ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ପଛରେ ଦୌଡ଼ିଲେ ଦିବ୍ୟାଙ୍ଗ : ଅଟକି ଗଲେ ନବୀନ, ତୁରନ୍ତ ଘର ଯୋଗାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

କଟକ/ ନରସିଂହପୁର : ନରସିଂହପୁରରେ ସଭା ଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଡିରେ ବସି ହେଲିପ୍ୟାଡ୍‌ ଅଭିମୁଖେ ଯାଉଥିଲେ। ହଠାତ୍‌ ଜ‌ଣେ ଦିବ୍ୟାଙ୍ଗ ଭିଡ ଭିତରୁ ‌ବାହାରି ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ପଛରେ ଦୌଡି ଥିଲେ। ଦିବ୍ୟାଙ୍ଗ ଲିପୁନା ପ୍ରତିହାରୀ (୩୦) ଗାଡ଼ି ପଛରେ ଦୌଡୁଥିବା ଦେଖି ପୁଲିସ ବାବୁମାନେ ବି ଚିନ୍ତାରେ ପଡି ଯାଇଥିଲେ। ତାଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଲିପୁନ୍‌ ଗୋଟିଏ ଗୋଡରେ ଛୋଟେଇ ଛୋଟେଇ ଦୌଡୁଥିବା ଦେଖି ମୁଖ୍ୟମନ୍ତ୍ରୀଙ୍କ ଗାଡି ଅଟକି ଯାଇଥିଲା। ଲିପୁନ୍‌ଙ୍କୁ ପାଖକୁ ଡାକି ମୁଖ୍ୟମନ୍ତ୍ରୀ ତାଙ୍କ କଥା ଶୁଣିଥିଲେ। ଲିପୁନ ସବୁଦିନ ବସ୍‌ରେ ବସି କାନପୁର ଥାନା ବାସେଲିହତା ଗ୍ରାମରୁ କଟକ ବାଦାମ୍‌ବାଡିକୁ ଆସନ୍ତି। ସେଠାରେ ଭିକ୍ଷାବୃତ୍ତି କରି ଯାହା ପାଆନ୍ତି ତାକୁ ନେଇ ସଂଧ୍ୟାରେ ଘରକୁ ଫେରନ୍ତି। ସେଥିରେ ତାଙ୍କ ପରିବାର ଚଳେ। ପରିବାର କହିଲେ ସ୍ତ୍ରୀ ଓ ୪ ମାସର ଛୋଟ ପୁଅ। ତାଙ୍କ ସ୍ତ୍ରୀ ମଧ୍ୟ ଦିବ୍ୟାଙ୍ଗ। ‌ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଘର, ଭତ୍ତା ଦେଉଛନ୍ତି। ତେଣୁ ମୋତେ ବି ଘର ଖଣ୍ଡେ ଦିଅନ୍ତୁ ବୋଲି ଗୁହାରୀ କରିଥିଲେ ଲିପୁନ। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଯୋଗ ଶୁଣିବା ସହ ତୁରନ୍ତ ତାଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ନରସିଂହପୁର ବିଡିଓ ପ୍ରଶାନ୍ତ କୁମାର ତରାଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଜୟ ନବୀନ ଜୟ ନବୀନ କହି ଖୁସିରେ ନାରା ଦେଇଥିଲେ ଲିପୁନ୍‌।

ସମ୍ବନ୍ଧିତ ଖବର