ଦୁର୍ଘଟଣାରେ ଗୋଟିଏ ହାତ ହରାଇଥିଲେ ବି ଜୀବନ ଯୁଦ୍ଧରେ ହାରିଯାଇ ନାହାନ୍ତି ଲାଲମୋହନ : ପାନଦୋକାନ କରି ୬ ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଦେଉଛନ୍ତି ଦାନା

ଅନୁଗୁଳ : ଗୋଟିଏ ହାତ ହରାଇଛନ୍ତି । ହେଲେ ହାରି ଯାଇନାହାନ୍ତି । ଭଗବାନ୍ ଗୋଟିଏ ହାତ ନେଇଗଲେ ସିନା ହେଲେ ଜୀବନର ରଣଭୂମିରେ ଅନବରତ ସଂଘର୍ଷ କରୁଛନ୍ତି ଅନୁଗୁଳର ଲାଲ ମୋହନ ମୁର୍ମୁ । ସମସ୍ତ ଝଡ଼ଝଞ୍ଜାକୁ ସାମ୍ନା କରି ଏକ ଛୋଟ ପାନ ଦୋକାନ କରି ଘର ଚଳାଉଛନ୍ତି । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ । ଭଙ୍ଗାଦଦରା ପଲିଥିନ୍ ଟଣା ଘରେ କଟୁଛି ୬ ପ୍ରାଣୀ କୁଟୁମ୍ବଙ୍କ ଜୀବନ । ପ୍ରଶାସନର ଅସହଯୋଗ ସତ୍ୱେ ନିଜ ପରିବାରର ବୋଝ ବୋହିବା ପାଇଁ କଠିନ ପରିଶ୍ରମ କରୁଛନ୍ତି ।

ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଠାରୁ ମାତ୍ର ୫୦୦ ମିଟର ଦୂରରେ ଟେଲକୋବଡ଼ା ବସ୍ତି । ଆଉ ସେଠାରେ ରହୁଛନ୍ତି ଲାଲମୋହନ ଆଉ ତାଙ୍କ ପରିବାର । ଦିନ ଥିଲା ଲାଲମୋହନ ଏନଟିପିସିରେ ଶ୍ରମିକ ଭାବେ କାମକରି ହସଖୁସିରେ ଜୀବନ ବିତାଉଥିଲେ । ହେଲେ ଭାଗ୍ୟ ସାଜିଲା ବଇରୀ । ୨୦୦୨ ମସିହାରେ କାମ କରୁଥିବା ସମୟରେ ଏକ ଆକସ୍ମିକ ଦୁର୍ଘଟଣାରେ ଗୋଟିଏ ହାତ ହରାଇଥିଲେ । ହେଲେ ଜୀବନ ଯୁଦ୍ଧରେ ହାରିଯାଇ ନଥିଲେ ଲାଲମୋହନ । ପରିବାରର ବୋଝକୁ ମୁଣ୍ଡାଇ ଚାଲିବାକୁ ସଂଘର୍ଷ ଜାରି ରଖିଛନ୍ତି । ନିଜ ପ୍ରସୟାରେ ଏକ ଛୋଟ ପାନ ଦୋକାନ କରି ଜୀବିକା ନିର୍ବାହ କରୁଛିନ୍ତି । ୪ ଝିଅ ସାଙ୍ଗକୁ ସ୍ୱାମୀ ସ୍ତ୍ରୀ କଷ୍ଟେମଷ୍ଟେ କୌଣସି ମତେ ଚଳିଯାଉଛନ୍ତି । ସବୁଠାରୁ ଦୁଃଖର କଥା ହେଲା ଦୁର୍ଘଟଣାରେ ପରେ ଏନଟିପି ପକ୍ଷରୁ ଲାଲମୋହନଙ୍କୁ କୌଣସି କୌଣସି ସହଯୋଗ ମିଳିନଥିଲା । ଅନ୍ୟପଟେ ଲାଲମୋହନଙ୍କୁ ଏଯାଏଁ କୌଣସି ସରକାରୀ ସହାୟତା ମଧ୍ୟ ମିଳିନାହିଁ ।

ତେବେ କଣିହାଁ ଭୀମଭୋଇ ଭିନ୍ନକ୍ଷମ ଶିବିରକୁ ଦୌଡ଼ି ଦୌଡ଼ି ଚପଲ ଛିଣ୍ଡିଗଲାଣି ସତ ତାଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ଖଣ୍ଡିଏ ମିଳିପାରି ନାହିଁ । ପାନ ଦୋକାନରେ ୬ ପ୍ରାଣୀ କୁଟୁମ୍ବ ଚଳାଇବା କଷ୍ଟକର ହେଉଥିବା ଯୋର୍ଗୁଁ ସରକାରୀ ସହାୟତାକୁ ଚାତକ ପରି ଚାହିଁବସିଛନ୍ତି ଲାଲମୋହନ । ସରକାରୀ ଆବାସ ଯୋଜନାରୁ ବଂଚିତ ଲାଲମୋନଙ୍କୁ ସାହାଯ୍ୟ ମିଳିଲେ ଉପକୃତ ହୋଇପାରନ୍ତେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର