ପଦ୍ମପୁର: ଜଣେ ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ରାସ୍ତାରୁ ଉଠାଇ ନେଇ ଏକ ପରିତ୍ୟକ୍ତ ଘରେ ୮ ଦିନ କାଳ ରଖି ଗଣଦୁଷ୍କର୍ମ କରିଛନ୍ତି ୩ ଦୁର୍ବୃତ୍ତ। ଏହି ଘଟଣାକୁ ଯଶିପୁର ଅଞ୍ଚଳବାସୀ ନିନ୍ଦା କରିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରିବାକୁ ଦାବି କରିଛନ୍ତି।
ସୂଚନା ମୁତାବକ, ମାର୍ଚ୍ଚ ୩୦ରେ ଛାତ୍ରୀଜଣକ ବିଦ୍ୟାଳୟକୁ ପଢ଼ିବାକୁ ଆସୁଥିବା ସମୟରେ ଜଣେ ଯୁବକ ତାଙ୍କୁ ଜୋରଜବରଦସ୍ତ ରାସ୍ତାରୁ ଉଠାଇ ଏକ ବାଇକ୍ରେ ଶିମିଳିପାଳର ଘୋଡ଼ାଘାଗରୀ ଅଞ୍ଚଳକୁ ନେଇ ଯାଇଥିଲା। ଯୋଜନା ମୁତାବକ ସେଠାରେ ଅଭିଯୁକ୍ତ ଯୁବକ ଫୋନ ଯୋଗେ ତାର ଅନ୍ୟ ୨ ଜଣ ସହଯୋଗୀଙ୍କୁ ଡାକିଥିଲା। ପରେ ତିନିଜଣ ମିଶି ନାବାଳିକାଙ୍କୁ ଏକ ପରିତ୍ୟକ୍ତ ଘରେ ହାତଗୋଡ଼ ବାନ୍ଧି ଦୁଷ୍କର୍ମ କରିଥିଲେ।
ମାର୍ଚ୍ଚ ୩୦ରୁ ୬ ତାରିଖ ପର୍ଯ୍ୟନ୍ତ ଅଭିଯୁକ୍ତମାନେ ଏଭଳି ନରକୀୟ ଘଟଣାରେ ସଂପୃକ୍ତ ଥିବାବେଳେ କେହି ଏହାର ଟେର୍ ପାଇନଥିଲେ। ସେପଟେ ଝିଅକୁ ନପାଇ ବାପା-ମା’ ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କ ଘରେ ଖୋଜାଖୋଜି କରି ନିରାଶ ହେବା ପରେ ଏପ୍ରିଲ ୩ ତାରିଖରେ ଯଶିପୁର ଥାନାରେ ଝିଅ ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଦୁଷ୍କର୍ମକାରୀମାନେ ୬ ତାରିଖରେ ନାବାଳିକାଙ୍କୁ ପିଟି ଘରୁ ବାହାର କରି ଦେଇଥିଲେ।
ନାବାଳିକାଜଣକ କାନ୍ଦି କାନ୍ଦି ଘରକୁ ଫେରି ବାପା-ମା’ଙ୍କୁ ଘଟଣା ସଂପର୍କରେ ଠାରରେ ସବୁ କହିଥିଲା। ପରିବାର ଲୋକେ ଏ ସଂକାନ୍ତରେ ଥାନାରେ ଜଣାଇବା ପରେ ମଧ୍ୟ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଫଳରେ ଅଭିଯୁକ୍ତମାନେ ଫେରାର ହୋଇଯିବାକୁ ଯଥେଷ୍ଟ ସମୟ ପାଇଥିଲେ। ତେବେ ଗଣମାଧ୍ୟମ ପ୍ରତିନିଧିମାନେ ଆଜି ଏ ସଂପର୍କରେ ଜାଣିବା ପରେ ଯଶିପୁର ପୁଲିସ କେସ୍ ନଂ ୭୭/୨୨ରେ ଏକ ମାମଲା ରୁଜୁ କରି ଯଶିପୁର କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି। ଅଭିଯୁକ୍ତମାନଙ୍କୁ ଧରିବା ଲାଗି ଉଦ୍ୟମ ଜାରି ରହିଥିବା ପୁଲିସ ସୂଚନା ଦେଇଛି।