ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଆର୍ଥିକ ସହାୟତା ବଢ଼ିଲା, ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନକୁ ଦିଅ‌ାଯିବ ଅଧିକ ଅନୁଦାନ

ଭୁବନେଶ୍ବର : ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମାସିକ ଆର୍ଥିକ ସହାୟତାକୁ ସରକାର ବଢ଼ାଇଛନ୍ତି। ଏହା ସହ ସେମାନଙ୍କ ନିମନ୍ତେ ରହିଥିବା ଶିକ୍ଷାନୁଷ୍ଠାନଗୁଡ଼ିକର ରକ୍ଷଣାବେକ୍ଷଣ ବାବଦରେ ସରକାରୀ ଅନୁଦାନ ରାଶି ମଧ୍ୟ ବଢ଼ିଛି। ଆଜି ଲୋକସେବା ଭବନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ତଥା ଛାତ୍ରାବାସରେ ରହୁଥିବା ପ୍ରତ୍ୟେକ ଅନ୍ତେବାସୀଙ୍କୁ ପ୍ରତି ମାସରେ ପୂର୍ବରୁ ଦିଆଯାଉଥିବା ସହାୟତା ୧୨୦୦ ଟଙ୍କାରୁ ୧୭୬୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିରେ ଖାଦ୍ୟପେୟ, ଶେଯ ଓ ପୋଷାକପତ୍ର, ପାଠପଢ଼ା ଓ ଚିକିତ୍ସା ଖର୍ଚ୍ଚ ସମେତ ଆନୁଷଙ୍ଗିକ ଖର୍ଚ୍ଚ ଅନ୍ତର୍ଭୁକ୍ତ। ସେହିପରି ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ବିଦ୍ୟାର୍ଥୀମାନଙ୍କୁ ପ୍ରତି ମାସରେ ଏଣିକି ୨୫୦ ଟଙ୍କା ପରିବର୍ତ୍ତେ ୩୭୦ ଟଙ୍କା ପ୍ରଦାନ କରାଯିବ। ଏ ବାବଦରେ ବାର୍ଷିକ ପ୍ରାୟ ୩ କୋଟି ୬୫ ଲକ୍ଷ ୯୦ ହଜାର ଟଙ୍କା ବ୍ୟୟ କରାଯିବ। ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନର ବିଦ୍ୟା‌ର୍ଥୀମାନଙ୍କ ନିମନ୍ତେ ଏହି ରକ୍ଷଣାବେକ୍ଷଣ/ ପରିଚାଳନାଗତ ସହାୟତା ଚଳିତ ବର୍ଷ ଏପ୍ରିଲ୍‌ ପହିଲାରୁ ପ୍ରଦାନ କରାଯିବ।

ମନ୍ତ୍ରୀ ଶ୍ରୀ ପଣ୍ଡା ଆହୁରି କହିଛନ୍ତି, ପ୍ରତ୍ୟେକ ଶିକ୍ଷାନୁଷ୍ଠାନକୁ ପ୍ରତି ତିନି ବର୍ଷରେ ଥରେ କ୍ରୀଡ଼ା ଉପକରଣ କ୍ରୟ ନିମନ୍ତେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ପ୍ରତି ଶିକ୍ଷାନୁଷ୍ଠାନକୁ ଫର୍ଣ୍ଣିଚର୍‌ କ୍ରୟ ନିମନ୍ତେ ଏକ ଲକ୍ଷ ଟଙ୍କା, କମ୍ପ୍ୟୁଟର ନିମନ୍ତେ ୫୦ ହଜାର ଟଙ୍କା ଓ ସ୍ବତନ୍ତ୍ର ସଫ୍ଟୱେର୍‌ ଉପକରଣ ନିମନ୍ତେ ୬୦ ହଜାର ଟଙ୍କା ପ୍ରଦାନ କରାଯିବ। ଏ ବାବଦରେ ସରକାର ୨ କୋଟି ୨୬ ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚ କରିବେ। ଏହା ସହ ପୂର୍ବ ପରି ରିହାତି ଦରରେ ଚାଉଳ ଯୋଗାଇ ଦିଆଯିବ।

ଏବେ ରାଜ୍ୟର ଭିନ୍ନକ୍ଷମ ବିଦ୍ୟାର୍ଥୀମାନଙ୍କ ନିମନ୍ତେ ୧୦୩ଟି ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନ ରହିଛି। ଭିନ୍ନକ୍ଷମମାନଙ୍କ ଶିକ୍ଷା କ୍ଷେତ୍ରକୁ ଗୁରୁତ୍ବ ଦେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏପରି ପଦକ୍ଷେପ ଗ୍ରହଣ କରିଛି ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର