ଫେବ୍ରୁଆରିରୁ ସଚେତନତା ଦିଗରେ ପଦକ୍ଷେପ, ଖୋଲିବ ୧୮୨ଟି ସ୍ୱତନ୍ତ୍ର ବିଦ୍ୟାଳୟ

ଭୁବନେଶ୍ୱର : ଦିବ୍ୟାଙ୍ଗ ବିକାଶ କରିବା ଦିଗରେ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ବିଭିନ୍ନ କ୍ଷେତ୍ରରେ ୪ ପ୍ରତିଶତ ସଂରକ୍ଷଣ ବି ରହିଛି। ସେମାନଙ୍କ ନିଯୁକ୍ତିକୁ ବ୍ୟାପକ କରିବା ଲାଗି ଗତବର୍ଷଠାରୁ  ନିଯୁକ୍ତିପୂର୍ବ ତାଲିମ ବ୍ୟବସ୍ଥା ଆରମ୍ଭ ହୋଇଛି। ସେପ୍ଟେମ୍ବର ମାସରେ ହୋଇଥିବା ଓଟିଇଟି ପରୀକ୍ଷାରେ ଶତ ପ୍ରତିଶତ ସଫଳତା ବି ମିଳିଛି। ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କିଙ୍ଗ୍‌ ଓ ପ୍ରତିଯୋଗିତାମୂଳକ ପରୀକ୍ଷା ଦେବା ଲାଗି ପ୍ରସ୍ତୁତ ହେଉଥିବା ଆଗ୍ରହୀ ଦିବ୍ୟାଙ୍ଗଙ୍କୁ କୋଚିଂ ଦିଆଯିବ। ଫେବ୍ରୁଆରି ମାସରୁ ଏନେଇ ବ୍ୟାପକ ସଚେତନତା କରାଯିବ ବୋଲି ବିଜେବି କଲେଜ ପଡ଼ିଆରେ ଆଜି ଅନୁଷ୍ଠିତ ଆଇନ ସେବା ଓ ସଶକ୍ତୀକରଣ ଶିବିରରେ ଯୋଗଦେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ନିର୍ଦେଶିକା ମାନସୀ ନିମ୍ବଲ କହିଛନ୍ତି।

Advertisment

ଓଡ଼ିଶା ରାଜ୍ୟ ଆଇନ୍‌ ସେବା ପ୍ରାଧିକରଣ ଓ ଖୋର୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ଶିବିରକୁ ଉଦ୍‌ଘାଟନ କରି ଓଡ଼ିଶା ହାଇକୋର୍ଟର ବିଚାରପତି ଡ. ଜଷ୍ଟିସ୍‌ ଦୁର୍ଗାପ୍ରସନ୍ନ ଚୌଧୁରୀ କହିଲେ, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ୍‌ଙ୍କ ସୁବିଧା ପାଇଁ ଅନେକ ଆଇନ ହୋଇଛି। ହେଲେ ସେଗୁଡ଼ିକ ସମ୍ପର୍କରେ ଅନେକ ଅବଗତ ନାହାନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଶିବିର ଆୟୋଜନ କରାଯାଇ ସଚେନତାର ଆବଶ୍ୟକତା ରହିଛି।

ଭିନ୍ନକ୍ଷମ ଆୟୋଗର ଆୟୁକ୍ତ ମିନତି ବେହେରା ଯୋଗଦେଇ କହିଲେ ଦିବ୍ୟାଙ୍ଗଙ୍କ ଲାଗି ଥିବା ଆଇନର ଉଲ୍ଲଂଘନକାରୀଙ୍କ ବିରୋଧରେ ଦଣ୍ଡ ବ୍ୟବସ୍ଥା ରହିଛି। ସେମାନଙ୍କ ଶିକ୍ଷାକୁ ବ୍ୟାପକ କରିବା ଲାଗି ରାଜ୍ୟରେ ୧୮୨ଟି ସ୍ୱତନ୍ତ୍ର ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତିି ହୋଇଛି। ଏବେ ସୁଦ୍ଧା ୫୬ଟି ବିଦ୍ୟାଳୟ ପାଇଁ ଅନୁମତି ଦିଆଯାଇ ସାରିଛି। ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ଫି’ ଛାଡ଼ କରାଯାଉଛି। ଦିବ୍ୟାଙ୍ଗଙ୍କ ସମସ୍ୟା ନେଇ ଆସୁଥିବା ଅଭିଯୋଗ ମଧ୍ୟରୁ ୮୦ ପ୍ରତିଶତର ସମାଧାନ ହେଉଛି ବୋଲି ସେ କହିଥିଲେ। ଖୋର୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଚେୟାରମ୍ୟାନ୍‌ ଆର.କେ. ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ।

ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ଖୋର୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଷ୍ଟଲ ଖୋଲାଯାଇଥିଲା। ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହେବା ସହ ସେମାନଙ୍କ ସୁବିଧା ଓ ଅସୁବିଧାର ସମାଧାନ କରିବା ଲାଗି ବ୍ୟବସ୍ଥା ହୋଇଥିଲା। ଶିବିରରେ ବିଭିନ୍ନ ବିଭାଗ, ଆଇନ ବିଷାରଦ, ଅଧିବକ୍ତା, ସ୍ୱେଚ୍ଛାସେବୀ ସଙ୍ଗଠନର ପ୍ରତିନିଧିମାନେ ଯୋଗଦେଇ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ଥିବା ସରକାରୀ ଯୋଜନା ଓ ଆଇନ ସହାୟତା ସମ୍ପର୍କରେ ଆଲୋକପାତ କରିଥିଲେ।