ଭିନ୍ନକ୍ଷମ ଯୁବକଙ୍କୁ ନିର୍ମମ ହତ୍ୟା : ଠେଙ୍ଗାରେ ପିଟି ପଥର ତଳେ ଚାପି ଦେଲେ

ଗରଦପୁର : ଗରଦପୁର ବ୍ଲକ୍‌ ପାଟକୁରା ଥାନା ଅନ୍ତର୍ଗତ ପଳସୁଧା ପଞ୍ଚାୟତ ନିକଟ ପାଇକା ନଦୀର ପଥର ସ୍ପର୍‌ ଉପରେ ଗତକାଲି ରାତିରେ ଜଣେ ଭିନ୍ନକ୍ଷମ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ପାଟକୁରା ପୁଲିସ ଆଜି ଶବ ଜବତ କରି ମାମଲା ରୁଜୁ କରିଛି। ଏହି ଯୁବକଙ୍କ ପରିଚୟ ମିଳିପାରି ନାହିଁ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ମିଳିଥିବା ସୂଚନାରୁ ଅନୁସାରେ, ଗତକାଲି ରାତିରେ ଦୁଇଟି ବାଇକରେ ଦୁର୍ବୃତ୍ତମାନେ ଆସି ନଦୀ ବନ୍ଧ ନିକଟରେ ପହଞ୍ଚିଥିଲେ। ବାଇକ୍‌ ରଖି ସେମାନେ ନିକଟସ୍ଥ ପଥର ସ୍ପର ଉପରକୁ ଯାଇଥିଲେ। ସେମାନଙ୍କ ଭିତରେ ଭିନ୍ନକ୍ଷମ ଯୁବକଜଣକ ମଧ୍ୟ ଥିଲେ। ସ୍ପର୍‌ ଉପରକୁ ଯିବା ପରେ ସେମାନେ ଭିନ୍ନକ୍ଷମ ଯୁବକଙ୍କୁ ଠେଙ୍ଗାରେ ପିଟିଥିଲେ। ସେ ଚିତ୍କାର କରି ତଳେ ପଡିଯିବାରୁ ଦୁର୍ବୃତ୍ତମାନେ ତାଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ। ଦୁର୍ବୃତ୍ତମାନେ ଏହି କାଣ୍ତ ଭିଆଉଥିଲା ବେଳେ ସ୍ପର୍‌ ନିକଟରୁ ଅନତି ଦୂରରେ ନଦୀ ଆର ପାରି ବାଲିପଠାକୁ ମତ୍ତଗଜପୁର ଗ୍ରାମର କିଛି ଲୋକ ଶୌଚ ହେବାକୁ ଆସିଥିଲେ। ସେମାନେ ଚିତ୍କାର ଶୁଣି ଗାଁକୁ ଦୌଡ଼ି ଯାଇ ଅନ୍ୟ ଲୋକମାନଙ୍କୁ ଡାକ ପକାଇଥିଲେ। ଏଥିସହ ପଳସୁଧା ସରପଞ୍ଚ ଅନୁଜ ମହାନ୍ତିକୁ ଫୋନ କରି ଜଣାଇଥିଲେ। ପଳସୁଧା ଓ ମତ୍ତଗଜପୁର ଗ୍ରାମର ଲୋକମାନେ ରାତି ପ୍ରାୟ ୧୧ଟା ବେଳେ ଘଟଣାସ୍ଥଳରେ ପହଞ୍ଚିବା ସହ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଛାନଭିନ୍‌ କରିବା ପରେ ପଥର ତଳେ ଭିନ୍ନକ୍ଷମ ଯୁବକଙ୍କ ଶବ ଚାପି ହୋଇ ରହିଥିବା ଦେଖିବାକୁ ପାଇଥିଲେ। ସେତେବେଳକୁ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ। ରାତି ସାରା ପୁଲିସ ସେଠାରେ ଶବ ଜଗି ରହିଥିଲା।

ଆଜି ସକାଳେ ସାଇଣ୍ଟିଫିକ୍‌ ଟିମ ସହିତ ପାଟକୁରା ଥାନା ଆଇଆଇସି ସୁଜିତ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଶବ ଓ ଏକ ଠେଙ୍ଗା ଜବତ କରାଯାଇଥିଲା। ମୃତ ଯୁବକଙ୍କ ବାମ ଗୋଡ଼ ପୋଲିଓ ଥିବା ଜଣାପଡିଛି। ତାଙ୍କୁ ବୀଭତ୍ସ ଭାବେ ପିଟି ପିଟି ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ମୃତଦେହ ଉପରେ ପଥର ଘୋଡ଼ାଇ ଦେଇଥିଲେ। ଭିନ୍ନକ୍ଷମ ଯୁବକଙ୍କର ଦୁର୍ବୃତ୍ତମାନଙ୍କ ସହିତ ପୂର୍ବରୁ ପରିଚୟ ଥିଲା କି ନାହିଁ ସେ ଦିଗରେ ପୁଲିସ ତଦନ୍ତ କରୁଛି।

ସୂଚନା ଥାଉ କି, ୨୦୧୬ ଡିସେମ୍ବର ୨୮ ତାରିଖ‌ରେ ଏହି ପଥର ସ୍ପର ନିକଟରୁ ଜଣେ ଅଚିହ୍ନା ଯୁବକଙ୍କ ଗଳିତ ଶବ ମିଳିଥିଲା, ଯାହାର ଏ ପର୍ଯ୍ୟନ୍ତ ପରିଚୟ ମିଳିପାରି ନାହିଁ। ଘଟଣାର ତଦନ୍ତ ବି ସରି ନାହିଁ। ସଂପୂର୍ଣ ଘଟଣା ସନ୍ଦେହ ଘେରରେ ରହିଛି। ଏପରି ସ୍ଥଳେ ଆଜି ଜଣେ ଭିନ୍ନକ୍ଷମ ଯୁବକଙ୍କ ଶବ ମିଳିବା ଘଟଣା ଏହି ଅଞ୍ଚଳର ଲୋକଙ୍କୁ ଆତଙ୍କିତ କରି ଦେଇଛି। ପୁଲିସ ରେକର୍ଡରେ ମଧ୍ୟ ଏହି ଅଞ୍ଚଳ ଏକ ଅପରାଧ ଜୋନ ତାଲିକାରେ ରହିଛି।

ସମ୍ବନ୍ଧିତ ଖବର