ଦଶରଥପୁର : ଦଶରଥପୁର ବ୍ଲକ୍ ଜାଫରପୁର ପଞ୍ଚାୟତ ଜାଫରପୁର ଗ୍ରାମର ଅକ୍ଷୟ କୁମାର ମଲ୍ଲିକ ଜଣେ ଦିବ୍ୟାଙ୍ଗ। ୪ ବର୍ଷ ତଳେ ପତ୍ନୀ ରୋଗରେ ପଡ଼ି ଆରପାରିକୁ ଚାଲିଯାଇଛନ୍ତି। ୧୦ ବର୍ଷର ଝିଅ ଓ ୬ ବର୍ଷର ପୁଅଙ୍କୁ ନେଇ ବହୁ କଷ୍ଟରେ ଘର ଚଳାଉଛନ୍ତି। ଏଣେ ଅର୍ଥାଭାବରୁ ଘର ଛପର କରିପାରୁ ନାହାନ୍ତି। ଦୁଇବର୍ଷ ହେଲା ଘର ଉପରେ ପାଲ ଟାଣି ରହୁଛନ୍ତି। ବର୍ଷାଦିନରେ ଦୟନୀୟ ଅବସ୍ଥା।
ସେ ଅତି ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ସରକାରୀ ଯୋଜନାରେ ଆବାସଟିଏ ମିଳିପାରୁନାହିଁ। ଏଥିନେଇ ଅକ୍ଷୟ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଦଶରଥପୁର ବିଡିଓଙ୍କୁ ଏହାର ତଦନ୍ତ କରିବାକୁ ଗତ ଜାନୁଆରି ୧୯ ତାରିଖରେ ନିର୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦେଶକୁ ୬ ମାସ ବିତିଯାଇଥିଲେ ମଧ୍ୟ ତାଙ୍କୁ ଘର ମିଳିପାରିନାହିଁ। ଏ ବିଷୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ ମିଶ୍ରଙ୍କୁ ପଚାରିବାରେ ମୁଁ କିଛି ଦିନ ହେବ ଏହି ପଞ୍ଚାୟତ ଦାୟିତ୍ୱରେ ରହିଛି, ତେଣୁ ଅକ୍ଷୟଙ୍କ ବିଷୟରେ ଜାଣିନାହିଁ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/awas-fff.jpg)