତର ଦେଇନଥିଲେ। ତେବେ ଆମେ ଏସମ୍ପର୍କରେ ବିଡ଼ିଓ ପ୍ରିୟବ୍ରତ ପାଢ଼ୀଙ୍କୁ ଯୋଗାଯୋଗ କରିବାରୁ ବିଡ଼ିଓ ଶ୍ରୀ ପାଢ଼ୀ ପ୍ରକାଶ କରିଥିଲେ କି ସେ ଏସମ୍ପର୍କରେ ତଦନ୍ତ କରୁଛନ୍ତି ଏବଂ କାହିଁକି ଦିବ୍ୟାଙ୍ଗ ବେଙ୍ଗ ରାସନ ଓ ଘର ପାଇବାରୁ ବଞ୍ଚିତ ଅଛନ୍ତି ସେସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି।ତେବେ ଯୋଗ୍ୟ ହୋଇଥିଲେ ସମସ୍ତ ସରକାରୀ ସୁବିଧା ସୁଯୋଗ ବେଙ୍ଗ ଙ୍କୁ ଖୁବ ଶୀଘ୍ର ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି। ତେବେ ସାଧାରଣରେ ପ୍ରଶ୍ନ ଟିଏ ଉଠିଛି କି ପୂର୍ବରୁ ରାସନ ପାଉଥିଲେ କିନ୍ତୁ ପାଉପାଉ ହଠାତ କାହିଁକି ରାସନ ଦୀର୍ଘ ତିନି ବର୍ଷ ହେଲା ବେଙ୍ଗଙ୍କୁ ମିଳୁନାହିଁ ? ବେଙ୍ଗଙ୍କ ରାସନ ଆଉ କେହି ନେଉନାହିଁ ତ? ବୋଲି ମଧ୍ୟ ସାଧାରଣ ରେ ପ୍ରଶ୍ନ ଉଠିଛି। ତେଣୁ ଏଭଳି ଏକ ଘଟଣା ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ସାଧରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର